ରାଉରକେଲା: ସୋମବାରଠୁ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ୧୩ତମ ଜାତୀୟ କନିଷ୍ଠ ବାଳକ ହକି ପ୍ରତିଯୋଗିତା ଆରମ୍ଭ ହୋଇଛି। ପୁଲ୍ ଡି’ରେ ଥିବା ଓଡ଼ିଶା ଏକତରଫା ବିଜୟରୁ ଅଭିଯାନ ଆରମ୍ଭ କରିଛି। ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍ରେ ସଂପୂର୍ଣ୍ଣଭାବେ ଆଧିପତ୍ୟ ବିସ୍ତାରକରି ୧୮-୦ ଗୋଲ୍ରେ ଗୁଜରାଟକୁ ପରାସ୍ତ କରିଛି। ମ୍ୟାଚ୍ର ପ୍ରଥମ ମିନିଟରୁ ଓଡ଼ିଶା ଖେଳାଳି ଆକ୍ରମଣାତ୍ମକ ଶୈଳୀ ଆପଣାଇ ବିପକ୍ଷଙ୍କ ଉପରେ ଚାପ ସୃଷ୍ଟି କରିଥିଲେ; ଯାହାକି ମ୍ୟାଚ୍ର ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। ମ୍ୟାଚ୍ର ଚତୁର୍ଥ ମିନିଟ୍ରେ ଓଡ଼ିଶା ଏକ ପେନାଲ୍ଟି କର୍ଣ୍ଣର୍ ସୁଯୋଗ ପାଇଥିଲା। ଏହାକୁ ଅରବିନ ଟପ୍ପୋ ଗୋଲ୍ରେ ପରିଣତ କରି ଦଳକୁ ୧-୦ ରେ ଆଗୁଆ କରିଥିଲେ। ଏହାପରେ ଓଡ଼ିଶା ଖେଳାଳିଙ୍କ ଗୋଲ୍ ବର୍ଷା ଆରମ୍ଭ ହୋଇଥିଲା।
ଅରବିନଙ୍କ ଆଉ ୩ଟି ଗୋଲ୍ (୨୮, ୩୩, ୫୦ ମିନିଟ୍) ଦେଇଥିବାବେଳେ ଆକାଶ ସୋରେଙ୍ଗ ୩ (୧୧, ୪୬, ୫୪ ମିନିଟ୍), ଅଧିନାୟକ ରୋଶନ କୁଜୁର ୨ (୩୬, ୩୬ ମିନିଟ୍), ଦୀପକ ମିଞ୍ଜ ୨ (୨୭, ୫୨ ମିନିଟ୍) ଏବଂ ଆଦ୍ରୋହିତ ଲାକ୍ରା (୩୧ ମିନିଟ୍), ଅସିତ ଲାକ୍ରା (୨୨ ମିନିଟ୍), ପ୍ରତାପ ଟପ୍ପୋ (୪୯ ମିନିଟ୍), ପୌଲୁସ ଲାକ୍ରା (୪୭ ମିନିଟ୍), ସଞ୍ଜିତ ତିର୍କୀ (୫୯ ମିନିଟ୍), ଋତିକ କୁଜୁର (୫୯ ମିନିଟ୍) ଓ ସିଲ୍ହୈବା ଲିଶାମ୍ (୬୦ ମିନିଟ୍) ଗୋଟିଏ ଗୋଲ୍ ଦେଇଥିଲେ। ଶନିବାର ମୋଟ୍ ୪ ମ୍ୟାଚ୍ ଖେଳାଯାଇଥିଲା। ଉଦ୍ଘାଟନୀ ମ୍ୟାଚ୍ରେ ଝାଡ଼ଖଣ୍ଡ ସଂପୂର୍ଣ୍ଣ ଏକତରଫାଭାବେ ୧୮-୦ ଗୋଲ୍ରେ ଗୋଆକୁ ପରାସ୍ତ କରିଥିବାବେଳେ ତାମିଲନାଡ଼ୁ ୬-୧ ଗୋଲରେ ପୁଡ଼ୁଚେରୀକୁ ପରାସ୍ତ କରିଥିଲା। ଦାଦ୍ରାନଗର ହାଭେଳୀ ଓ ଡାମନ ଡିଉ ମଧ୍ୟରେ ଖେଲାଯାଇଥିବା ମ୍ୟାଚ୍ ୪-୪ ଗୋଲ୍ରେ ଅମୀମାଂସିତ ରହିଥିଲା।