ରାଉରକେଲା: ଉପକନିଷ୍ଠ ବାଳକ ଜାତୀୟ ହକି ପ୍ରତିଯୋଗିତାର ତ୍ରୟୋଦଶ ସଂସ୍କରଣ ରବିବାର ଉଦ୍ଯାପିତ ହୋଇଛି। ଆୟୋଜକ ଓଡ଼ିଶା ଦଳ ଫାଇନାଲ ମୁକାବିଲାରେ ଉତ୍ତରପ୍ରଦେଶଠାରୁ ୧-୭ ଗୋଲ୍ରେ ପରାସ୍ତ ହୋଇ ଉପବିଜେତାରେ ସନ୍ତୁଷ୍ଟ ରହିଛି। ଅପରପକ୍ଷରେ ଉତ୍ତରପ୍ରଦେଶ କ୍ରମାଗତ ଦ୍ବିତୀୟ ଥର ପାଇଁ ବିଜେତା ହୋଇଛି।
ଓଡ଼ିଶା ଓ ଉତ୍ତରପ୍ରଦେଶ ଫାଇନାଲ ମ୍ୟାଚ୍ ସଂପୂର୍ଣ୍ଣ ଏକତରଫା ହୋଇଥିଲା। ପ୍ରଥମ ମିନିଟ୍ରୁ ଉତ୍ତରପ୍ରଦେଶ ଖେଳାଳି ଆକ୍ରମଣ କରିଥିଲେ ଯାହାକି ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। ଏହି ଦଳର ଘନଘନ ଆକ୍ରମଣକୁ ଓଡ଼ିଶା ଖେଳାଳି ପ୍ରତିରୋଧ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଥିଲେ। ଲିଗ୍ ପର୍ଯ୍ୟାୟରୁ ଆରମ୍ଭ କରି ସେମିଫାଇନାଲ ଯାଏ ଚମତ୍କାର ପ୍ରଦର୍ଶନ କରିଥିବା ଓଡ଼ିଶା ଦଳ କିନ୍ତୁ ଫାଇନାଲରେ ଆତ୍ମସମର୍ପଣ କରିଦେଇଥିଲା। ମ୍ୟାଚ୍ର ଷଷ୍ଠ ମିନିଟ୍ରେ ଉତ୍ତରପ୍ରଦେଶ ଏକ ପେନାଲ୍ଟି କର୍ଣ୍ଣର୍ ସୁଯୋଗ ପାଇଥିଲା। ଏହାକୁ ହାତଛଡ଼ା କରିନଥିଲେ ଦଳର ଉଜ୍ବଳ ପାଲ। ସଫଳତାର ସହ ଗୋଲ୍ରେ ପରିଣତ କରି ଦଳକୁ ୧-୦ ଗୋଲ୍ରେ ଆଗୁଆ ରଖିଥିଲେ। ଏହାପରେ ଉତ୍ତରପ୍ରଦେଶ ଲଗାତାର ଗୋଲ୍ ଦେଇ ଓଡ଼ିଶାକୁ ମ୍ୟାଚ୍ ସାରା ଚାପରେ ରଖିଥିଲା।
ଉଜ୍ବଳ ହ୍ୟାଟ୍ରିକ୍ ଗୋଲ୍ (୬, ୩୮, ୪୭) ଦେଇଥିବା ବେଳେ ଅଧିନାୟକ ଅଜିତ ୟାଦବ (୫୪), ରାହୁଲ ୟାଦବ (୩୦), କେତନ କୁଶୱାହ (୩୯), ରାହୁଲ ରାଜଭର (୫୨) ଗୋଟିଏ ଲେଖାଏ ଗୋଲ୍ ଯୋଡ଼ିଥିଲେ। ଓଡ଼ିଶା ପକ୍ଷରୁ ୫୭ତମ ମିନିଟ୍ରେ ଦେଓନାଥ ନାନୱାର ଗୋଟିଏ ପେନାଲ୍ଟି କର୍ଣ୍ଣର୍କୁ ଗୋଲ୍ରେ ପରିଣତ କରି କେବଳ ବ୍ୟବଧାନକୁ ହ୍ରାସ କରିଥିଲେ। ମ୍ୟାଚ୍ରେ ଉତ୍ତରପ୍ରଦେଶ ମୋଟ ୬ଟି ପେନାଲ୍ଟି କର୍ଣ୍ଣର୍ ସୁଯୋଗ ପାଇଥିବା ବେଳେ ଏହାର ସଦୁପଯୋଗ କରିଥିଲା। ତେବେ ଓଡ଼ିଶା ୩ଟି ସୁଯୋଗ ପାଇଥିଲେ ମଧ୍ୟ ସବୁତକ ହାତଛଡ଼ା କରିଥିଲା। ଫାଇନାଲ ମ୍ୟାଚ୍କୁ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଉପଭୋଗ କରିଥିଲେ। ଫାଇନାଲ୍ ପୂର୍ବରୁ ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ହରିୟାଣା ଓ ମଧ୍ୟପ୍ରଦେଶ ମ୍ୟାଚ୍ରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଶେଷରେ ହରିୟାଣା ୪-୨ ଗୋଲ୍ରେ ବିଜୟୀ ହୋଇଥିଲା।