ଭୁବନେଶ୍ବର: ବେଙ୍ଗାଲୁରୁରେ ଚାଲିଥିବା ତୃତୀୟ ଜାତୀୟ ଦୃଷ୍ଟିହୀନ ଟ୍ବେଣ୍ଟି-୨୦ ମହିଳା କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଓଡ଼ିଶା ପ୍ରବେଶ କରିଛି। ଲିଗ୍ ପର୍ଯ୍ୟାୟରେ ୩ରୁ ୩ ଜିତି ଅପରାଜେୟ ସହ ଏହି ଯୋଗ୍ୟତା ଅର୍ଜନ କରିଛି। ଗୁରୁବାର ଶେଷ ଲିଗ୍‌ ମ୍ୟାଚ୍‌ରେ ଓଡ଼ିଶା ୧୨୨ ରନ୍‌ରେ ରାଜସ୍ଥାନକୁ ପରାସ୍ତ କରିଥିଲା। ଟସ୍‌ ହାରି ବ୍ୟାଟିଂ ପାଇଥିବା ଓଡ଼ିଶା ୨୦୨/୫ କରିଥିଲା। ବାସନ୍ତି ହାଂସ୍‌ଦା (୫୩, ୩୮ ବଲ୍‌, ୭ ଚୌକା) ଅର୍ଦ୍ଧଶତକ ଅର୍ଜନ କରିଥିଲା ବେଳେ ଫୁଲ ସୋରେନ ୪୩* (୨୫ ବଲ୍‌, ୪ ଚୌକା), ଝିଲି ବରୁଆ ୩୫ (୩୧ ବଲ୍‌, ୪ ଚୌକା) ଏବଂ ଯମୁନା ରାଣୀ ଟୁଡ଼ୁ ୩୦* (୧୬ ବଲ୍‌) ରନ୍‌ କରିଥିଲେ। ଜବାବରେ ରାଜସ୍ଥାନ ୧୭.୩ ଓଭରରେ ସମସ୍ତ ୱିକେଟ୍‌ ହରାଇ ୮୦ ରନ୍‌ କରିପାରିଥିଲା। ଯମୁନା ଓ ଫୁଲ ୨ ଲେଖାଏଁ ଏବଂ ମାମିନା ନାଏକ ଗୋଟିଏ ୱିକେଟ୍‌ ନେଇଥିଲେ। ଅନ୍ୟ ୫ ବ୍ୟାଟର୍‌ ରନ୍‌ ଆଉଟ୍‌ ହୋଇଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଯମୁନା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଗୁରୁବାର ସେମିଫାଇନାଲ୍‌ରେ ଆନ୍ଧ୍ରପ୍ରଦେଶକୁ ଭେଟିବ ଓଡ଼ିଶା।