ମୁମ୍ବାଇ : ତାମିଲନାଡ଼ୁର ବାମହାତୀ ଦ୍ରୁତ ବୋଲର ଥାଙ୍ଗାରାସୁ ନଟରାଜନ ଚଳିତ ଅଷ୍ଟ୍ରେଲିଆ ଗସ୍ତରେ ଏକଦିବସୀୟ ଓ ଟି-୨୦ ପଦାର୍ପଣ କରିଥିଲେ। ସେ ଏବେ ନିଜର ଟେଷ୍ଟ୍ ପଦାର୍ପଣ ସିଡ୍ନି କ୍ରିକେଟ୍ ଗ୍ରାଉଣ୍ଡ (ଏସ୍ସିଜି)ରେ କରିପାରନ୍ତି ବୋଲି ବିସିସିଆଇ ସୂତ୍ରରୁ ସୂଚନା ମିଳିଛି। ଅଷ୍ଟ୍ରେଲିଆ ବିପକ୍ଷ ଏହି ତୃତୀୟ ଟେଷ୍ଟ୍ ଜାନୁଆରି ୭ ତାରିଖରୁ ଆରମ୍ଭ ହେବ। ୨୯ ବର୍ଷୀୟ ନଟରାଜନ ପଦାର୍ପଣ ଦିନିକିଆ ମ୍ୟାଚ୍ରେ ୨/୭୦ ବୋଲିଂ ଚିତ୍ର ପାଇଥିଲେ। ସେହିଭଳି ୩ଟି ଟି-୨୦ ଖେଳି ୬.୯୧ ମିତବ୍ୟୟୀ ସହ ୬ ୱିକେଟ୍ ଅକ୍ତିଆର କରିଥିଲେ। ସେ ଆହତ ଉମେଶ ଯାଦବଙ୍କ ସ୍ଥାନରେ ସିଡ୍ନି ଟେଷ୍ଟ୍ରେ ଖେଳିବା ସମ୍ଭାବନା ରହିଛି। ଦ୍ବିତୀୟ ଟେଷ୍ଟ୍ର ଦ୍ବିତୀୟ ପାଳି ବେଳେ ଉମେଶ ଆହତ ହୋଇ ଅଧାରୁ ପଡ଼ିଆ ଛାଡ଼ିଥିଲେ ଏବଂ ତୃତୀୟ ଟେଷ୍ଟ୍ରୁ ବାଦ୍ ପଡ଼ିଛନ୍ତି।
ରୋହିତଙ୍କୁ ଆଲିଙ୍ଗନ ଓ ଉତ୍ସାହରେ ସ୍ବାଗତ
ଓପନର୍ ରୋହିତ ଶର୍ମା ସଂପ୍ରତି ସଙ୍ଗରୋଧ ଅବଧି ଶେଷ କରି ଭାରତୀୟ ଦଳ ସହ ବୁଧବାର ଯୋଗଦାନ କରିଛନ୍ତି। ସାଥୀ ଖେଳାଳିମାନେ ବୁଧବାର ତାଙ୍କୁ ଆଲିଙ୍ଗନ ସହ ଉତ୍ସାହଭରା ସ୍ବାଗତ ସମ୍ବର୍ଧନା ଜଣାଇଛନ୍ତି। ଭାରତରୁ ଯାଇ ରୋହିତ ସିଧା ସିଡ୍ନିର ଏକ ଆପାର୍ଟମେଣ୍ଟ୍ରେ ସଙ୍ଗରୋଧରେ ରହିଥିଲେ। ଏହି ଅବଧି ଶେଷ ହେବା ପରେ ସେ ବୁଧବାର ଅନୁଷ୍ଠାନିକ ଭାବେ ମେଲବର୍ନରେ ଦଳ ସହ ଯୋଗ ଦେଇଛନ୍ତି। ସେ ତୃତୀୟ ଟେଷ୍ଟ୍ ଖେଳିବା ବି ପ୍ରାୟତଃ ନିଶ୍ଚିତ। ଅନ୍ୟପକ୍ଷରେ ଟେଷ୍ଟ୍ ଖେଳିବା ଅପେକ୍ଷାରେ ଥିବା କେଏଲ୍ ରାହୁଲ ମଧ୍ୟ ସିଡ୍ନି ମ୍ୟାଚ୍ରେ ଖେଳିବାର ସମ୍ଭାବନା ରହିଛି। ବିଫଳ ଓପନର୍ ମୟଙ୍କ ଅଗ୍ରୱାଲ ଏବଂ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ହନୁମା ବିହାରୀ ବାଦ୍ ପଡ଼ିପାରନ୍ତି। ଏମାନଙ୍କ ସ୍ଥାନରେ ଏହି ଦୁଇ ଜଣଙ୍କ ଖେଳିବା ସମ୍ଭାବନା ରହିଛି। ଦୁଇଟି ଟେଷ୍ଟ୍ରେ ମୟଙ୍କ ୭.୭୫ ହାରରେ ମାତ୍ର ୩୧ ରନ୍ କରିଥିଲା ବେଳେ ବିହାରୀ ୧୫.୦୦ ହାରରେ ୪୫ ରନ୍ କରିଛନ୍ତି। ଉଭୟଙ୍କ ପ୍ରଦର୍ଶନ ଅତ୍ୟନ୍ତ ନିମ୍ନମାନର ରହିଛି। ରୋହିତ ଖେଳିଲେ ସେ ଓପନିଂ କିମ୍ବା ପଞ୍ଚମ ସ୍ଥାନରେ ଖେଳିବେ ସେ ନିଷ୍ପତ୍ତି ପରେ ନିଆଯିବ। ରାହୁଲ ଓପନିଂ କରିପାରନ୍ତି ବୋଲି ଜଣାପଡ଼ିଛି।