ଦୁବାଇ: ଚଳିତ ଆଇପିଏଲ୍ରେ କରୋନା ମହାମାରୀର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ସନ୍ରାଇଜର୍ସ ହାଇଦ୍ରାବାଦର ପେସର୍ ଟି ନଟରାଜନ୍ ଆକ୍ରାନ୍ତ ହୋଇଥିବା ତାଙ୍କ ପଜିଟିଭ୍ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ତାଙ୍କ ସହିତ ସଂସ୍ପର୍ଶରେ ଆସିଥିବା ଅନ୍ୟ ୬ ଜଣ ସଂଗରୋଧକୁ ଚାଲିଯାଇଛନ୍ତି। ତଥାପି ବୁଧବାର ସନ୍ରାଇଜର୍ସର ଦିଲ୍ଲୀ କ୍ୟାପଟାଲ୍ସ ବିପକ୍ଷ ମ୍ୟାଚ୍ ସୂଚୀ ଅନୁଯାୟୀ ଖେଳାଯାଇଛି।
ନିକଟରେ ଆଣ୍ଠୁରେ ଅସ୍ତ୍ରୋପଚାର କରାଇ ପ୍ରତ୍ୟାବର୍ତନ କରିଥିବା ବାମହାତୀ ପେସର୍ ନଟରାଜନ୍ ନିୟମ ଅନୁଯାୟୀ କରାଯାଇଥିବା ଆର୍ଟି-ପିସିଆର୍ ପରୀକ୍ଷାରେ ପଜିଟିଭ୍ ଆସିଛନ୍ତି। ଆଜି ସକାଳେ ପରୀକ୍ଷା କରାଯାଇଥିଲା। ଅନ୍ୟମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା ବେଳେ ନଟରାଜନ୍ ପଜିଟିଭ୍ ରହିଥିଲେ। ରିପୋର୍ଟ ଆସିବାମାତ୍ରେ ନଟରାଜନ୍ ନିଜେ ଏକାନ୍ତବାସକୁ ଚାଲିଯାଇଛନ୍ତି। ଆଇପିଏଲ୍ ଏସ୍ଓପି ଅନୁଯାୟୀ ନଟରାଜନ୍ ଏବେ ୧୦ ଦିନ ଏକାନ୍ତବାସରେ ରହିବେ ଏବଂ ସେହି ସମୟ ମଧ୍ୟରେ ଦୁଇ ଥର ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଲେ ହିଁ ଜୈବ ବଳୟ ମଧ୍ୟରେ ଦଳ ସହ ଯୋଗଦେବାକୁ ଅନୁମତି ପାଇବେ। ଅନ୍ୟପକ୍ଷରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଦୁଇ ଜଣ ଖେଳାଳି ଓ ୪ ଜଣ ସପୋର୍ଟ ଷ୍ଟାଫ୍ ନେଗେଟିଭ୍ ସତ୍ତ୍ବେ ବାଧ୍ୟତାମୂଳକ ସଂଗରୋଧକୁ ଯାଇଛନ୍ତି। ଏହି ୬ ଜଣଙ୍କ ମଧ୍ୟରେ ଖେଳାଳି ଭାବେ ବିଜୟ ଶଙ୍କର ଓ ନେଟ୍ ବୋଲର ପେରିୟାସାମି ଗଣେଶନ୍ଙ୍କ ବ୍ୟତୀତ ସନ୍ରାଇଜର୍ସ ଦଳ ପ୍ରବନ୍ଧକ ବିଜୟ କୁମାର, ଫିଜିଓଥେରାପିଷ୍ଟ ଶ୍ୟାମ ସୁନ୍ଦର ଜେ, ଡାକ୍ତର ଅଞ୍ଜନ ଭନାନ ଏବଂ ଲଜିଷ୍ଟିକ୍ ପ୍ରବନ୍ଧକ ତୁଷାର ଖେଦ୍କାର ରହିଛନ୍ତି। ଏମାନଙ୍କୁ ଛାଡ଼ି ସନ୍ରାଇଜର୍ସ ଶିବିରରେ ଅନ୍ୟ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବାରୁ ରାତିରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ ଯଥାରୀତି ଖେଳାଯାଇଛି।