ଜାତୀୟ ଆଖଡ଼ା: ଓଡ଼ିଶାକୁ ୪ ସ୍ୱର୍ଣ୍ଣ ସହ ୧୨ ପଦକ

ନୂଆଦିଲ୍ଲୀ: ଭାରତୀୟ ଆସି-ତେ-ଡୁ (ଆଖଡ଼ା) ସଂଘ ଆନୁକୂଲ୍ୟରେ ମଧ୍ୟପ୍ରଦେଶର ଜବଲପୁରଠାରେ ଗତ ୨ ତାରିଖରୁ ଆୟୋଜିତ ତିନିଦିନିଆ ଦ୍ୱାଦଶ ଜାତୀୟ ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଛି। ୧୫ ରାଜ୍ୟରୁ ମୋଟ ୫୦୦ ପ୍ରତିଯୋଗୀ ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶା ୪ ସ୍ୱର୍ଣ୍ଣ ସହିତ ମୋଟ ୧୨ ପଦକ ଅକ୍ତିଆର କରିଛି। ସ୍ୱର୍ଣ୍ଣ ବ୍ୟତୀତ ଓଡ଼ିଶାକୁ ୩ ରୌପ୍ୟ ଓ ୫ କାଂସ୍ୟ ପଦକ ମିଳିଛି। ଏଥି ସହିତ ଓଡ଼ିଶା ମଧ୍ୟ ଦଳଗତ ଭାବେ ତୃତୀୟ ସ୍ଥାନ ପାଇଛି। ବରିଷ୍ଠ ବର୍ଗ ପଦସନ୍ତୁଳନରେ ସନ୍ତୋଷ କୁମାର ପାତ୍ର, ଉପନକିଷ୍ଠର ଶିବକଳାରେ ବର୍ଷା ପ୍ରିୟଦର୍ଶିନୀ ବାରିକ, ସତ୍ୟଜିତ୍‌ ନାୟକ ଓ ସନିମା ସୌଭାଗ୍ୟ ସ୍ୱାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା ବେଳେ ଉପକନିଷ୍ଠ ହସ୍ତକଳାରେ ରଶ୍ମିତା ରାଉତ, ବର୍ଷା ପ୍ରିୟଦର୍ଶିନୀ ବାରିକ ଓ ଅଦିତି ରୌପ୍ୟ ଏବଂ କନିଷ୍ଠ ବର୍ଗ ପଦସନ୍ତୁଳନରେ ବିଭୁଦତ୍ତ ସାହୁ, ସିକନ ପାତ୍ର, ଆକାଂକ୍ଷା ପୃଷ୍ଟି, କନିଷ୍ଠ ପଦକଳାରେ ସତ୍ୟଜିତ୍‌ ନାୟକ ଓ ଅଦିତି କାଂସ୍ୟ ପଦକ ହାତେଇଥିଲେ। ଓଡ଼ିଶା ଆସି-ତେ-ଡୋ ସଂଘର ସାଧାରଣ ସଂପାଦକ ସବ୍ୟସାଚୀ ରଥ ମୁଖ୍ୟ ପ୍ରଶିକ୍ଷକ, ଯୁଗଜିତ୍‌ ମହାପାତ୍ର ଓ ନିରଞ୍ଜନ ସ୍ୱାଇଁ ପ୍ରବନ୍ଧକ ଏବଂ ସନ୍ତୋଷ କୁମାର ପାତ୍ର ରେଫରି ଭାବେ ଦଳ ସହ ଜବଲପୁର ଯାଇଥିଲେ। ବୁଧବାର ଉଦ୍‌ଯାପନୀ ଉତ୍ସବରେ ଜବଲପୁର ପୂର୍ବ ବିଧାନସଭା କ୍ଷେତ୍ରର ବିଧାୟକ ଅଞ୍ଚଲ୍‌ ସୋନକରଜୀ, ମଧ୍ୟପ୍ରଦେଶ ଜଳଯୋଗାଣ ବିଭାଗ ମୁଖ୍ୟ ଶ୍ରୀରାମ ଶୁକ୍ଳା, ଭାରତୀୟ ଆଖଡ଼ା ସଂଘର ଅଧ୍ୟକ୍ଷ ଜ୍ଞାନରଞ୍ଜନ ମହାନ୍ତି, ମହାସଚିବ ରାଜେଶ ତଲମାଲେ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଦଳକୁ ପୁରସ୍କୃତ କରିଥିଲେ।

ସମ୍ବନ୍ଧିତ ଖବର