ଜାତୀୟ ବାଳକ ହକି: ଓଡ଼ିଶା-ମଧ୍ୟପ୍ରଦେଶ ସେମିଫାଇନାଲ୍‌ ଆଜି

ରାଉରକେଲା: ସ୍ଥାନୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ତ୍ରୟୋଦଶ ଉପକନିଷ୍ଠ ବାଳକ ଜାତୀୟ ହକି ପ୍ରତିଯୋଗିତାର ସେମିଫାଇନାଲ ସୂଚୀ ଚୂଡ଼ା ହୋଇଯାଇଛି। ଶନିବାର ସନ୍ଧ୍ୟା ସାଢ଼େ ୬ଟାରେ ପ୍ରଥମ ସେମିଫାଇନାଲ ପୂର୍ବଥରର ବିଜେତା ଉତ୍ତରପ୍ରଦେଶ ଓ ହରିୟାଣା ମଧ୍ୟରେ ଖେଳାଯିବାକୁ ଥିବାବେଳେ ରାତି ସାଢ଼େ ୮ଟାରେ ଘରୋଇ ଓଡ଼ିଶା ଓ ମଧ୍ୟପ୍ରଦେଶ ମଧ୍ୟରେ ଖେଳାଯିବ ଦ୍ବିତୀୟ ସେମିଫାଇନାଲ୍‌। ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ଅପରାଜେୟ ଓଡ଼ିଶା ଦଳ ସେମିଫାଇନାଲ ମୁକାବିଲା ପୂର୍ବରୁ ଝାଳବୁହା ଅଭ୍ୟାସ କରିଛି।

ଚଳିତ ପ୍ରତିଯୋଗିତାରେ ଓଡ଼ିଶାର ଚମତ୍କାର ପ୍ରଦର୍ଶନ ଅବ୍ୟାହତ ରହିଛି। ଓଡ଼ିଶା ପୁଲ୍‌ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ମହାରାଷ୍ଟ୍ର ବିପକ୍ଷରେ ୧୮-୦ ଗୋଲ୍‌ର ବିଶାଳ ବିଜୟ ହାସଲ କରିଥିଲା। ଦ୍ବିତୀୟ ମ୍ୟାଚ୍‌ରେ ୧୨-୦ରେ ଉତ୍ତରାଖଣ୍ଡକୁ ପରାସ୍ତ କରି କ୍ବାର୍ଟର ଫାଇନାଲ ଏବଂ କ୍ବାର୍ଟରଫାଇନାଲରେ ଦାଦ୍ରା ନଗର ହାଭେଳୀ ଓ ଡାମନ ଡିଉକୁ ୭-୦ରେ ପରାସ୍ତ କରି ସେମିଫାଇନାଲ ସ୍ଥାନ ସୁରକ୍ଷିତ କରିଥିଲା। ତେବେ ଶକ୍ତିଶାଳୀ ମଧ୍ୟପ୍ରଦେଶ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ହେବା ଆକଳନ କରାଯାଉଛି। ନିକଟ ଅତୀତରେ କିଛି ପ୍ରତିଯୋଗିତାରେ ଓଡ଼ିଶା ଦଳ ମଧ୍ୟପ୍ରଦେଶଠାରୁ ପରାଜୟ ଭୋଗିଛି। ଏଣୁ ଘରୋଇ ପଡ଼ିଆରେ ପୂର୍ବ ପରାଜୟର ମଧୁର ପ୍ରତିଶୋଧ ନେବାକୁ ଓଡ଼ିଶା ଦଳ ଲକ୍ଷ୍ୟ ରଖିଛି। ବ୍ୟକ୍ତିଗତ ସର୍ବାଧିକ ଗୋଲ୍‌ ସ୍କୋର୍‌ କରିବାରେ ମଧ୍ୟପ୍ରଦେଶ ଖେଳାଳି ଆଗୁଆ ଅଛନ୍ତି। ମଧ୍ୟପ୍ରଦେଶର ଆସୀର ଆଦିଲ ଖାନ ସର୍ବାଧିକ ୧୫ ଗୋଲ୍‌ ଦେଇଥିବା ବେଳେ କରଣ ଗୌତମ ୧୨, ତୁଷାର ପାଣ୍ଡେ ୯, ରୀତେନ୍ଦ୍ର ପ୍ରତାପ ସିଂହ ଓ ଶୁଭନ ଆବିଦ୍‌ ୮ ଲେଖାଏ ଗୋଲ୍‌ ଦେଇଛନ୍ତି। ଅପରପକ୍ଷରେ ଓଡ଼ିଶାର ସର୍ବାଧିକ ଗୋଲ୍‌ ସ୍କୋରର୍‌ ହେଉଛନ୍ତି ୧୬ ବର୍ଷୀୟ ତାରକା ଦେଓନାଥ ନାନୱାର। ଦେଓନାଥ ଗତ ୩ଟି ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ତାଙ୍କ ପଛକୁ ସର୍ବାଧିକ ବ୍ୟକ୍ତିଗତ ଗୋଲ ସ୍କୋରର୍‌ ତାଳିକାରେ ଦୀପକ ପ୍ରଧାନ (୭) ଓ ଯୋଜିନ ମିଞ୍ଜ (୫) ଅଛନ୍ତି।

