ଭୁବନେଶ୍ବର: କଟକସ୍ଥିତ ସାଇ ଇଣ୍ଟର୍ନ୍ୟାସନାଲ୍ ରେସିଡେନ୍ସିଆଲ୍ ସ୍କୁଲ୍ଠାରେ ଚାଲିଥିବା ଅଷ୍ଟାଦଶ ଏଆଇସିଏଫ୍ବି ଜାତୀୟ ଦୃଷ୍ଟିବାଧିତ ଚେସ୍ ପ୍ରତିଯୋଗିତାର ଚତୁର୍ଥ ରାଉଣ୍ଡ ସୁଦ୍ଧା ଓଡ଼ିଶାର ସୌନ୍ଦର୍ଯ୍ୟ କୁମାର ପ୍ରଧାନ (୩ ପଏଣ୍ଟ୍) ପଞ୍ଚମ ସ୍ଥାନରେ ରହିଛନ୍ତି। ପ୍ରଥମରୁ ତୃତୀୟ ରାଉଣ୍ଡ ପର୍ଯ୍ୟନ୍ତ ଲଗାତାର ବିଜୟୀ ହୋଇଥିବା ସୌନ୍ଦର୍ଯ୍ୟ ଚତୁର୍ଥ ରାଉଣ୍ଡରେ କିନ୍ତୁ କର୍ଣ୍ଣାଟକର କିଶନ ଗାଙ୍ଗୁଲିଠୁ ହାରି ଯାଇଛନ୍ତି। ତାଙ୍କୁ ହରାଇ କିଶନ (୪)ଶୀର୍ଷରେ ରହିଛନ୍ତି। ତୃତୀୟ ରାଉଣ୍ଡରେ ସୌନ୍ଦର୍ଯ୍ୟ କର୍ଣ୍ଣାଟକର କ୍ରିଷନ ଉଡ଼ୁପାଙ୍କୁ ହରାଇଥିଲେ।
ସେହିଭଳି ପ୍ରଥମ ରାଉଣ୍ଡରେ ଦିଲ୍ଲୀର ଅରୁଣ କୁମାର ଏବଂ ଦ୍ବିତୀୟରେ ତାମିଲନାଡ଼ୁର ଆର୍ ଗୋପୀଙ୍କୁ ପରାସ୍ତ କରିଥିଲେ। ଅନ୍ୟପକ୍ଷରେ ତୃତୀୟ ରାଉଣ୍ଡରେ ଗୁଜରାଟର ଦର୍ପଣ ଇନାନିଙ୍କଠୁ ହାରିଥିବା ଓଡ଼ିଶାର ପ୍ରାଚ୍ୟୁର୍ଯ୍ୟ କୁମାର ପ୍ରଧାନ (୩) ଚତୁର୍ଥ ରାଉଣ୍ଡରେ ହରିୟାଣାର ରାକେଶ ନରୱାଲ୍ଙ୍କୁ ହରାଇ ଦଶମ ସ୍ଥାନରେ ରହିଛନ୍ତି। ଅନ୍ୟ ଜଣେ ଓଡ଼ିଶା ଖେଳାଳି ଶୁଭେନ୍ଦୁ କୁମାର ପାତ୍ର (୨.୫) ବିଂଶତମ ସ୍ଥାନରେ ରହିଛନ୍ତି। କିଶନଙ୍କ ପଛକୁ ଗୁଜରାଟର ଦର୍ପଣ ଇନାନି, ମହାରାଷ୍ଟ୍ରର ଆର୍ଯ୍ୟନ ଯୋଶୀ ଓ ଦିଲ୍ଲୀର ସୋମେନ୍ଦର ବିଏଲ୍ ୩.୫ ପଏଣ୍ଟ୍ ଲେଖାଏଁ ପାଇ ଯଥାକ୍ରମେ ଦ୍ବିତୀୟରୁ ଚତୁର୍ଥରେ ରହିଛନ୍ତି। ଗତକାଲି ଗୋଟି ଚାଳନା କରି ହକି ଅଲିମ୍ପିଆନ୍ ଲାଜରୁସ ବାର୍ଲା ପ୍ରଥମ ରାଉଣ୍ଡକୁ ଏବଂ ସାଇ ଇଣ୍ଟରନ୍ୟାସନାଲ୍ର ସିଇଓ ଅରବିନ୍ଦ ଦାସ ଦ୍ବିତୀୟ ରାଉଣ୍ଡକୁ ଆରମ୍ଭ କରିଥିଲେ। ଆଜି ତୃତୀୟ ରାଉଣ୍ଡକୁ ଆଇଆର୍ଏସ୍ ଦିଲୀପ ରାଉତ ଏବଂ ଚତୁର୍ଥ ରାଉଣ୍ଡକୁ ନିଖିଳ ଓଡ଼ିଶା ଚେସ୍ ସଂଘ ସଭାପତି ସତ୍ୟରଂଜନ ପଟ୍ଟନାୟକ ଆରମ୍ଭ କରିଛନ୍ତି। ୯ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ୧୫ ରାଜ୍ୟ ଓ ୫ କେନ୍ଦ୍ରଶାସିତ ଅଞ୍ଚଳରୁ ୫୨ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ଏହି ପ୍ରତିଯୋଗିତା ୬ ତାରିଖରେ ଉଦ୍ଯାପିତ ହେବ।