ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ ସନ୍ତରଣାଗାରଠାରେ ରବିବାର ୭୮ତମ ଜାତୀୟ ଜଳକ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ ଦିନରେ ଆୟୋଜକ ଓଡ଼ିଶାକୁ ପଦକ ଭେଟି ଦେଇଛନ୍ତି ସୃଷ୍ଟି ଉପାଧ୍ୟାୟ। ମହିଳା ୧୦୦ ମିଟର ବଟର୍‌ଫ୍ଲାଏକୁ ସେ ୧ ମିନିଟ୍‌ ୦୩.୫୦ ସେକେଣ୍ଡରେ ଶେଷ କରି ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ଜିତିଥିଲେ। ଆର୍‌ଏସ୍‌ପିବିର ଆସ୍ଥା ଚୌଧୁରୀ (୧:୦୩.୫୦) ମଧ୍ୟ ସାମନ ସମୟରେ ରେସ୍‌ ଶେଷ କରି ସୃଷ୍ଟିଙ୍କ ସହ ଯୁଗ୍ମ ବିଜେତା ହୋଇଥିଲେ। କର୍ଣ୍ଣାଟକର ଧୀନିଧୀ ଦେସିଂଘୁ (୧:୦୨.୫୨) କାଂସ୍ୟ ଜିତିଥିଲେ। ମହିଳା ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ରେ ଭାଗ ନେଇଥିବା ଓଡ଼ିଶାର ମନ୍ନତା ମିଶ୍ର (୨:୪୧.୪୩) ଚତୁର୍ଥରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲା ବେଳେ ଦିବ୍ୟଙ୍କା ଦିବ୍ୟଜ୍ୟୋତି ପ୍ରଧାନ (୨:୪୨.୯୮) ଷଷ୍ଠ ସ୍ଥାନରେ ରହିଥିଲେ। ଆର୍‌ସିବିର ହର୍ଷିତା ଜୟରାମ (୨:୩୭.୭୨), କର୍ଣ୍ଣାଟକର ତନୟା ସଦାକ୍ଷରୀ (୨:୩୯.୪୧) ଏବଂ ମହାରାଷ୍ଟ୍ରର ସାନ୍‌ଭୀ ଦେଶୱାଲ (୨:୪୦.୨୪) ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ଜିତିଥିଲେ। 

Advertisment

୧୦୦ ମିଟର ବଟର୍‌ଫ୍ଲାଏରେ ଯୁଗ୍ମବିଜେତା
ରୋହିତଙ୍କ ଜାତୀୟ ରେକର୍ଡ

ପୁରୁଷ ୧୦୦ ମିଟର ବଟର୍‌ଫ୍ଲାଏରେ ତାମିଲନାଡ଼ୁର ବି ବେଦେଡିକ୍ଟନ ରୋହିତ (୫୨.୫୭) ଜାତୀୟ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହି ଇଭେଣ୍ଟ୍‌ରେ ସେ ଅଲିମ୍ପିଆନ୍‌ ସାଜନ ପ୍ରକାଶଙ୍କୁ ପଛରେ ପକାଇବା ସହ ତାଙ୍କ ନାମରେ ଥିବା (୫୩.୨୪)ଜାତୀୟ ରେକର୍ଡକୁ ଟପିଥିଲେ। ପୁଲିସ ବିଭାଗ ପକ୍ଷରୁ ଖେଳୁଥିବା ସାଜନ (୫୩.୫୧) ରୌପ୍ୟରେ ସନ୍ତୁଷ୍ଟ ରହିଥିଲା ବେଳେ ଆର୍‌ଏସ୍‌ପିବିର ବିକ୍ରମ ଚାଙ୍ଗମାଇ (୫୪.୩୫)ଙ୍କୁ କାଂସ୍ୟ ମିଳିଥିଲା। ୪୦୦ ମିଟର ଫ୍ରିଷ୍ଟାଇଲ୍‌ରେ ଦିଲ୍ଲୀର ଭବ୍ୟା ସଚ୍‌ଦେବ, ମହାରାଷ୍ଟ୍ରର ଅଦିତି ସତୀଶ ହେଗ୍‌ଡ଼େ ଓ ତେଲେଙ୍ଗାନା ଭୃତି ଅଗ୍ରୱାଲ ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ଜିତିଥିଲେ। ପୁରୁଷ ୨୦୦ ମିଟର ଫ୍ରିଷ୍ଟାଇଲ୍‌ରେ କର୍ଣ୍ଣାଟକର ଅନୀଶ ଗୌଡ଼ ସ୍ବର୍ଣ୍ଣ, ସାଜନ ପ୍ରକାଶ ରୌପ୍ୟ ଓ ଶୋଆନ ଗାଙ୍ଗୁଲି କାଂସ୍ୟ ପାଇଥିଲେ। ପୁରୁଷ ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ରେ ତାମିଲନାଡ଼ୁର ଧନୁଶ ସୁରେଶ, କର୍ଣ୍ଣାଟକର ମଣିକାନ୍ତ ଏଲ୍‌ ଓ ଏସ୍‌ଏସ୍‌ସିବିର ରାଣା ପ୍ରତାପ ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ କରାୟତ୍ତ କରିଥିଲେ। ପୁରୁଷ ୪ଗୁଣା ୨୦୦ ମିଟର ଫ୍ରିଷ୍ଟାଇଲ୍‌ ରିଲେରେ କର୍ଣ୍ଣାଟକକୁ ‌ସ୍ବର୍ଣ୍ଣ, ମହାରାଷ୍ଟ୍ରକୁ ରୌପ୍ୟ ଓ ଏସ୍‌ଏସ୍‌ସିବିକୁ କାଂସ୍ୟ ମିଳିଥିଲା। 

ପ୍ରଥମ ଦିନ ଖେଳ ଶେଷରେ ଓଡ଼ିଶା ଗୋଟିଏ ସ୍ବର୍ଣ୍ଣ ପାଇ ପଞ୍ଚମରେ ଥିଲା ବେଳେ କର୍ଣ୍ଣାଟକ (୩ ସ୍ବର୍ଣ୍ଣ, ୨ ରୌପ୍ୟ, ୨ କାଂସ୍ୟ) ୭ ପଦକ ସହ ଶୀର୍ଷରେ ରହିଛି। ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭାରତୀୟ ସନ୍ତରଣ ମହାସଂଘ ସଭାପତି ଆର୍‌ଏନ୍‌ ଜୟପ୍ରକାଶ, ଓଡ଼ିଶା ରାଜ୍ୟ ସନ୍ତରଣ ସଂଘ ସମ୍ପାଦକ ଗୋଲାପମଣି ମହାନ୍ତଙ୍କ ସହ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ରାଜ୍ୟ ସଂଘ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହା ପୂର୍ବରୁ ଖେଳାଳିମାନଙ୍କୁ ପ୍ରତ୍ୟାଶା ରାୟ ସତ୍ୟପାଠ କରାଇଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୧୪ (୭ ପୁରୁଷ, ୭ ମହିଳା) ଖେଳାଳି ଭାଗନେଉଛନ୍ତି।