ଦଳର ପ୍ରସ୍ତୁତି ଉପରେ ମୁଖ୍ୟ ପ୍ରଶିକ୍ଷକ ଲକ୍ଷ୍ମୀ ନାରାୟଣ ପ୍ରତିକ୍ରିୟାରେ କହିଛନ୍ତି, ପ୍ରତିଯୋଗିତା ଆରମ୍ଭ ହେବାର ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଦଳ ରାଉରକେଲାରେ ପହଞ୍ଚିଥିଲା। ସେବେଠାରୁ ଦଳ କଡ଼ା ଅଭ୍ୟାସ ଜାରି ରଖିଛି। ସ୍ଥାନୀୟ କ୍ରୀଡ଼ା ଛାତ୍ରାବାସ ଖେଳାଳିଙ୍କ ସହ ଏକାଧିକ ଅଭ୍ୟାସ ମ୍ୟାଚ୍‌ ମଧ୍ୟ ଖେଳିଛି। ପ୍ରତିଯୋଗିତାରେ ଦଳର ପ୍ରଦର୍ଶନ ଆଶାନୁରୂପ ରହିଛି। ମଧ୍ୟପ୍ରଦେଶକୁ ସେମିଫାଇନାଲରେ ଆମେ କଡ଼ା ଟକ୍କର ଦେବୁ। ମଧ୍ୟପ୍ରଦେଶ ଏକ ଶକ୍ତିଶାଳୀ ଦଳ। ସେମାନେ ଆକ୍ରମଣାତ୍ମକ ଖେଳିବାକୁ ପସନ୍ଦ କରିଥା’ନ୍ତି। ତଦନୁଯାୟୀ ଆମେ ରଣ କୌଶଳ ପ୍ରସ୍ତୁତ କରିଛୁ। ନିକଟ ଅତୀତରେ ଆମେ ସେମାନଙ୍କୁ ପରାସ୍ତ କରିବାରେ ସକ୍ଷମ ହୋଇନୁ। କିନ୍ତୁ ଏଥର ଏହି ଧାରାକୁ ବଦଳାଇବାକୁ ସକ୍ଷମ। ଓଡ଼ିଶାର ଟପ୍‌ ସ୍କୋରର୍‌ ଦେଓନାଥ ନାନୱାର କହିଛନ୍ତି, ଆଟାକର୍‌ ହିସାବରେ ମୁଁ ସବୁବେବେଳ ଗୋଲ୍‌ ସ୍କୋର୍‌ କରିବାକୁ ପସନ୍ଦ କରେ। ପ୍ରଶିକ୍ଷକଙ୍କ ଟିପ୍‌ସ ମୁତାବକ ପ୍ରତ୍ୟେକ ମ୍ୟାଚ୍‌ରେ ନିଜର ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ପ୍ରୟାସ କରିଥାଏ। ସେମିଫାଇନାଲ୍‌ ମ୍ୟାଚ୍‌ରେ ଆମେ ଦଳଗତ ପ୍ରଦର୍ଶନ କରି ଫଳାଫଳ ଆମ ସପକ୍ଷରେ ଆଣିବୁ।

ସମ୍ବନ୍ଧିତ ଖବର