ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ଜାତୀୟ ବାଳକ ହକି ପ୍ରତିଯୋଗିତାର ସେମିଫାଇନାଲରେ ଓଡ଼ିଶା ପହଞ୍ଚିଯାଇଛି। ଗୁରୁବାର କ୍ବାର୍ଟର ଫାଇନାଲ୍ରେ ଏହି ଦଳ ୭-୦ ଗୋଲ୍ରେ ଦାଦ୍ରା ନଗର ହାଭେଳି ଓ ଡାମନ ଡିଉକୁ ପରାସ୍ତ କରିଛି। ଶୁକ୍ରବାର ବିଶ୍ରାମ ଦିବସ ପରେ ଶନିବାର ସନ୍ଧ୍ୟାରେ ଦୁଇଟିଯାକ ସେମିଫାଇନାଲ ଖେଳାଯିବ। ଗୁରୁବାର ଅନ୍ୟ ତିନିଟି କ୍ବାର୍ଟର ଫାଇନାଲ୍ ଜିତି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ହରିୟାଣା ମଧ୍ୟ ସେମିଫାଇନାଲ ସ୍ଥାନ ପକ୍କା କରିଛନ୍ତି।
ଓଡ଼ିଶା ଏବଂ ଦାଦ୍ରା ନଗର ହାଭେଳି ଓ ଡାମନ ଡିଉ ମଧ୍ୟରେ ଖେଳାଯାଇଥିବା କ୍ବାର୍ଟର ଫାଇନାଲ ମ୍ୟାଚ୍ଟି ସଂପୂର୍ଣ୍ଣ ଏକତରଫା ରହିଥିଲା। ମ୍ୟାଚ୍ସାରା ଓଡ଼ିଶା ଖେଳାଳିଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିଲା। ମ୍ୟାଚ୍ର ପ୍ରଥମ ଗୋଲ୍ ଦ୍ବିତୀୟ କ୍ବାର୍ଟର୍ର ଶେଷ ମୂହୁର୍ତ୍ତ (୩୫ ମିନିଟ୍)ରେ ଆସିଥିଲା। ନିଙ୍ଗୋମବାମ ଅମରଜିତ ସିଂହ ଏକ ଆକର୍ଷଣୀୟ ଫିଲ୍ଡ ଗୋଲ୍ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ଏହାପରେ ଦଳ ଆକ୍ରମଣକୁ ଶାଣିତକରି ଗୋଟିଏ ପରେ ଗୋଟିଏ ଗୋଲ୍ ଦେଇଥିଲା। ଦୀପକ ପ୍ରଧାନ (୩୭), ବିଲକାନ ଓରାମ (୪୩), ପ୍ରଦୀପ ମଣ୍ଡଳ (୪୭), ଦେଓଧର ନାନୱାର (୫୨), ଇରେଂବାମ ରୋହିତ ସିଂହ (୫୭) ଓ ୟୋଜିନ ମିଞ୍ଜ୍ (୫୮) ଗୋଟିଏ ଲେଖାଏ ଗୋଲ୍ ଯୋଡ଼ି ଓଡ଼ିଶାକୁ ସହଜ ବିଜୟ ଭେଟି ଦେଇଥିଲେ। ମୋଟ୍ ୭ ମଧ୍ୟରୁ ୫ଟି ଫିଲ୍ଡ ଗୋଲ୍ଡ ଥିବାବେଳେ ୨ଟି ପେନାଲ୍ଟି କର୍ଣ୍ଣର୍ରୁ ଆସିଥିଲା।
ପ୍ରଥମ କ୍ବାର୍ଟର ଫାଇନାଲରେ ଉତ୍ତର ପ୍ରଦେଶ ୭-୦ରେ ଚଣ୍ଡିଗଡ଼କୁ ପରାସ୍ତ କରିଥିଲା।ଆଶୁ ମୋର୍ଯ୍ୟ ସର୍ବାଧିକ ୩ଟି ଗୋଲ୍ ଦେଇଥିବା ବେଳେ ଅଧିନାୟକ ଅଜିତ ୟାଦବ, ରାହୁଲ ରାଜଭର, ସତ୍ୟମ ପାଣ୍ଡେ ଓ ଉଜ୍ଜ୍ବଳ ପାଲ ଗୋଟିଏ ଲେଖାଏ ଗୋଲ୍ ଯୋଡ଼ିଥିଲେ। ଦ୍ବିତୀୟ କ୍ବାର୍ଟର ଫାଇନାଲରେ ମଧ୍ୟପ୍ରଦେଶ ୬-୩ରେ ଝାଡ଼ଖଣ୍ଡକୁ ଏବଂ ତୃତୀୟ କ୍ବାର୍ଟରରେ ହରିୟାଣା ୨-୧ରେ ପଞ୍ଜାବକୁ ପରାସ୍ତ କରି ସେମିଫାଇନାଲ ପ୍ରବେଶ କରିଛି।