ନୂଆଦିଲ୍ଲୀ: ଅଭିନେତ୍ରୀ-ମଡେଲ ନତାଶା ଷ୍ଟାନକୋଭିକ୍ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି। ନତାଶା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲଗା ହେବାର ଚର୍ଚ୍ଚା ଦୀର୍ଘ ଦିନ ଧରି ଚାଲି ଆସୁଥିଲେ ବି ଏହି ଦମ୍ପତି ଏହା ଉପରେ ନୀରବତା ବଜାୟ ରଖିଛନ୍ତି। ସେମାନଙ୍କ ମଧ୍ୟରୁ କେହି ଆନୁଷ୍ଠାନିକ ଭାବେ ଏହି ଖବର ଉପରେ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ନତାଶାଙ୍କ ପୋଷ୍ଟ ଏବେ ପୁଣି କୁହୁଳୁଥିବା ନିଆଁରେ ଘିଅ ଢ଼ାଳିଛି। ଛାଡପତ୍ର ଖବର ମଧ୍ୟରେ ନତାଶା ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ସେ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି। ଅନ୍ୟପକ୍ଷରେ ଭାରତ ଟି-୨୦ବିଶ୍ୱକପ ଜିତିବା ପରେ ବି ସେ କୌଣସି ପୋଷ୍ଟ ସେୟାର କରିନଥିବାରୁ ଦୁହିଁଙ୍କ ମଧ୍ୟରେ କିଛି ଠିକ୍ ନଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ତେବେ ନତାଶା ଇନଷ୍ଟା ଷ୍ଟୋରୀରେ ସେୟାର କରିଥିବା ଭିଡିଓରେ କହିଛନ୍ତି ଯେ, "ମୁଁ କିଛି ଏଭଳି ଜିନିଷ ପଢ଼ିବାକୁ ଅଧିକ ଉତ୍ସାହିତ ଅଛି, ଯାହାକୁ ମୋତେ ଆଜି ଶୁଣିବାର ସବୁଠୁ ଅଧିକ ଆବଶ୍ୟକତା ଅଛି। ସେଥିପାଇଁ ମୁଁ କାରରେ ଯିବା ବେଳେ ମୋ ସହିତ ବାଇବେଲ ଆଣିଥିଲି। କାରଣ ମୁଁ ଆପଣ ସମସ୍ତଙ୍କୁ ଏହା ପଢ଼ାଇବାକୁ ଚାହୁଁଥିଲି। ଏଥିରେ ଲେଖା ଅଛି ଯେ, ଈଶ୍ବର ସର୍ବଦା ତୁମଠୁ ଆଗରେ ଚାଲନ୍ତି ଏବଂ ତୁମ ସହିତ ରହନ୍ତି। ସେ ତୁମକୁ କେବେ ଛାଡିବେ ନାହିଁ। ଭୟ କର ନାହିଁ କିମ୍ବା ନିରାଶ ହୁଅ ନାହିଁ। ଯେତେବେଳେ ବି ଆମେ ଏକ ନିର୍ଦ୍ଦିଷ୍ଟ ପରିସ୍ଥିତି ଦେଇ ଗତି କରୁ, ସେତେବେଳେ ଆମେ ନିରାଶ ହେଉ, ଦୁଃଖୀ ହେଉ ଏବଂ ପ୍ରାୟତଃ ଅନ୍ୟମନସ୍କ ହୋଇଯାଉ। କିନ୍ତୁ ଈଶ୍ବର ଆମ ସହିତ ରହିଥାନ୍ତି। ଆପଣ ବର୍ତ୍ତମାନ ଯାହା ଅନୁଭବ କରୁଛନ୍ତି ତାହା ଦେଖି ସେ ଆଶ୍ଚର୍ଯ୍ୟ ହେବେ ନାହିଁ। କାରଣ ଏହା ତାଙ୍କୁ ପୂର୍ବରୁ ଜଣାଅଛି। ତାଙ୍କ ଯୋଜନା ହିସାବରେ ସବୁ ହେଉଛି।" ନତାଶାଙ୍କ ଏହି ଭିଡିଓ ପରେ ପ୍ରଶଂସକମାନେ ଅନୁଭବ କରୁଛନ୍ତି ଯେ ସେ ତାଙ୍କ ଜୀବନ ବିଷୟରେ କହିଛନ୍ତି।