ଭୁବନେଶ୍ୱର: ଉତ୍ତର ପ୍ରଦେଶର ସାଇଫାଇଠାରେ ଚାଲିଥିବା ଅଷ୍ଟମ ଜାତୀୟ ଉପକନିଷ୍ଠ ବାଳକ ହକି ପ୍ରତିଯୋଗିତା (ଡିଭିଜନ୍-ଏ)ରେ ହକି ଗାଙ୍ଗ୍ପୁର-ଓଡ଼ିଶା ଦଳ ତା’ର ପ୍ରଥମ ମ୍ୟାଚ୍କୁ ଅମୀମାଂସିତ ରଖିଛି। ଗାଙ୍ଗ୍ପୁର ଦଳ ବୁଧବାର କର୍ଣ୍ଣାଟକ ସହ ୧-୧ ଗୋଲ୍ରେ ମ୍ୟାଚ୍ ଅମୀମାଂସିତ ରଖି ପଏଣ୍ଟ୍ ବାଣ୍ଟିଛି। ମ୍ୟାଚ୍ର ୨୩ ମିନିଟ୍ରେ ଗଣେଶ ମାଜ୍ଜିଙ୍କ ଗୋଲ୍ ବଳରେ କର୍ଣ୍ଣାଟକ ଆଗୁଆ ହୋଇଥିଲା ବେଳେ ୬୭ ମିନିଟ୍ରେ ଅଧିନାୟକ ସୁଦୀପ ଚିର୍ମାକୋଙ୍କ ଫିଲ୍ଡ ଗୋଲ୍ ଗାଙ୍ଗ୍ପୁର ପାଇଁ ସ୍ଥିତି ସମାନ କରିଦେଇଥିଲା। ଆଉ କୌଣସି ଗୋଲ୍ ନହେବାରୁ ନିର୍ଧାରିତ ସମୟ ୧-୧ରେ ଶେଷ ହୋଇଥିଲା। ଗାଙ୍ଗ୍ପୁର ଦଳ ତା’ର ପରବର୍ତୀ ମ୍ୟାଚ୍ ଆସନ୍ତାକାଲି (ଗୁରୁବାର) ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ) ସହ ଖେଳିବ। ପଏଣ୍ଟ ଭାଗ କରି ଅଭିଯାନ ଆରମ୍ଭ କରିଥିବାରୁ ହକି ଗାଙ୍ଗ୍ପୁର-ଓଡ଼ିଶାର ମହାସଚିବ ଦେବାଶୀଷ ଗୌଡ଼ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଓଡ଼ିଶା-ଭୋପାଳ ମ୍ୟାଚ୍ ଅଧାରୁ ସ୍ଥଗିତ; ଶୁକ୍ରବାର ଖେଳାଯିବ
ଅନ୍ୟପକ୍ଷରେ ଅଷ୍ଟମ ଜାତୀୟ ଉପକନିଷ୍ଠ ବାଳକ ହକି ପ୍ରତିଯୋଗିତା (ଡିଭିଜନ୍-ଏ)ରେ ବୁଧବାର ଓଡ଼ିଶା ଖେଳିଥିବା ମ୍ୟାଚ୍ ଆଲୋକ ଅଭାବ ଯୋଗୁଁ ପୂରା ହୋଇପାରିନଥିଲା। ଭୋପାଳ ବିପକ୍ଷ ଏହି ମ୍ୟାଚ୍ରେ ଏକ ସମୟରେ ଓଡ଼ିଶା ୩-୧ ଗୋଲ୍ରେ ଆଗୁଆ ରହିଥିଲା। ଖେଳ ଆଉ ୨୭ ମିନିଟ୍ ବାକିଥିଲା ବେଳେ ଆଲୋକ ଅଭାବ ଯୋଗୁଁ ମ୍ୟାଚ୍ ସମ୍ଭବ ହୋଇନଥିଲା। ଫଳରେ ଆୟୋଜକଙ୍କୁ ସେହିଠାରୁ ହିଁ ମ୍ୟାଚ୍ ବନ୍ଦ ରଖିବାକୁ ପଡ଼ିଥିଲା। ଏହି ମ୍ୟାଚ୍ର ଅବଶିଷ୍ଟ ୨୭ ମିନିଟ୍ ଆସନ୍ତା ଶୁକ୍ରବାର ଖେଳାଯିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।