ଜାତୀୟ ନୌଚାଳନାରେ ଓଡ଼ିଶାକୁ ୨ ପଦକ

କଟକ: ଚେନ୍ନାଇ ବନ୍ଦରଠାରେ ଶେଷ ହୋଇଥିବା ଜାତୀୟ ସେଲିଂ (ନୌଚାଳନା) ପ୍ରତିଯୋଗିତାରେ ଓଡ଼ିଶାକୁ ଦୁଇଟି ପଦକ ମିଳିଛି। ମହିଳା ଯୁଗଳରେ ମନସ୍ୱିନୀ ମହାରଣା ଓ ମମିତା ଟୁଡୁଙ୍କ ଯୋଡ଼ି ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲା। ତାଙ୍କ ପଛକୁ ତାମିଲନାଡ଼ୁର ଜୟଲକ୍ଷ୍ମୀ ସୁନ୍ଦର ଓ ଜାମ୍ମୁ କାଶ୍ମୀରର ନଜାକତ ଇସାକ୍‌ଙ୍କ ଯୋଡ଼ି ଦ୍ୱିତୀୟ ସ୍ଥାନରେ ରହିଥିଲେ। ଅନ୍ୟପକ୍ଷରେ ପୁରୁଷ ଯୁଗଳରେ ଓଡ଼ିଶାର ଶେଖର ରାଓ ଓ ମହାରାଷ୍ଟ୍ରର ସାଇ କୁମାର କାନ୍ଦୁଲାଙ୍କ ଯୋଡ଼ି ଦ୍ୱିତୀୟ ସ୍ଥାନରେ ରହିଥିଲେ। ପ୍ରଥମ ସ୍ଥାନରେ ତାମିଲନାଡ଼ୁର ହୁସେନ୍‌ ଭାବନାଗରବାଲା ଓ ଜମ୍ମୁ କାଶ୍ମୀରର ସୋନିଆ ଶହଜାଦ୍‌ଙ୍କ ଯୋଡ଼ି ସ୍ୱର୍ଣ୍ଣ ଜିତିଛନ୍ତି। ବଙ୍ଗୋପସାଗର ଭିତରେ ପ୍ରାୟ ୫ ମାଇଲ୍‌ ପରିସୀମା ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାରୁ ଉପରୋକ୍ତ ତିନି ଜଣଙ୍କ ସହିତ ରବି ମୁଣ୍ଡା, କେ ସମୟା, କେ ଧର୍ମରାଜୁ, କେ ସୁରେଶ ଅଂଶଗ୍ରହଣ କରିଥିଲେ ବି କୌଣସି ପଦକ ପାଇପାରିନାହାନ୍ତି। ଓଡ଼ିଶା ଦଳକୁ ମିଳିଥିବା ସଫଳତା ପାଇଁ ରାଜ୍ୟ ୟାଚିଂ ସଂଘର ସମ୍ପାଦକ ସବୀର ବକ୍ସ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର