ରାଉରକେଲା/ଭୁବନେଶ୍ବର: ତ୍ରୟୋଦଶତମ ହକି ଇଣ୍ଡିଆ ଉପକନିଷ୍ଠ ପୁରୁଷ (ବାଳକ) ଜାତୀୟ ପ୍ରତିଯୋଗିତା ଗୁରୁବାରଠୁ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହେବ। ସୁନ୍ଦରଗଡ଼ ଜିଲ୍ଲାର ହକିପ୍ରେମୀ ପୁଣି ଥରେ ଜାତୀୟ ସ୍ତରର ଖେଳାଳୀଙ୍କ ଖେଳ ଦେଖିବାର ସୁଯୋଗ ପାଇବେ। ୨୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ୧୧ ଦିନିଆ ପ୍ରତିଯୋଗିତାରେ ୮ ଗ୍ରୁପ୍‌ରେ ମୋଟ ୨୮ ଦଳ ରହିଛନ୍ତି। ପ୍ରଥମ (ଏ, ବି, ସି, ଡି) ୪ ଗ୍ରୁପ୍‌ରେ ୩ ଲେଖାଏଁ ଏବଂ ଇ, ଏଫ୍‌, ଜି, ଏଚ୍‌ରେ ୪ ଲେଖାଏଁ ଦଳ ରହିଛନ୍ତି। ଓଡ଼ିଶା ଗ୍ରୁପ୍‌-ସି’ରେ ଉତ୍ତରାଖଣ୍ଡ ଓ ମହାରାଷ୍ଟ୍ର ସହ ରହିଛି। ଗୁରୁବାର ମହାରାଷ୍ଟ୍ର ବିପକ୍ଷରୁ ଗତଥରର କାଂସ୍ୟ ବିଜେତା ଓଡ଼ିଶା ଅଭିଯାନ ଆରମ୍ଭ କରିବ।

Advertisment

ଏହା ପରେ ୨୩ରେ ଉତ୍ତରାଖଣ୍ଡ ବିପକ୍ଷରେ ଖେଳି ଗ୍ରୁପ ପର୍ଯ୍ୟାୟ ଶେଷ କରିବ। ୨୪ ତାରିଖ ପର୍ଯ୍ୟନ୍ତ ଗ୍ରୁପ୍‌ ପର୍ଯ୍ୟାୟ ଖେଳାଯିବ। ୨୫ରେ କ୍ବାର୍ଟରଫାଇନାଲ୍‌, ୨୭ରେ ସେମିଫାଇନାଲ୍‌ ଏବଂ ୨୮ରେ ଫାଇନାଲ୍‌ ଓ ତୃତୀୟ ସ୍ଥାନ ପାଇଁ ମ୍ୟାଚ୍‌ ଖେଳାଯିବ। ସମସ୍ତ ଖେଳାଳି ବେଦବ୍ୟାସ ହଷ୍ଟେଲରେ ରହିବା ପାଇଁ ବ୍ୟବସ୍ଥା ହୋଇଛି। ଅନ୍ୟ ପୁଲ୍‌ଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶ, କର୍ଣ୍ଣାଟକ, କେରଳ (ପୁଲ୍-ଏ), ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ହିମାଞ୍ଚଳ ପ୍ରଦେଶ (ପୁଲ୍‌-ବି), ହରିୟାଣା, ଗୋଆ, ଛତିଶଗଡ଼ (ପୁଲ୍‌-ଡି’) ପଞ୍ଜାବ, ଦିଲ୍ଲୀ, ଆସାମ, ତ୍ରିପୁରା (ପୁଲ୍‌-ଇ), ଦାଦ୍ରା ଓ ନାଗର ହାଭେଲି ଏବଂ ଡାମନ୍ ଡିୟୁ, ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ, ପୁଡ଼ୁଚେରୀ (ପୁଲ୍‌-ଏଫ୍‌), ବିହାର, ମଧ୍ୟପ୍ରଦେଶ, ମିଜୋରାମ, ତେଲେଙ୍ଗାନା (ପୁଲ୍‌-ଜି), ଚଣ୍ଡିଗଡ଼, ଅରୁଣାଞ୍ଚଳ ପ୍ରଦେଶ, ଗୁଡୁରାଟ ଓ ରାଜସ୍ଥାନ (ପୁଲ୍‌-ଏଚ୍‌) ଦଳ ରହିଛନ୍ତି।

ଓଡ଼ିଶା ଦଳ: ଗୋଲ୍‌ କିପର- ଅଭିମନ୍ୟୁ ଗୌଡ଼ (ଉପଅଧିନାୟକ), ରୋନିତ ରାଜ ଖାଖା, ଡିଫେଣ୍ଡର-ପ୍ରଦୀପ ମଣ୍ଡଳ, ରୋହିତ କୁଲ୍ଲୁ, ସଲମାନ ଟପ୍ପୋ, ବିକି ଓରାମ, ମିଡ୍‌ଫିଲ୍‌ଡର-ସୁଦର୍ଶନ ଗୌଡ଼, ଅମରଜିତ ସିଂହ, ସୁରେଶ ଶର୍ମା, ସମୀର ବରୱା, ଅଶିଷ କୁମାର ଟପ୍ପୋ (ଅଧିନାୟକ), ସ୍ବାଧୀନ ଲୁଗୁନ, ଫରୱାର୍ଡ- ୟୋଜିନ ମିଞ୍ଜ, ନନୱାର ଦେଓନାଥ, ରୋହିତ ସିଂହ, ଦୀପକ ପ୍ରଧାନ ଓ ବିଦ୍ୟାନନ୍ଦ ସିଂହ।