ଜାତୀୟ ଦୃଷ୍ଟିହୀନ କ୍ରିକେଟ୍: ଶୁକଦେବଙ୍କ ଦ୍ବିଶତକ, ସେମିରେ ଓଡ଼ିଶା

ଭୁବନେଶ୍ବର: ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଚାଲିଥିବା ୨୦ତମ ସକୁନ୍ତଳା ମିଶ୍ରା ଜାତୀୟ ଦୃଷ୍ଟିହୀନ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ଗୁରୁବାର ରାଜସ୍ଥାନକୁ ୧୯୦ ରନ୍‌ରେ ପରାସ୍ତ କରିଛି। ତା’ ସହିତ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଛି। ଓଡ଼ିଶା ଆଜି ଶୁକଦେବ ସୋରେନଙ୍କ ଅପରାଜିତ ୨୩୬ (୮୧ ବଲ୍) ରନ୍ ବଳରେ ନିର୍ଧାରିତ ୨୦ ଓଭରରେ ମାତ୍ର ୨ ୱିକେଟ୍ ହରାଇ ୩୫୭ ରନ୍ କରିଥିଲା। ଶୁକଦେବ ତାଙ୍କ ବିସ୍ଫୋରକ ପାଳି ଭିତରେ ୪୫ ଚୌକା ଓ ଗୋଟିଏ ଛକା ମାରିଥିଲେ। ସେହିଭଳି ଅର୍ଜୁନ ଭତ୍ରା ୩୭ ବଲ୍‌ରୁ ୬୨ ରନ୍‌ର ଦ୍ରୁତ ପାଳି ଖେଳିଥିଲେ। ଏହାର ଜବାବରେ ରାଜସ୍ଥାନ ଓଡ଼ିଶା ବୋଲରଙ୍କ ଘାତକ ବୋଲିଂର ସମ୍ମୁଖୀନ ହୋଇ ନପାରି ୧୪.୨ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୬୭ ରନ୍ କରି ପାରିଥିଲା। ଓଡ଼ିଶା ପକ୍ଷରୁ ଲାଲାଟେନ୍ଦୁ ମୋହାନ୍ତ ୩ ଏବଂ ତପନ ଗୌଡ଼ ଗୋଟିଏ ୱିକେଟ୍ କରାୟତ୍ତ କରିଥିଲେ। ଓଡ଼ିଶା ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍‌ରେ ବିହାରଠାରୁ ହାରିଥିଲା। ଅନ୍ୟପକ୍ଷରେ ବର୍ଷା ପାଇଁ ବାତିଲ ହୋଇଥିବା ଦ୍ବିତୀୟ ମୁକାବିଲାରେ ହିମାଚଳପ୍ରଦେଶ ସହ ପଏଣ୍ଟ ଭାଗ କରିଥିଲା। ସେଥିପାଇଁ ରାଜସ୍ଥାନ ବିପକ୍ଷ ବିଜୟ ପରେ ବିହାର ପଛକୁ ଦ୍ବିତୀୟ ଦଳ ଭାବେ ଓଡ଼ିଶା ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଉନ୍ନତ ରନ୍ ହାରରେ ଓଡ଼ିଶା ଗ୍ରୁପ ଏ’ରୁ ଏହି ପର୍ଯ୍ୟାୟକୁ ଯାଇଛି। ରାଜ୍ୟ ଦଳ ଶୁକ୍ରବାର ହରିଆଣା ବିପକ୍ଷରେ ସେମିଫାଇନାଲ୍ ଖେଳିବ।

ସମ୍ବନ୍ଧିତ ଖବର