ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ଜାତୀୟ କନିଷ୍ଠ ବାଳକ ହକି ପ୍ରତିଯୋଗିତାର ୫ଟି ମ୍ୟାଚ୍‌ ବୁଧବାର ଖେଳାଯାଇଛି। ପ୍ରଥମ ମ୍ୟାଚ୍‌ରେ ଉତ୍ତରପ୍ରଦେଶ ବୃହତ୍‌ ବିଜୟ ହାସଲ କରିଛି। ଉତ୍ତରପ୍ରଦେଶ ଓ କେରଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ ସଂପୂର୍ଣ୍ଣ ଏକତରଫା ହୋଇଥିଲା। ମ୍ୟାଚ୍‌ର ଚତୁର୍ଥ ମିନିଟ୍‌ରେ ଉତ୍ତରପ୍ରଦେଶର ଅଧିନାୟକ ଅମିର ଅଲୀ ପ୍ରଥମ ଗୋଲ୍‌ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ଏହାପରେ ଶାହରୁଖ ଅଲୀ (୨୫, ୨୭, ୫୫ ମିନିଟ୍‌) ଓ ରଞ୍ଜନ ଗୁପ୍ତା(୧୮, ୫୨, ୬୦ ମିନିଟ୍‌) ହ୍ୟାଟ୍ରିକ ଦେଇଥିବା ବେଳେ ସୌରଭ ଆନନ୍ଦ କୁସୱାହ ୨ଟି (୩୦, ୩୫ ମିନିଟ୍‌) ଏବଂ ହାଇଦର ଅଲୀ (୪୫ ମିନିଟ୍‌) ଓ ଅଜୟ ଯାଦବ (୨୮ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ।

Advertisment

କେରଳର ଅଭିଜିତ କ୍ରିଷ୍ଣା ଏମ୍‌ଆଇ ଗୋଟିଏ ଗୋଲ୍‌ (୪୯) ଦେଇ ପରାଜୟ ବ୍ୟବଧାନକୁ ହ୍ରାସ କରିଥିଲେ। ସେହିଭଳି ଦ୍ବିତୀୟ ମ୍ୟାଚ୍‌ରେ ଚଣ୍ଡିଗଡ଼ ୧୨-୧ରେ ଆନ୍ଧ୍ରପ୍ରଦେଶକୁ ପରାସ୍ତ କରିଛି। ଚଣ୍ଡିଗଡ଼ ପକ୍ଷରୁ ସୁରିନ୍ଦର ସିଂହ ସର୍ବାଧିକ ୬ଟି ଗୋଲ୍‌ (୯, ୧୭, ୩୮, ୪୯, ୫୧, ୫୩ ମିନିଟ୍‌) ଓ ପରମବୀର ସିଂହ ୩ଟି (୩୬, ୩୬, ୪୮ ମିନିଟ୍‌) ଗୋଲ୍‌ ଦେଇଥିବା ବେଳେ ଇନ୍ଦରପାଲ ସିଂହ (୪୫ ମିନିଟ୍‌), କରମବୀର(୪୧ ମିନିଟ୍‌) ଓ ରମଣ(୫୮ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ଆନ୍ଧପ୍ରଦେଶର କେ. ପ୍ରାଧା ସାଇ ଗୋଟିଏ ଗୋଲ୍‌ ଦେଇ କିଛି ମାତ୍ରାରେ ସମ୍ମାନ ରକ୍ଷା କରିଥିଲେ। ଅନ୍ୟ ମ୍ୟାଚ୍‌ଗୁଡ଼ିକରେ ହରିୟାଣା ୫-୨ ଗୋଲ୍‌ରେ ହିମାଚଳ ପ୍ରଦେଶକୁ, ମଣିପୁର ୧୬-୧ ଗୋଲ୍‌ରେ ଜମ୍ମୁ କାଶ୍ମୀରକୁ ଏବଂ କର୍ଣ୍ଣାଟକ ୪-୧‌ ଗୋଲ୍‌ରେ ରାଜସ୍ଥାନକୁ ହରାଇଥିଲେ।