ଭୁବନେଶ୍ୱର: କିଟ୍‌ ବିଶ୍ୱବିଦ୍ୟାଳୟ ଇନ୍‌ଡୋର ହଲରେ ଚାଲିଥିବା ଜାତୀୟ ଓ ଅନ୍ତଃରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ସେମାବାର ଏକାଧିକ କୀର୍ତ୍ତିମାନ ହୋଇଛି। ଏହି କୀର୍ତ୍ତିମାନରେ ଓଡ଼ିଶାର ପୁନିତ କୁମାର ସାହୁ ସାମିଲ ଥିଲେ। ସେ ୯୬ କେଜି କନିଷ୍ଠ ବାଳକ ସ୍ନାଚ୍‌ରେ ୧୬୭‌ କେଜି ଉଠାଇ ନୂଆ କୀର୍ତ୍ତିମାନ କରିଥିଲେ। ହେଲେ ଏହି କୀର୍ତ୍ତିମାନ ବେଶୀ ସମୟ ରହିନଥିଲା। ଏହାକୁ ହରିୟାଣାର ଅମନ (୧୭୬ କେଜି) ଭାଙ୍ଗି ନୂଆ କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ଅମନ ମଧ୍ୟ ମୋଟ୍‌ରେ (୩୦୬ କେଜି) କୀର୍ତ୍ତିମାନ ସହ ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲେ। ମହାରାଷ୍ଟ୍ରର ତେଜାସ ଲୋଖାଣ୍ଡେ (୩୦୫) ରୌପ୍ୟ ଓ ଉତ୍ତରପ୍ରଦେଶର ଅଙ୍କୁଶ କୁମାର (୨୯୯) କାଂସ୍ୟ ଜିତିଥି‌ଲା ‌ବେଳେ ପୁନିତ (୨୮୮) ପଞ୍ଚମ ସ୍ଥାନରେ ଅଭିଯାନ ଶେଷ କରିଥିଲେ। ସେହିଭଳି ୯୬ କେଜି ଯୁବ ପୁରୁଷ ବର୍ଗରେ ପଞ୍ଜାବର ଦିଲ୍‌ବାଗ ସିଂହ ୩ଟି ନୂଆ କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ସ୍ନାଚ୍‌ରେ (୧୨୫ କେଜି), କ୍ଲିନ୍‌ ଓ ଜର୍କରେ (୧୫୮ କେଜି) ଏବଂ ମୋଟ୍‌ରେ (୨୮୩ କେଜି) ଏହି କୀର୍ତ୍ତିମାନ କରିବା ସହ ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲେ। ଏହି ବର୍ଗରେ ଆନ୍ଧ୍ରପ୍ରଦେଶର ଏନ୍‌ ନରସିମା ନାଏକ (୨୬୬) ଓ ଦିଲ୍ଲୀର ଆୟୁଷ ଭରଦ୍ବାଜ (୨୬୫) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ।

Advertisment

୭୬ କେଜି ବରିଷ୍ଠ ମହିଳା ବର୍ଗରେ ଆରଏସ୍‌ପିବିର ପୁନମ ଯାଦବ ସ୍ନାଚ୍‌ରେ ୯୯କେଜି ଉତ୍ତୋଳନ କରି ପୂର୍ବରୁ ନିଜ ନାମରେ ଥିବା ୯୮କେଜିର କୀର୍ତ୍ତିମାନକୁ ଭଙ୍ଗ କରିଥିଲେ। ଏଥିସହିତ କ୍ଲିନ ଆଣ୍ଡ ଜର୍କରେ ୧୧୫ କେଜି ଉତ୍ତୋଳନ ସହ ମୋଟ ୨୧୪ କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହି ବର୍ଗରେ ତାମିଲନାଡୁର ଆର୍‌ ଆରୋଚକିୟା ଅଲିଶ (୨୦୯ କେଜି) ରୌପ୍ୟ ଏବଂ ମଣିପୁରର ଖ ସରଜୁବାଳା ଦେବୀ (୧୯୬ କେଜି) କାଂସ୍ୟ ପଦକ ହାସଲ କରିଥିଲେ। କନିଷ୍ଠ ମହିଳାରେ ହରିୟାଣାର ଜ୍ୟୋତି ଯାଦବ (୧୮୪ କେଜି) ସ୍ୱର୍ଣ୍ଣ, ମହାରାଷ୍ଟ୍ରର ପ୍ରତୀକ୍ଷା କାଦୁ (୧୭୨ କେଜି) ରୌପ୍ୟ ଏବଂ ଆନ୍ଧ୍ରପ୍ରଦେଶର ପି. ଧାତ୍ରୀ (୧୭୧ କେଜି) କାଂସ୍ୟ ଜିତିଥିଲେ। ଯୁବ ମହିଳାରେ ହରିୟାଣାର ଶୀତଲ (୧୪୯ କେଜି) ସ୍ୱର୍ଣ୍ଣ, ପଣ୍ଡିଚେରୀର ଭି ଦେବୀ (୧୪୮ କେଜି) ରୌପ୍ୟ ଏବଂ ଉତ୍ତରପ୍ରଦେଶର ଜ୍ୟୋତି ଯାଦବ (୧୩୯ କେଜି) କାଂସ୍ୟ ପଦକ ପାଇଥିଲେ।