ବ୍ରିସ୍ବେନ୍ : ନେଟ୍ ବୋଲ୍ର ଭାବେ ଅଷ୍ଟ୍ରେଲିଆ ଗସ୍ତରେ ଥିଲେ ଦ୍ରୁତ ବୋଲର ଥଙ୍ଗାରାସୁ ନଟରାଜନ। ହେଲେ ସୌଭାଗ୍ୟବଶତଃ ଶୁକ୍ରବାର ସେ ନୂଆ କୀର୍ତ୍ତିମାନ ପାଇଛନ୍ତି। ସେ ଗୋଟିଏ ଗସ୍ତ ବେଳେ ସମସ୍ତ ଫର୍ମାଟ୍ (ଟି-୨୦, ଏକଦିବସୀୟ, ଟେଷ୍ଟ୍)ରେ ପଦାର୍ପଣ କରିବାରେ ପ୍ରଥମ ଭାରତୀୟ ହୋଇଛନ୍ତି। ଶୁକ୍ରବାରଠୁ ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ଶେଷ ଟେଷ୍ଟ୍ ପୂର୍ବରୁ ଭାରତୀୟ ଦଳର ଏକାଧିକ ଖେଳାଳି ଆହତ ଯୋଗୁଁ ବାଦ୍ ପଡ଼ିଥିଲେ। ଏହା ୨୯ ବର୍ଷ ବୟସ୍କ ତାମିଲନାଡୁ ଖେଳାଳି ନଟରାଜନଙ୍କ ପାଇଁ ଆଶୀର୍ବାଦ ପାଲଟିଥିଲା। ଗାବାରେ ଖେଳାଯାଇଥିବା ଏହି ଟେଷ୍ଟ୍ର ଚୂଡ଼ାନ୍ତ ଏକାଦଶରେ ସେ ସ୍ଥାନ ପାଇଥିଲେ ଏବଂ ଭାରତର ୩୦୦ତମ ଟେଷ୍ଟ୍ ଖେଳାଳି ଭାବେ ପଦାର୍ପଣ କରିଥିଲେ। ୩ଟି ଯାକ ଫର୍ମାଟ୍ରେ ଅନ୍ତର୍ଜାତୀୟ ପଦାର୍ପଣ କରିବା ଲାଗି ନଟରାଜନଙ୍କୁ ମୋଟ ୪୪ ଦିନ ଲାଗିଥିଲା। ଯାହା ଭାରତୀୟ ଭାବେ ଦ୍ରୁତତମ। ତାଙ୍କ ପୂର୍ବରୁ ଭୁବନେଶ୍ବର କୁମାର ଦ୍ରୁତତମ ଥିଲେ। ସେ ଡିସେମ୍ବର ୨୫, ୨୦୧୨ରେ ପାକିସ୍ତାନ ବିପକ୍ଷ (ବେଙ୍ଗାଲୁରୁ)ରେ ଟି-୨୦ ଫର୍ମାଟରେ ପଦାର୍ପଣ କରିଥିଲା ବେଳେ ଏହାର ୫ ଦିନ ପରେ ଚେନ୍ନାଇରେ ସେହି ଦଳ ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିଲେ। ୨୦୧୩ ଫେବ୍ରୁଆରି ୨୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ସେହି ସ୍ଥାନରେ ଟେଷ୍ଟ୍ ପଦାର୍ପଣ କରିଥିଲେ। ତେବେ ସବୁ ଦଳ ମଧ୍ୟରେ ନ୍ୟୁଜିଲାଣ୍ଡର ପିଟର ଇନ୍ଗ୍ରାମଙ୍କ ନାମରେ ଦ୍ରୁତତମ କୀର୍ତ୍ତିମାନ ରହିଛି। ସେ ୨୦୦୯-୧୦ ଋତୁରେ ମାତ୍ର ୧୨ ଦିନ ବ୍ୟବଧାନରେ ସବୁ ଫର୍ମାଟ୍ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ।
କାନ୍ବେରାରେ ଡିସେମ୍ବର ୨ ତାରିଖରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆରେ ନଟରାଜନ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ସେ ନିଜର ୧୦ ଓଭର ବୋଲିଂରେ ୭୦ ରନ୍ ବ୍ୟୟ କରି ୨ ୱିକେଟ୍ ଅକ୍ତିଆର କରିଥିଲେ। ଫଳରେ ଏହି ମ୍ୟାଚ୍କୁ ଭାରତ ୧୩ ରନ୍ରେ ଜିତିଥିଲା। ଏହା ପରେ ସେ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ମଧ୍ୟ ଖେଳିଥିଲେ। ସେହି ଶୃଙ୍ଖଳାରେ ପ୍ରଭାବୀ ପ୍ରଦର୍ଶନ କରିବା ସହ ୬ ୱିକେଟ୍ ଅକ୍ତିଆର କରିଥିଲେ ଏବଂ ଭାରତ ଶୃଙ୍ଖଳାକୁ ୨-୧ରେ ଜିତିଥିଲା। ପଦାର୍ପଣ ଟେଷ୍ଟ୍ର ପ୍ରଥମ ଦିନରେ ସେ ୨୦ ଓଭର ବୋଲିଂ କରି ୬୩ ରନ୍ ବିନିମୟରେ ୨ଟି ମୂଲ୍ୟବାନ ୱିକେଟ୍ ନେଇଛନ୍ତି।
