ଜାତୀୟ ଦୌଡ଼କୁଦ: ଦୂତି, ଅମିୟ, ଜଉନାଙ୍କୁ ଉଚ୍ଛ୍ବସିତ ସମ୍ବର୍ଧନା

ସମାଲୋଚନା ମୋତେ ସଫଳତା ଦିଏ: ଦୂତି

ଭୁବନେଶ୍ବର: ଜାତୀୟ ଦୌଡ଼କୁଦରେ ସ୍ବର୍ଣ୍ଣିମ ସଫଳତା ପାଇଥିବା ଓଡ଼ିଶାର ୩ ପ୍ରତିଭାମାନ କ୍ରୀଡ଼ାବିତ୍‌ ଦୂତି ଚାନ୍ଦ, ଅମିୟ ମଲ୍ଲିକ ଏବଂ ଜଉନା ମୁର୍ମୁଙ୍କୁ ଶନିବାର ଗୋଟିଏ ମଞ୍ଚରେ ଏକାଠି ଦେଖିବାକୁ ମିଳିଥିଲା। ଦେଶ ଓ ରାଜ୍ୟର ଗୌରବ ଆଣିଥିବା ଏହି କିଟ୍ ବିଶ୍ବବିଦ୍ୟାଳୟ ଗୌରବଙ୍କୁ ସମ୍ବର୍ଧିତ କରିଥିଲେ ଏହାର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ। କିଟ୍ ଓ କିସ୍‍ର କର୍ମକର୍ତ୍ତା ଓ ଛାତ୍ରଛାତ୍ରୀଙ୍କ ଗହଣରେ ଏମାନଙ୍କୁ ସମ୍ବର୍ଧିତ କରାଯାଇଥିଲା। ଦୂତିଙ୍କ ଖ୍ୟାତି ବିଶ୍ବବିଦିତ ହୋଇଗଲାଣି, ତଥାପି ତାଙ୍କ ପାଇଁ ଦେଶ ଆଗ ଏବଂ ରାଜ୍ୟ ଓ କିଟ୍‌ ପଛ। ସେ ସଫଳତା ପାଇଲେ ଦେଶ ଗର୍ବିତ ହେବ ଏବଂ ସେହି ପାଣି ବୋହି ଆସିଲେ ଓଡ଼ିଶା ଓ କିଟ୍‌ ବି ଗୌରବାନ୍ବିତ ହେଉଛି ବୋଲି କହିଥିଲେ ଲୋକସଭା ସାଂସଦ ଶ୍ରୀ ସାମନ୍ତ। ପ୍ରତିକୂଳ ପରିସ୍ଥିତିରେ ବଢ଼ି ଏମାନେ ସଫଳ ହୋଇଛନ୍ତି। ଏବେ ସବୁ ସୁବିଧା ସୁଯୋଗ ମଧ୍ୟରେ ତାଙ୍କୁ ଅନୁସରଣ କର ବୋଲି ଶ୍ରୀ ସାମନ୍ତ ଉପସ୍ଥିତ ଯୁବ ପ୍ରତିଭାଙ୍କୁ ପରାମର୍ଶ ଦେଇଥିଲେ। ନିକଟରେ ଝାଡ଼ଖଣ୍ଡର ରାଞ୍ଚିରେ ଅନୁଷ୍ଠିତ ୫୯ତମ ଜାତୀୟ‌ ଓପନ୍ ଦୌଡ଼କୁଦରେ ଦୂତି ୧୦୦ ମିଟର ଦୌଡ଼ରେ ନୂଆ କୀର୍ତ୍ତିମାନ ସହିତ ଯୁଗଳ (୧୦୦ ଓ ୨୦୦ ମିଟର୍ ସ୍ବର୍ଣ୍ଣ) ସଫଳତା ପାଇଥିଲେ। ସେହିଭଳି ପୁରୁଷ ୧୦୦ ମିଟରେ ଅମିୟ ଏବଂ ମହିଳା ୪୦୦ ମିଟର୍ ବାଧାଦୌଡ଼ରେ ଜଉନା ମଧ୍ୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହି କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟର ଉପ କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ଓ କ୍ରୀଡ଼ା ନିର୍ଦ୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସମାଲୋଚନା ମୋତେ ସଫଳତା ଦିଏ: ଦୂତି
ଭୁବନେଶ୍ବର: ମୋତେ କେହି ସମାଲୋଚନା କଲେ ମୋ ରାଗ ବଢ଼ିଯାଏ। ମୁଁ ଅଧିକ ପରିଶ୍ରମ କରେ ଏବଂ ସଫଳତା ପାଏ। ସେଥି ପାଇଁ ମୋତେ ସମାଲୋଚନା କରୁଥିବା ବ୍ୟକ୍ତିମାନଙ୍କୁ ଧନ୍ୟବାଦ ଜଣାଉଛି ବୋଲି କହିଛନ୍ତି ଜାତୀୟ କୀର୍ତ୍ତିମାନଧାରୀ ଦେଶର‌ ଦ୍ରୁତତମ ଧାବିକା ଦୂତି ଚାନ୍ଦ। ନିକଟରେ ମୋତେ ବହୁ ସମାଲୋଚନା କରାଯାଇଥିଲା। ଫଳରେ ମୁଁ ଭଲ ପରିଶ୍ରମ କରି ରାଞ୍ଚିରେ ରେକର୍ଡ ସହିତ ୨ ଜାତୀୟ ସ୍ବର୍ଣ୍ଣ ପଦକ ଜିତିଛି। ଘରୋଇ ଋତୁ ଶେଷ ହୋଇଛି। ଏବେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ ଏକମାତ୍ର ଲକ୍ଷ୍ୟ ବୋଲି କହିଛନ୍ତି ଦୂତି ଚାନ୍ଦ। ଆସନ୍ତା ବର୍ଷର ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଲାଗି ୧୧.୧୫ ସେକେଣ୍ଡକୁ ମାନଦଣ୍ଡ ରଖାଯାଇଛି। ମୁଁ ୧୧.୨୨ ସେକେଣ୍ଡ କରି ସାରିଥିବାରୁ ଆଶା ବଢ଼ିଛି। ମୁଁ କିନ୍ତୁ ୧୧.୧୦ ସେକେଣ୍ଡ୍ ଟାଇମିଂ ଟାର୍ଗେଟରେ ଅଭ୍ୟାସ କରୁଛି ବୋଲି ଦୂତି ଦୃଢ଼ତାର ସହ କହିଛନ୍ତି। ୨୦୧୬ ରିଓ ଅଲିମ୍ପିକ୍ସ ପୂର୍ବରୁ ଦୂତି ୧୧.୨୪ ସେକେଣ୍ଡ୍ ଜାତୀୟ କୀର୍ତ୍ତିମାନ ସହ ଯୋଗ୍ୟତା ଅର୍ଜନ କରିଥିଲେ। ୨୦୧୮ରେ ଜାକର୍ତା ଏସୀୟ କ୍ରୀଡ଼ାରେ ୨ ରୌପ୍ୟ ପଦକ ଏବଂ ୨୦୧୯ରେ ଇଟାଲିର ନାପୋଲିରେ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ମୋ ଆତ୍ମବିଶ୍ବାସକୁ ଉଚ୍ଚରେ ରଖିଛି ବୋଲି ଦୂତି କହିଛନ୍ତି। ସମଲିଙ୍ଗୀ ସମ୍ପର୍କକୁ ସ୍ବୀକାର କରି ଦେଶର ପ୍ରଥମ କ୍ରୀଡ଼ାବିତ୍ ହେବାର ଅନୁଭବ ନିଶ୍ଚିତ ତିକ୍ତତା ଆଣିଥିଲା। ମୋତେ ପରିବାର ଲୋକ ଏବଂ ସହ‌ଯୋଗୀମାନେ ସମାଲୋଚନା କରିଥିଲେ। କିନ୍ତୁ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟକୁ ଜାଣିବା ପରେ ଏବେ ସମସ୍ତେ ବୁଝିଗଲେଣି। ଗାଁରେ ବି ଆଉ କେହି ପ୍ରଶ୍ନ କରୁନାହାନ୍ତି, ସବୁ ଠିକ୍ ଠାକ୍ ଚାଲିଛି ଓ ସ୍ଥିତି ସ୍ବାଭାବିକ ହୋଇଗଲାଣି ବୋଲି ଦୂତି ପ୍ରକାଶ କରିଥିଲେ। ଶନିବାର କିଟ୍‌ର ସମ୍ବର୍ଧନା ସଭା ପରେ ଦୂତି ମୁମ୍ବାଇ ଅଭିମୁଖେ ବାହାରିଯାଇଥିଲେ। ଅମିତାଭ ବଚ୍ଚନଙ୍କ ସଂଚାଳିତ ଟିଭି କାର୍ଯ୍ୟକ୍ରମ କେବିସି (କୋନ୍‌ ବନେଗା କୋରଡ଼ପତି)ରେ ସେ ଭାଗନେବେ ବୋଲି ଦୂତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର