ଭୁବନେଶ୍ବର: ଅଷ୍ଟାଦଶ ଜାତୀୟ ଦୃଷ୍ଟିବାଧିତ ଚେସ୍ର ପଞ୍ଚମ ରାଉଣ୍ଡ୍ରେ ଶୁକ୍ରବାର ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ୮ଥର ଜାତୀୟ ବିଜେତା ତଥା ଟପ୍ ସିଡ୍ କର୍ଣ୍ଣାଟକର କିଶନ ଗାଙ୍ଗୁଲିଙ୍କୁ ଦ୍ବିତୀୟ ସିଡ୍ ମହାରାଷ୍ଟ୍ରର ଆର୍ଯ୍ୟନ ଯୋଶୀ ପରାସ୍ତ କରିଛନ୍ତି। ୫୬ ମ୍ୟାଚ୍ ପରେ କିଶନଙ୍କର ଏହା ପ୍ରଥମ ପରାଜୟ ଥିଲା। ତେବେ କିଶନ ଷଷ୍ଠ ରାଉଣ୍ଡରେ ରୋହିତ ଆତ୍ମାରାମ ଯାଦବଙ୍କୁ ହରାଇ ବିଜୟଧାରାକୁ ଫେରିଛନ୍ତି। ଦର୍ପଣ ଈରାନୀ (୫.୫) ଶୀର୍ଷରେ ରହିଥିଲା ବେଳେ ଆର୍ଯ୍ୟନ ଓ କିଶନ (ସମାନ ୫) ଦ୍ବିତୀୟ ଓ ତୃତୀୟରେ ରହିଛନ୍ତି। ପ୍ରାଚୁର୍ଯ୍ୟ କୁମାର ପ୍ରଧାନ (୪.୫) ଓ ସୌନ୍ଦର୍ଯ୍ୟ କୁମାର ପ୍ରଧାନ (୪) ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ଅଛନ୍ତି। ପଞ୍ଚମ ରାଉଣ୍ଡରେ ନିଜ ନିଜ ମ୍ୟାଚ୍ ଜିତିଥିଲେ ଏହି ଦୁଇ ଓଡ଼ିଆ ଖେଳାଳି। ଷଷ୍ଠ ରାଉଣ୍ଡରେ ପ୍ରାଚୁର୍ଯ୍ୟ ମ୍ୟାଚ୍ ଅମୀମାଂସିତ ରଖିଥିଲା ବେଳେ ସୌନ୍ଦର୍ଯ୍ୟ ହାରିଯାଇଥିଲେ। ଅନ୍ୟ ଓଡ଼ିଶା ଖେଳାଳି ଶୁଭେନ୍ଦୁ କୁମାର ପାତ୍ର (୩.୫) ଓ ଦୀପକ କୁମାର ଭୋଇ (୨) ନିଜ ନିଜ ଷଷ୍ଠ ରାଉଣ୍ଡ ଜିତିଛନ୍ତି।
ଶୁକ୍ରବାର ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ ଗୁରୁ ଚନ୍ଦ୍ରଭାନୁ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୌନ୍ଦର୍ଯ୍ୟ, ପ୍ରାଚୁର୍ଯ୍ୟ, ଆଇଏମ୍ ସ୍ବୟଂଶୁ ସତ୍ୟପ୍ରଜ୍ଞ, କିଶନ ଗାଙ୍ଗୁଲି, ଦର୍ପଣ ଈରାନୀ, ସ୍ବପ୍ନିଳ ଏସ୍, ଆର୍ଯ୍ୟନ ଯୋଶୀଙ୍କ ଭଳି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଜାତୀୟ ଦୃଷ୍ଟି ବାଧିତ ଚେସ୍ ଆମ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସାଇ ଇଣ୍ଟରନ୍ୟାସନାଲ ଶିକ୍ଷାନୁଷ୍ଠାନ ସମୂହର ଅଧ୍ୟକ୍ଷା ଶିଳ୍ପୀ ସାହୁ କହିଥିଲେ। ପ୍ରତିଯୋଗିତାର ଆର୍ବିଟର୍ କେଶବ ରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ଏସ୍ଆଇଆର୍ଏସ୍ରେ ‘ଇକ୍ବେଷ୍ଟ୍ରିଆନ୍ ସ୍ପୋର୍ଟସ୍’ ସୁବିଧା
ସାଇ ଇଣ୍ଟରନ୍ୟାସନାଲ ଆବାସିକ ବିଦ୍ୟାଳୟ (ଏସ୍ଆଇଆର୍ଏସ୍)ରେ ଆସନ୍ତା ବର୍ଷଠାରୁ ଇକ୍ବେଷ୍ଟ୍ରିଆନ୍ ସ୍ପୋର୍ଟସ ବା ଅଶ୍ବଚାଳନାର ବିଭିନ୍ନ କଳା କୌଶଳ ଶିଖିବା ଲାଗି ସ୍ବତନ୍ତ୍ର ପ୍ରଶିକ୍ଷଣ ସୁବିଧା ମିଳିବ। ଏଥିଲାଗି ଭିତ୍ତିଭୂମି ତିଆରି ଆପାତତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବୈଷୟିକ ଦିଗଗୁଡ଼ିକର ତର୍ଜମା ଚାଲିଛି। ମାରୱାଡ଼ି ପ୍ରଜାତିର ଚାରିଟି ଘୋଡ଼ା ସ୍କୁଲ୍ରେ ଥିଲା ବେଳେ ଆବଶ୍ୟକତା ଅନୁଯାୟୀ ଆଉ କିଛି ଘୋଡ଼ା ଆଣିବାକୁ ଯୋଜନା ଚାଲିଛି। ଏହି ଯୋଜନା ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ବିଦ୍ୟାର୍ଥୀମାନଙ୍କୁ ସ୍କୁଲସ୍ତରରେ ଅଶ୍ବଚାଳନା ଭଳି ଇକ୍ବେଷ୍ଟ୍ରିଆନ୍ ଖେଳରେ ସମନ୍ବିତ ପ୍ରଶିକ୍ଷଣ ଦେବାରେ ଏସ୍ଆଇଆର୍ଏସ୍ ସମ୍ଭବତଃ ପୂର୍ବ ଭାରତର ପ୍ରଥମ ସ୍କୁଲ୍ ହେବ। ସେହିଭଳି ଏଠାରେ ପିକଲବଲ୍ ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା ରହିଥିଲା ବେଳେ ସ୍ପୋର୍ଟ କ୍ଲାଇମ୍ବିଂ, ଟେବୁଲ ଟେନିସ୍, ବ୍ୟାଡମିଣ୍ଟନ୍, କ୍ରିକେଟ୍, ଫୁଟ୍ବଲ୍, ସନ୍ତରଣ ଆଦି ଖେଳକୁ ପ୍ରୋତ୍ସାହିତ କରାଯାଉଛି। ଅନ୍ତର୍ଜାତୀୟ ସନ୍ତରଣ ତାରକା ମନ୍ନତା ମିଶ୍ରଙ୍କ ଭଳି ଖେଳାଳି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ରେ ପଢ଼ୁଥିବା କ୍ରୀଡ଼ା ତାରକାଙ୍କ ଲମ୍ବା ତାଲିକାକୁ ଆହୁରି ସମୃଦ୍ଧ କରିଛନ୍ତି। ଅଦିତି ତୋଡ଼ି ଜିମ୍ନାଷ୍ଟିକ୍ସରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।
ଆଗାମୀ ସମୟରେ ପାଠ ସହ କ୍ରୀଡ଼ାର ସନ୍ତୁଳନ ରକ୍ଷା କରି ଓଡ଼ିଶାକୁ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ରାଜ୍ୟରେ ପରିଣତ କରିବାକୁ ବିଭିନ୍ନ ଯୋଜନା ହାତକୁ ନେବାକୁ ଯାଉଛୁ’’ ଶୁକ୍ରବାର ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ଭିତ୍ତିକ କାର୍ଯ୍ୟକ୍ରମ ଅବସରରେ ସାଇ ଇଣ୍ଟରନ୍ୟାସନାଲ୍ ଶିକ୍ଷାନୁଷ୍ଠାନ ସମୂହର ଅଧ୍ୟକ୍ଷା ଶିଳ୍ପୀ ସାହୁ ଏହା କହିଛନ୍ତି। ଜାତୀୟ ଶିକ୍ଷା ନୀତି-୨୦୨୦କୁ ଶ୍ରୀମତୀ ସାହୁ ସ୍ବାଗତ କରିଥିଲା ବେଳେ ପିଲାମାନଙ୍କୁ ଆଜିକାର ପ୍ରତିଦ୍ବନ୍ଦ୍ବିତାମୂଳକ ପରିବେଶରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ସେହିଭଳି କେବଳ ପାଠ ପରିବର୍ତ୍ତେ ପିଲାଙ୍କ ସମଗ୍ର ବିକାଶ ଲାଗି ଖେଳକୁଦକୁ ମଧ୍ୟ ଅଗ୍ରାଧିକାର ଦେବାକୁ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆହ୍ବାନ କରିଛନ୍ତି। ଜାତୀୟ ଦୃଷ୍ଟିବାଧିତ ଚେସ୍ ପ୍ରତିଯୋଗିତା ଆୟୋଜନକୁ ବିଦ୍ୟାଳୟର କ୍ରୀଡ଼ା କ୍ୟାଲେଣ୍ଡରରେ ସାମିଲ କରିବାକୁ ଆଲୋଚନା ଚାଲିଛି। ସେହିଭଳି ଓଡ଼ିଶା ଏଫ୍ସିର କନିଷ୍ଠ ଦଳ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍ରେ ଅଭ୍ୟାସ କରିବା ସହ ସେମାନଙ୍କ ଦକ୍ଷ ପ୍ରଶିକ୍ଷକ ପିଲାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। କେବଳ ବିଦ୍ୟାଳୟ ନୁହେଁ, ବାହାର ପିଲାଙ୍କୁ ମଧ୍ୟ ଏସ୍ଆଇଆର୍ଏସ୍ରେ କ୍ରୀଡ଼ା ପ୍ରଶିକ୍ଷଣ ନେବାର ସୁଯୋଗ ମିଳୁଛି ବୋଲି ମତ ଦେବା ସହ ଆଗାମୀ ସମୟରେ ଏକ ଗୋଶାଳା ଖୋଲିବାକୁ ଚିନ୍ତା କରୁଥିବା ସୂଚନା ଦେଇଛନ୍ତି ସେ।