ଆଇପିଏଲ୍ ପ୍ରଦର୍ଶନ ହିଁ ଏହି ବାମହାତୀ ଦ୍ରୁତ ବୋଲରଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ସୁଯୋଗ ଦେଇଥିଲା। ୨୦୨୦ ଆଇପିଏଲ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ପାଇଁ ଆଫ୍ଗାନିସ୍ତାନ ସ୍ପିନର ରସିଦ ଖାନ୍ (୨୦ ୱିକେଟ୍)ଙ୍କ ପରେ ନଟରାଜନ (୧୬ ୱିକେଟ୍) ଦ୍ବିତୀୟ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ରହିଥିଲେ। ନଟରାଜନଙ୍କ ଟେଷ୍ଟ୍ ପଦାର୍ପଣ ପରେ ଆଇସିସି ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛି। ‘‘ଟେଷ୍ଟ୍ କ୍ରିକେଟ୍କୁ ସ୍ବାଗତ...ଥଙ୍ଗାରାସୁ ନଟରାଜନ ଗୋଟିଏ ଗସ୍ତରେ ସମସ୍ତ ଫର୍ମାଟ୍ରେ ଅନ୍ତର୍ଜାତୀୟ ପଦାର୍ପଣ କରିବାରେ ପ୍ରଥମ ଭାରତୀୟ ଖେଳାଳି ହୋଇଛ।’’ ବୋଲି ଆଇସିସି ଟ୍ବିଟର୍ରେ ପ୍ରକାଶ କରିଛି। ‘‘ସମସ୍ତ ସ୍ବପ୍ନ ପୂରଣ ହୋଇଛି, ଟିମ୍ ଇଣ୍ଡିଆ ଟେଷ୍ଟ ନମ୍ବର ୩୦୦ ସହିତ ତାଙ୍କର ସବୁ ଫର୍ମାଟ୍ ଆଶା ପୂର୍ଣ୍ଣ ହେଲା। ଏହାଠୁ କିଛି ଭଲ ହୋଇନପାରେ! ନଟୁ ଏବେ ସବୁ ଫର୍ମାଟ୍ର ଖେଳାଳି’’ ବୋଲି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଟ୍ବିଟର୍ ପୃଷ୍ଠାରେ ପ୍ରକାଶ କରିଛି।
ଦିନମଜୁରିଆ ମା’ଙ୍କ ସ୍ବପ୍ନ ପୂରଣ
ତାମିଲନାଡ଼ୁର ସାଲେମ ସହରର ଏକ ଛୋଟିଆ ଗାଁ ପାଲାୟାମ୍ପଟ୍ଟିର ଦିନ ମଜୁରିଆ ମା’ଙ୍କ ସ୍ବପ୍ନ ପୂରଣ ହୋଇଛି। ସେଠାରୁ ୯୦୩୫ କିଲୋମିଟର ଦୂର ଅଷ୍ଟ୍ରେଲିଆର ଆଧୁନିକ ସହର ବ୍ରିସ୍ବେନ୍ରେ ଏହି ଦିନମଜୁରିଆ ମା’ଙ୍କ ପୁଅ ଭାରତୀୟ ଦ୍ରୁତ ବୋଲର ନଟରାଜନ ଶୁକ୍ରବାର ଇତିହାସ ରଚିଛନ୍ତି। ଭାରତୀୟ କ୍ରିକେଟ୍ ଦଳରେ ନେଟ୍ ବୋଲର ଭାବେ ସ୍ଥାନ ପାଇଥିବା ନଟରାଜନ ଏହି ଗସ୍ତରେ ସମସ୍ତ ଫର୍ମାଟ୍ରେ ପଦାର୍ପଣ କରିବାର ସୌଭାଗ୍ୟ ପାଇଛନ୍ତି। ଏହି ସ୍ବପ୍ନ ପୂରଣ ପାଇଁ ନଟରାଜନ ମଧ୍ୟ ନିଜର ତିନି ମାସର କନ୍ୟା ସନ୍ତାନକୁ ଧରିବାର ସୌଭାଗ୍ୟ ପାଇନାହାନ୍ତି। ଗତ ନଭେମ୍ବର ମାସରେ ତାଙ୍କର ଝିଅଟିଏ ହୋଇଥିଲା। ସେତେବେଳେ ସେ ଆଇପିଏଲ୍ ଲାଗି ୟୁଏଇରେ ଥିଲେ। ଏହି ସମୟରେ ଅଷ୍ଟ୍ରେଲିଆ ଗସ୍ତ ଲାଗି ଭାରତୀୟ ଦଳ ଘୋଷଣା ହୋଇଥିଲା ଏବଂ ତାଙ୍କ ନାମ ନେଟ୍ ବୋଲର ଭାବେ ରହିଥିଲା। କରୋନା ନିୟମ ଯୋଗୁଁ ଜୈବ ସୁରକ୍ଷା ବଳୟ ଭାଙ୍ଗି ସେ ଝିଅକୁ ଦେଖିବାକୁ ଯାଇ ପାରିନଥିଲେ। ହେଲେ ଭାରତୀୟ ଦଳ ସହ ଅଷ୍ଟ୍ରେଲିଆ ଗସ୍ତ କରି ଗୋଟିଏ ଗସ୍ତର ସମସ୍ତ ଫର୍ମାଟରେ ପଦାର୍ପଣ କରିବାର କୀର୍ତ୍ତିମାନ ରଚିଛନ୍ତି।
ଜାହିରଙ୍କ କ୍ଲବ୍ରେ ନଟରାଜନ୍
ବ୍ରିସ୍ବେନ୍ରେ ଟେଷ୍ଟ୍ ପଦାର୍ପଣ କରିଥିବା ବାମହାତୀ ଦ୍ରୁତ ବୋଲର ଟି ନଜରାଜନ୍ ଏଥି ସହିତ ତିନିଟିଯାକ ଫର୍ମାଟ୍ରେ ଭାରତ ପାଇଁ ପଦାର୍ପଣ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ଏହି ସଫଳତା ବଳରେ ସେ ମଧ୍ୟ ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ୍ଙ୍କ କ୍ଲବ୍ରେ ସାମିଲ ହୋଇଛନ୍ତି। ଜାହିର ଖାନ୍ ପ୍ରଥମ ଭାରତୀୟ ବାମହାତୀ ବୋଲର ଭାବେ ପ୍ରତ୍ୟେକ ଫର୍ମାଟ୍ ପଦାର୍ପଣ ମ୍ୟାଚ୍ରେ ଅତି କମ୍ରେ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ଏବେ ନଟରାଜନ୍ ମଧ୍ୟ ପ୍ରତ୍ୟେକ ଫର୍ମାଟ୍ ପଦାର୍ପଣ ମ୍ୟାଚ୍ରେ ସମାନ ସଫଳତା ହାସଲ କରିଛନ୍ତି। ସେ ଶୁକ୍ରବାର ଅଷ୍ଟ୍ରେଲିଆର ମାଥ୍ୟୁ ୱାଦେ ଓ ମାର୍ନସ ଲାବୁସେନ୍ଙ୍କୁ ଆଉଟ୍ କରି ଟେଷ୍ଟ୍ ପଦାର୍ପଣରେ ୨ ୱିକେଟ୍ ଅକ୍ତିଆର କରିସାରିଛନ୍ତି। ଏହା ପୂର୍ବରୁ ଚଳିତ ଅଷ୍ଟ୍ରେଲିଆ ଗସ୍ତରେ ମନୁକା ଓଭାଲ୍ରେ ଦିନିକିଆ ଆନ୍ତର୍ଜାତିକ ପଦାର୍ପଣ କରି ୨ ୱିକେଟ୍ ଦଖଲ କରିଥିଲା ବେଳେ ସେହି ଭେନ୍ୟୁରେ ଟି-୨୦ ପଦାର୍ପଣ କରି ୩ ୱିକେଟ୍ ଅକ୍ତିଆର କରିଥିଲେ। ତାଙ୍କ ପୂର୍ବରୁ ଜାହିର ଖାନ୍ ୨୦୦୦ ନଭେମ୍ବରରେ ବାଂଲାଦେଶ ବିପକ୍ଷ ପଦାର୍ପଣ ଟେଷ୍ଟ୍ରେ ୩ ୱିକେଟ୍ ଦଖଲ କରିଥିଲା ବେଳେ କେନିଆ ବିପକ୍ଷ ପଦାର୍ପଣ ଦିନିକିଆରେ ୩ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଭାରତର ପ୍ରଥମ ଟି-୨୦ରେ ପଦାର୍ପଣ କରି ୨ ୱିକେଟ୍ ନେଇଥିଲେ। ପୂର୍ବତନ ବାମହାତୀ ଦ୍ରୁତ ବୋଲର ଆଶିଷ ନେହରା ଏବଂ ରୁଦ୍ରପ୍ରତାପ ସିଂହ ଭାରତ ପାଇଁ ତିନିଟିଯାକ ଫର୍ମାଟ୍ରେ ପ୍ରତିନିଧିତ୍ବ କରିଥିଲେ ମଧ୍ୟ କେବଳ ନଟରାଜନ୍ ହିଁ ଜାହିରଙ୍କ କୀର୍ତ୍ତିମାନର ସମକକ୍ଷ ହୋଇପାରିଛନ୍ତି।