ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ୭୮ତମ ଜାତୀୟ ଜଳକ୍ରୀଡ଼ା ପ୍ରତିଯୋଗିତା ଗୁରୁବାର ଉଦ୍‌ଯାପିତ ହୋଇଛି। ଉଭୟ ପୁରୁଷ ଓ ମହିଳା ସହ ମୋଟ ଉପରେ କର୍ଣ୍ଣାଟକ ବିଜେତା ହେବାର ଗୌରବ ଅର୍ଜନ କରିଛି। ଓଡ଼ିଶା ୬ (୧ ସ୍ବର୍ଣ୍ଣ, ୨ ରୌପ୍ୟ, ୩ କାଂସ୍ୟ) ପଦକ ସହ ସପ୍ତମରେ ଅଭିଯାନ ଶେଷ କରିଛି। କର୍ଣ୍ଣା‌ଟକ ୧୬ ସ୍ବର୍ଣ୍ଣ, ୧୧ ରୌପ୍ୟ ଓ ୧୪ କାଂସ୍ୟ ସହ ୪୧ ପଦକ ପାଇଛି। କର୍ଣ୍ଣାଟକର ଦୁଇ ଖେଳାଳି ସୋଆନ ଗାଙ୍ଗୁଲି ଓ ଧୀନିଧୀ ଦେସିଙ୍ଘୁ ୨ଟି ଲେଖାଏଁ ଜାତୀୟ କୀର୍ତ୍ତିମାନ କରିବା ସହ ଯଥାକ୍ରମେ ପୁରୁଷ ଓ ମହିଳା ବର୍ଗରେ ଶ୍ରେଷ୍ଠ ସ୍ବିମର୍‌ ହୋଇଛନ୍ତି। ଏହି ୫ ଦିନିଆ ପ୍ରତିଯୋଗିତାରେ ୧୪ ଜାତୀୟ କୀର୍ତ୍ତିମାନ ଦେଖିବାକୁ ମିଳିଛି।

Advertisment

ଶେଷ ଦିନରେ ମନ୍ନତାଙ୍କୁ ରୌପ୍ୟ, ପ୍ରତ୍ୟାଶାଙ୍କୁ କାଂସ୍ୟ
ସୋଆନ୍‌, ଧୀନିଧୀ ଶ୍ରେଷ୍ଠ ସ୍ବିମର୍‌, ୧୪ ନୂଆ ଜାତୀୟ କୀର୍ତ୍ତିମାନ

ଶେଷ ଦିନରେ ଓଡ଼ିଶାକୁ ୨ ପଦକ ଭେଟି ଦେଇଥିଲେ ମନ୍ନତା ମିଶ୍ର ଓ ପ୍ରତ୍ୟାଶା ରାୟ। ମନ୍ନତା ରୌପ୍ୟ ଓ ପ୍ରତ୍ୟାଶା କାଂସ୍ୟ ପାଇଥିଲେ। ମହିଳା ୧୦୦ ମିଟର ବ୍ରେଷ୍ଟ୍‌ଷ୍ଟ୍ରୋକ୍‌ରେ ମନ୍ନତା (୧:୧୫.୫୭) ଦ୍ବିତୀୟରେ ରହିଥିଲେ। ଏହି ସମାନ ସମୟରେ ରେସ୍‌ ଶେ‌ଷ କରିଥିବା ମହାରାଷ୍ଟ୍ରର ସାନ୍‌ଭୀ ଦେଶୱାଲଙ୍କ ସହ ମନ୍ନତା ଯୁଗ୍ମ ଭାବେ ରୌପ୍ୟ ବିଜୟିନୀ ହୋଇଥିଲେ। ଆର୍‌ଏସ୍‌ପିବିର ହର୍ଷିତା ଜୟରାମ (୧:୧୩.୨୪) ସ୍ବର୍ଣ୍ଣ ପାଇଥିଲେ। ଦିବ୍ୟଙ୍କା ଦିବ୍ୟଜ୍ୟୋତି ପ୍ରଧାନ (୧:୧୫.୭୨) ଚତୁର୍ଥରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ପ୍ରତ୍ୟାଶା (୧:୦୫.୬୪) ତୃତୀୟ ସ୍ଥାନରେ ରହିଥିଲା ବେଳେ କର୍ଣ୍ଣାଟକର ବିହିତା ନୟନା ଲୋଗନାଥନ (୧:୦୫.୧୮) ସ୍ବର୍ଣ୍ଣ ଏବଂ ବେଙ୍ଗଲର ସୌବ୍ରିତି ମଣ୍ଡଲ (୧:୦୫.୧୯) ରୌପ୍ୟ ଜିତିଥିଲେ। ଶେଷ ଦିନରେ ଗୋଟିଏ ଜାତୀୟ କୀର୍ତ୍ତିମାନ ହୋଇଥିଲା। ପୁରୁଷ ୪୦୦ ମିଟର ମିଡ୍‌ଲେରେ ଅର୍ଯ୍ୟନ ନେହେରା (୪:୨୫.୬୨)ଙ୍କ ନାମରେ ଥିବା ଜାତୀୟ କୀର୍ତ୍ତିମାନକୁ କର୍ଣ୍ଣାଟକର ସୋଆନ ଗାଙ୍ଗୁଲି (୪:୨୪.୬୪) ଭାଙ୍ଗିଥିଲେ। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ ଓଡ଼ିଶାର ୭ ଲେଖାଏଁ ପୁରୁଷ ଓ ମହିଳା ଖେଳାଳି ଭାଗନେଇଥିଲେ। ପୁରୁଷ ଖେଳାଳି ବିଫଳ ‌ହୋଇଥିଲା ମହିଳା ଖେଳାଳି ଓଡ଼ିଶା ପାଇଁ ସମସ୍ତ ପଦକ ଜିତିଥିଲେ।

ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଫିନା ବ୍ୟୁରୋ ସଦସ୍ୟ ତଥା ଏସୀୟ ଆକ୍ବ‌ାଟିକ୍‌ ଫେଡେରେସନ୍‌ ସଭାପତି ବୀରେନ୍ଦ୍ର ନାନାବତୀ, କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦେଶକ ଦୀପଙ୍କର ମହାପାତ୍ର, ଯୁଗ୍ମସଚିବ ସୋନାଲି ଚାନ୍ଦ, ଅମିତ କୁମାର ନାଏକ, ଓଏସ୍‌ଡି ଧୀରାଜ କୁମାର ପଟ୍ଟନାୟକ, ଭାରତୀୟ ସନ୍ତରଣ ମହାସଂଘ ସମ୍ପାଦକ ମୋନାଲ ଚୋକ୍‌ସି ଏବଂ ଉପସଭାପତି ବଳଦେବ ରାଜ ପ୍ରମୁଖ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।