ଜାତୀୟ ଦୌଡ଼କୁଦ: ଦୂତିଙ୍କୁ ୨୦୦ ମିଟର ରୌପ୍ୟ

ଏସୀୟ କ୍ରୀଡ଼ା ଯୋଗ୍ୟତାରୁ ଶ୍ରାବଣୀ ବଞ୍ଚିତ, ୨୦୦ ମିଟରରୁ ଅମୀୟ ଓହରିଲେ; ଆଜି ୧୦୦ ମିଟରରେ ଭାଗ୍ୟ ପରୀକ୍ଷା

କଟକ: ମଙ୍ଗଳବାର ୨୦୦ ମିଟର ହିଟ୍ସ ପରେ ଦୂତି ଚାନ୍ଦ ପୁଣି ଥରେ ତାଙ୍କ ସମୟକୁ ଅତିକ୍ରମ କରି ଏସୀୟ ଯୋଗ୍ୟତା ବଜାୟ ରଖିଛନ୍ତି। ୨୦୦ ମିଟରରେ ଏସୀୟ ଯୋଗ୍ୟତା ପାଇଁ ୨୩.୫୦ ସେକେଣ୍ଡ ସମୟ ଧାର୍ଯ୍ୟ ହୋଇଥିଲା ବେଳେ ବୁଧବାର ଫାଇନାଲ୍‌ରେ ଦୂତି ୨୩.୪୧ ସେକେଣ୍ଡ ସମୟ ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଫଳରେ ୨୦୦ ମିଟରରେ ଦୂତି ରୌପ୍ୟ ପଦକ ପାଇଥିଲେ। ମଙ୍ଗଳବାର ହିଟ୍ସରେ ସେ ୨୩.୪୬ ସେକେଣ୍ଡ ସମୟ ସହ ଇଞ୍ଚିଅନ୍‌ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିଲେ। ତେବେ ଅନ୍ୟତମ ଓଡ଼ିଆ ଝିଅ ଶ୍ରାବଣୀ ନନ୍ଦ ପୁଣି ଥରେ ନିରାଶ କରିଛନ୍ତି। ଯଦିଓ ତାଙ୍କ ସମୟରେ ଉନ୍ନତି ଆଣି ଫାଇନାଲ୍‌ରେ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ହାତେଇଥିଲେ, ହେଲେ ଏସୀୟ ଯୋଗ୍ୟତା ହାସଲରୁ ବଞ୍ଚିତ ହୋଇଥିଲେ। ସେ ୨୩.୮୭ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନ ଅଧିକାର କରିଥିଲେ। ମଙ୍ଗଳବାର ହିଟ୍ସରେ ଶ୍ରାବଣୀ ୨୪.୦୪ ସେକେଣ୍ଡ ସମୟ ନେଇ ଫାଇନାଲ୍‌କୁ ଉନ୍ନୀତ ହୋଇଥିଲେ। ଆସାମର ହିମା ଦାସ ୨୩.୧୦ ସେକେଣ୍ଡ ସହ ପ୍ରଥମ ସ୍ଥାନରେ ରହିଥିଲେ। ଏଥିସହିତ ହୀନା ଓଡ଼ିଶାର ରତିତା ମିସ୍ତ୍ରୀଙ୍କ କୀର୍ତ୍ତିମାନର ସମକକ୍ଷ ହୋଇପାରିଛନ୍ତି। ୨୦୦୦ ମସିହାରେ ରଚିତା ଏହି ଜାତୀୟ କୀର୍ତ୍ତିମାନ କରିଥିଲେ। ଅନ୍ୟପକ୍ଷରେ ପୁରୁଷ ୨୦୦ ମିଟର ଦୌଡ଼ରୁ ଓଡ଼ିଆ ପୁଅ ଅମୀୟ ମଲ୍ଲିକ ଓହରି ଯାଇଛନ୍ତି। ୧୦୦ ମିଟର ଦୌଡ଼ ଉପରେ ଅଧିକ ଧ୍ୟାନ ଦେବା ପାଇଁ ସେ ଏହି ଇଭେଣ୍ଟରୁ ଓହରି ଯାଇଥିବା ଜଣାପଡ଼ିଛି। ୮୦୦ ମିଟର ଦୌଡ଼ରେ କୁନା ମାରାଣ୍ଡୀ ଯୋଗ୍ୟତା ଅର୍ଜନ କରିପାରି ନଥିଲାବେଳେ ମଙ୍ଗଳବାର ମହିଳା ଡିସ୍‌କସ୍‌ରେ ପାର୍ବତୀ ସେଠୀ ୪୨.୩୨ ମିଟର ସହ ସପ୍ତମ ସ୍ଥାନରେ ରହିଥିଲେ। ଗୁରୁବାର ତୃତୀୟ ଦିନ ଦୂତି, ଅମୀୟ ଓ ଶ୍ରାବଣୀ ୧୦୦ ମିଟର ପାଇଁ ଦୌଡ଼ିବେ। ସେହିପରି ଜଉନା ମୁର୍ମୁ ୪୦୦ ମିଟର ଦୌଡ଼ରେ ଅଂଶଗ୍ରହଣ କରୁଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର