ରାଉରକେଲା: ଚଳିତ ଜାତୀୟ ବାଳକ ହକି ପୁଲ୍ ସି’ରେ ଥିବା ଓଡ଼ିଶା ଦଳ ମଙ୍ଗଳବାର ଖେଳିଥିବା ଉତ୍ତରାଖଣ୍ଡ ମ୍ୟାଚ୍କୁ ଏକତରଫା ଭାବେ ଜିତିନେଇଛି। ଏହି ବିଜୟ ସହ ଅପରାଜେୟ ଓଡ଼ିଶା କ୍ବାର୍ଟରଫାଇନାଲ ସ୍ଥାନ ନିଶ୍ଚିତ କରିନେଇଛି। ନିଜର ପ୍ରଥମ ମ୍ୟାଚ୍ରେ ମହାରାଷ୍ଟ୍ରକୁ ୧୮-୦ ଗୋଲ୍ରେ ହରାଇଥିବା ଘରୋଇ ଦଳ ମଙ୍ଗଳବାର ଦ୍ବିତୀୟ ତଥା ଶେଷ ଲିଗ୍ ମ୍ୟାଚ୍ରେ ଉତ୍ତରାଖଣ୍ଡକୁ ୧୨-୦ ଗୋଲ୍ରେ ମାତ୍ ଦେଇଥିଲା। ବୁଧବାର ପୁଲ୍ ପର୍ଯ୍ୟାୟର ଶେଷ ୫ଟି ମ୍ୟାଚ୍ ଖେଳାଯିବ।
ବିର୍ସାମୁଣ୍ଡା ହକି ଷ୍ଟାଡ଼ିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଓଡ଼ିଶା ଖେଳାଳି ପ୍ରଥମରୁ ଆକ୍ରମଣାତ୍ମକ ଶୈଳୀ ଆପଣେଇଥିଲେ। ତେବେ ଦଳକୁ ମ୍ୟାଚ୍ର ୧୨ତମ ମିନିଟ୍ରେ ପ୍ରଥମ ସଫଳତା ମିଳିଥିଲା। ଦେଓନାଥ ନାନୱାର୍ ଏକ ଆକର୍ଷଣୀୟ ଫିଲ୍ଡ ଗୋଲ୍ ଦେଇ ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ।। ଏହାପରେ ଓଡ଼ିଶା ଖେଳାଳି ଆକ୍ରମଣକୁ ବ୍ୟାପକ କରିବାସହ ଗୋଟିଏ ପରେ ଗୋଟିଏ ଗୋଲ୍ ଦେଇଥିଲେ। ଦେଓଧର (୧୨, ୩୩, ୪୭, ୪୮,୫୮ ମିନିଟ୍) ସର୍ବାଧିକ ୫ଟି ଗୋଲ୍ ଦେଇଥିବା ବେଳେ ଦୀପକ ପ୍ରଧାନ (୨୭, ୩୭ ମିନିଟ୍) ଦୁଇଟି ଏବଂ ବିକ୍ରମ ଓରାମ (୨୧ ମିନିଟ୍), ୟୋଜିନ ମିଞ୍ଜ (୩୭ ମିନିଟ୍), ରୋହିତ କୁଲୁ (୪୩ ମିନିଟ୍), ପ୍ରଦୀପ ମଣ୍ଡଳ (୪୯ ମିନିଟ୍) ଓ ସୁରେଶ ଶର୍ମା (୫୩ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।
ଆସାମ ଓ ତ୍ରିପୁରା ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ ସଂପୂର୍ଣ୍ଣ ଏକତରଫା ହୋଇଥିଲା। ଏଥିରେ ଆସାମ ୨୭-୦ ଗୋଲରେ ତ୍ରିପୁରାକୁ ଶୋଚନୀୟ ଭାବେ ପରାସ୍ତ କରିଛି। ରୋହିତ ଯାଦବ ସର୍ବାଧିକ ୧୦ଟି ଗୋଲ୍ ଦେଇଥିବା ବେଳେ ମହମ୍ମଦ ଇସ୍ତେୟାକ୍ ରାଜା ୪, ଅଧିନାୟକ ନେକ୍ ଅଲୀ, ରିତିକ୍ ପାତିର ଓ ଅମିତ ଦୟାଲ ୩ଟି ଲେଖାଏଁ ଏବଂ ରିତେଶ ଗୁପ୍ତା ୨, ସୋବିତ କାର୍କି ଓ ସୂରଜ ଠାକୁର ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ସେହିଭଳି ଦ୍ବିତୀୟ ମ୍ୟାଚ୍ରେ ପଞ୍ଜାବ ୨-୦ ଗୋଲ୍ରେ ଦିଲ୍ଲୀକୁ ପରାସ୍ତ କରିଥିବା ବେଳେ ଚଣ୍ଡିଗଡ଼ ୮-୧ ଗୋଲ୍ରେ ଅରୁଣାଚଳ ପ୍ରଦେଶକୁ, ରାଜସ୍ଥାନ ୯-୧ ଗୋଲ୍ରେ ଗୁଜରାଟକୁ ଓ ତେଲେଙ୍ଗାନା ୧-୦ ଗୋଲ୍ରେ ମିଜୋରାମକୁ ହରାଇ ଦେଇଛି।