ଉଜ୍‌ବେକିସ୍ତାନରେ ନଟରାଜଙ୍କୁ ଦ୍ବିତୀୟ ସ୍ବର୍ଣ୍ଣ, ଦୁଇ ଦିନରେ ୩ ଥର ଜାତୀୟ କୀର୍ତ୍ତିମାନ ଭାଙ୍ଗିଲେ

୨୯ ପଦକ ସହ ଭାରତର ଅଭିଯାନ ଶେଷ

ତାସକେଣ୍ଟ୍‌: ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ଜାତୀୟ କୀର୍ତ୍ତିମାନ ରଚିବା ସହିତ ଉଜ୍‌ବେକିସ୍ତାନ ଓପନ୍‌ ପ୍ରତିଯୋଗିତାରେ ବ୍ୟକ୍ତିଗତ ଦ୍ବିତୀୟ ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି। ୨୦ ବର୍ଷୀୟ ନଟରାଜ ଶନିବାର ୨୫.୧୧ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ଜିତିଥିଲେ। ଦୁଇ ଦିନ ମଧ୍ୟରେ ଏହା ଶ୍ରୀହରିଙ୍କ ତୃତୀୟ ଜାତୀୟ କୀର୍ତ୍ତିମାନ ଥିଲା। ଏହା ପୂର୍ବରୁ ଏହି ବେଙ୍ଗାଲୁରୁ ସନ୍ତରଣକାରୀ ୧୦୦ ମିଟର ବ୍ୟାକଷ୍ଟ୍ରୋକ୍‌ରେ ଦୁଇଥର ନୂଆ ଜାତୀୟ କୀର୍ତ୍ତିମାନ କରିଥିଲେ। ଫାଇନାଲ୍‌ରେ ସେ ୫୪.୦୭ ସେକେଣ୍ଡ ସମୟ ନେଇ ଜାତୀୟ କୀର୍ତ୍ତିମାନ ରଚିବା ସହ ସ୍ବର୍ଣ୍ଣ ଜିତିଥିଲେ। ଏହା ପୂର୍ବରୁ ‌ହିଟ୍ସରେ (୫୪.୧୦ ସେକେଣ୍ଡ) ମଧ୍ୟ ଜାତୀୟ କୀର୍ତ୍ତିମାନ କରିଥିଲେ। ଦୁଇ ଥର ଜାତୀୟ କୀର୍ତ୍ତିମାନ କରିଥିଲେ ମଧ୍ୟ ଶ୍ରୀହରି ଅଲିମ୍ପିକ୍ ‘ଏ’ ଯୋଗ୍ୟତା ମାନଦଣ୍ଡଠୁ ମାତ୍ର ୦.୨୨ ସେକେଣ୍ଡ ପଛରେ ରହିଯାଇଥିଲେ। ଫିନା ସ୍ବୀକୃତିପ୍ରାପ୍ତ ଏହି ଅଲିମ୍ପିକ୍ ଯୋଗ୍ୟତା ପ୍ରତିଯୋଗିତାରେ ଭାରତୀୟ ସନ୍ତରଣକାରୀମାନେ ୧୮ ସ୍ବର୍ଣ୍ଣ, ୭ ରୌପ୍ୟ, ୪ କାଂସ୍ୟ ସହ ମୋଟ ୨୯ ପଦକ କରାୟତ୍ତ କରିଛନ୍ତି। ହେଲେ ସିଧାସଳଖ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବାରେ କେହି ସଫଳ ହୋଇନଥିଲେ।

ସେହିପରି ଅଲିମ୍ପିକ୍ ଆଶାୟୀ ସାଜନ ପ୍ରକାଶ ମଧ୍ୟ ଏହି ୪ଟି ବର୍ଗରେ ସ୍ୱର୍ଣ୍ଣ ଜିତିଥିଲେ ମଧ୍ୟ ଅଲିମ୍ପକ୍ସ ‘ଏ’ ଯୋଗ୍ୟତା ମାନକ ପୂରଣ କରିବାରେ ବିଫଳ ହୋଇଥିଲେ। ଶନିବାର ଏହି କେରଳ ସନ୍ତରଣକାରୀ ୧୦୦ ମିଟର ବଟରଫ୍ଲାଏରେ ୫୩.୬୯ ସେକେଣ୍ଡ ସମୟ ସହ ସ୍ବର୍ଣ୍ଣ ଜିତିଥିଲେ। ଶ୍ରୀହରି ଓ ସାଜନ ସିଧାସଳଖ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ (ଏ ମାନକ) କରିନଥିଲେ ମଧ୍ୟ ଉଭୟ ‘ବି’ ମାନକ ପୂରଣ କରିଛନ୍ତି। ଯଦି କୌଣସି ‘ଏ’ ମାନକ ପୂରଣ କରିଥିବା ଖେଳାଳି ଭାଗନନିଅନ୍ତି ତେବେ ‘ବି’ ମାନକ ପୂରଣ କରିଥିବା ଖେଳାଳିଙ୍କୁ ଡାକରା ମିଳିପାରେ। ଏମାନଙ୍କ ଛଡ଼ା ଆଉ ୪ ଭାରତୀୟ ବିର୍ଦ୍ଧୱାଲ ଖାଡେ, କୁଶାଗ୍ରା ରାୱତ, ଆର୍ଯ୍ୟନ ମଖିଜା, ଆଦ୍‌ଭେତ ପାଗେ ମଧ୍ୟ ଅଲିମ୍ପିକ୍ସ ‘ବି’ ମାନକ ଯୋଗ୍ୟତା ଅର୍ଜନ କରିଥିଲେ। ମହିଳା ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ମାନା ପଟେଲ ଓ ସୁଭନା ବାସ୍କର ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ଜିତିଥିଲେ। ମାନା (୩୨.୨୮ ସେକେଣ୍ଡ) ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ।

ସମ୍ବନ୍ଧିତ ଖବର