ପଦ୍ମପୁର: ମହାରାଷ୍ଟ୍ରର ପୁନେ ଠାରେ ଅନୁଷ୍ଠିତ ପଂଚଦଶ ଜାତୀୟ ଦୃଷ୍ଟିହୀନ ଚେସ୍ ପ୍ରତିଯୋଗିତାରେ ଓଡ଼ିଶାର ସୌନ୍ଦର୍ଯ୍ୟ ପ୍ରଧାନ ମୋଟ ୯ ରାଉଣ୍ଡରୁ ୭.୫ ପଏଣ୍ଟ ପାଇ ବିଜେତା ଟ୍ରଫି ଲାଭ କରିଛନ୍ତି। ତାଙ୍କ ପଛକୁ କର୍ଣ୍ଣାଟକର କିଶନ ଗାଂଗୁଲି ୭ ପଏଣ୍ଟ, ମହାରାଷ୍ଟ୍ରର ସ୍ୱପ୍ନିଲ ଶାହ, ତାମିଲନାଡୁର ମରିମୁଥୁ ଓ ଦିଲ୍ଲୀର ସୋମେନ୍ଦର ପ୍ରତ୍ୟେକେ ୬.୫ ଲେଖାଏଁ ପଏଣ୍ଟ ପାଇ ଯଥାକ୍ରମେ ଦ୍ୱିତୀୟରୁ ପଞ୍ଚମ ସ୍ଥାନ ଅଧିକାର କରି ବିଶ୍ୱସ୍ତରରେ ଦେଶର ପ୍ରତିନିଧିତ୍ବ କରିବାର ଯୋଗ୍ୟତା ଅର୍ଜନ କରିଛନ୍ତି। ସୌନ୍ଦର୍ଯ୍ୟ ତାଙ୍କ ଯାତ୍ରାରେ ୬ ଜଣ ଖେଳାଳିଙ୍କୁ ପରାସ୍ତ କରିଥିବା ବେଳେ ୩ ଜଣଙ୍କ ସହିତ ବାଜି ଅମୀମାଂସିତ ରଖିଥିଲେ।
ସୂଚନାଯୋଗ୍ୟ ବିଶ୍ୱ କନିଷ୍ଠ ରୌପ୍ୟ ତଥା ପାରା ଏସିଆନ ରୌପ୍ୟ ପଦକ ବିଜେତା ସୌନ୍ଦର୍ଯ୍ୟ ପ୍ରଥମଥର ପାଇଁ ଦେଶର ସର୍ବୋଚ୍ଚ ପ୍ରତିଯୋଗିତାରେ ବିଜେତା ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଓଡ଼ିଶାର ଅନ୍ୟ ଦୁଇ ଜଣ ପ୍ରତିଯୋଗୀ ଶୁଭେନ୍ଦୁ ପାତ୍ର ଓ ପ୍ରାଚୁର୍ଯ୍ୟ ପ୍ରଧାନ ଯଥାକ୍ରମେ ନବମ ଓ ଚତୁର୍ଦ୍ଦଶ ସ୍ଥାନ ଅଧିକାର କରିଛନ୍ତି। ଏ ସମ୍ବାଦ ପ୍ରଚାରିତ ହେବାପରେ ସୌନ୍ଦର୍ଯ୍ୟଙ୍କ ଜନ୍ମସ୍ଥାନ ବରଗଡ଼ ଜିଲ୍ଲା ପଦ୍ମପୁରର ସତୀଭଟା ଏବଂ ସେ ରହୁଥିବା ନୂଆପଡା ଜିଲ୍ଲା ବୋଡେନ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି।