ଜାତୀୟ ବାଳକ ହକି ଫାଇନାଲ୍‌ରେ ଓଡ଼ିଶା

କଟକ: ମହାରାଷ୍ଟ୍ରର ଔରଙ୍ଗାବାଦଠାରେ ଚାଲିଥିବା ଜାତୀୟ ବାଳକ ହକି (ଡିଭିଜନ୍‌-ଏ) ଫାଇନାଲ୍‌ରେ ଓଡ଼ିଶା ସ୍ଥାନ ପକ୍କା କରିନେଇଛି। ସୋମବାର କ୍ବାର୍ଟର ଫାଇନାଲ୍‌ରେ ନିଜ ରାଜ୍ୟର ଗାଙ୍ଗ୍‌ପୁର ଦଳକୁ ୩-୨ ଗୋଲ୍‌ରେ ପରାସ୍ତ କରିଥିବା ଓଡ଼ିଶା ବୁଧବାର ସେମିଫାଇନାଲ୍‌ରେ ମଧ୍ୟପ୍ରଦେଶକୁ ସୁଟ୍‌ ଆଉଟ୍‌ରେ ମାତ୍‌ ଦେଇଛି। ଉଭୟ ଦଳ ସଂଘର୍ଷପୂର୍ଣ୍ଣ ପ୍ରଦର୍ଶନ କରିବାରୁ ନିର୍ଧାରିତ ସମୟ ଗୋଲ୍‌ ଶୂନ୍ୟ ରହିଥିଲା। ଫଳରେ ସୁଟ୍‌ ଆଉଟ୍‌ରେ ଓଡ଼ିଶା ୪-୨ ଗୋଲ୍‌ରେ ବାଜି ମାରିନେଲା। ବିଜୟୀ ଓଡ଼ିଶା ପାଇଁ ପ୍ରକାଶ ଧୀର, ଲାବନ ଲୁଗୁନ୍‌, ସୁନିତ ଲାକ୍ରା ଓ ଅଧିନାୟକ କୃଷ୍ଣ ତିର୍କି ସୁଟ୍‌ ଆଉଟ୍‌ରେ ଗୋଲ୍‌ କରିଥିଲା ବେଳେ ମଧ୍ୟପ୍ରଦେଶ ହକି ଏକାଡେମିକୁ ବିଶେଷକରି ଓଡ଼ିଶା ଗୋଲ୍‌ରକ୍ଷକ ଧନରାଜ ହେମାମ୍‌ ନିରାଶ କରିଥିଲେ। ମଧ୍ୟପ୍ରଦେଶ ପକ୍ଷରୁ କେବଳ ହାଇଦର ଅଲ୍ଲୀ ଓ ସୁନ୍ଦରମ୍‌ ଫଜାୱତ୍‌ ଗୋଲ୍‌ କରିବାରେ ସଫଳ ହୋଇଥିଲେ। ଆସନ୍ତାକାଲି ଫାଇନାଲ୍‌ରେ ଓଡ଼ିଶାର ମୁକାବିଲା ଉତ୍ତର ପ୍ରଦେଶ ସହ ହେବ। ବୁଧବାରର ଅନ୍ୟ ସେମିଫାଇନାଲ୍‌ରେ ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିଥିବା ଉତ୍ତର ପ୍ରଦେଶ ୪-୦ ଗୋଲ୍‌ରେ ହରିଆଣାକୁ ପରାସ୍ତ କରିଦେଇଛି। ଦଳ ପକ୍ଷରୁ ପ୍ରଥମ ଗୋଲ୍‌ ଅଜୟ ଯାଦବ କରିବା ପରେ ଶିବମ୍‌ ଆନନ୍ଦ ୪୮, ୫୨ ଓ ୫୮ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ୍‌ କରି ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ଗୁରୁବାର ସ୍ବର୍ଣ୍ଣ ପଦକ ପାଇଁ ଅପରାହ୍ନ ୩ଟା ‌ବେଳେ ଓଡ଼ିଶା-ଉତ୍ତର ପ୍ରଦେଶ ମୁକାବିଲା ପୂର୍ବରୁ ହରିଆଣା ଓ ମଧ୍ୟପ୍ରଦେଶ ଅପରାହ୍ନ ୧ଟାରେ କାଂସ୍ୟ ପଦକ ପାଇଁ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର