ଭୁବନେଶ୍ବର: ମହାରାଷ୍ଟ୍ରର ଔରଙ୍ଗାବାଦ୍ରେ ଚାଲିଥିବା ନବମ ଜାତୀୟ ବାଳକ (ଉପକନିଷ୍ଠ) ହକି ପ୍ରତିଯୋଗିତା (ଡିଭିଜନ୍-ଏ)ରେ ଓଡ଼ିଶା ଦ୍ବିତୀୟ ବିଜୟ ହାସଲ କରିଛି। ପୁଲ୍-ଡି’ରେ ସାମିଲ ଥିବା ଓଡ଼ିଶା ମଙ୍ଗଳବାର ଏକ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍ରେ ପଞ୍ଜାବ ଓ ସିନ୍ଦ୍ ବ୍ୟାଙ୍କ୍କୁ ୧-୦ ଗୋଲ୍ରେ ହରାଇ ପ୍ରଥମ ବିଜୟ ପାଇଥିଲା ବେଳେ ଗୁରୁବାର ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ)କୁ ମଧ୍ୟ ସମାନ ବ୍ୟବଧାନ ୧-୦ ଗୋଲ୍ରେ ପରାସ୍ତ କରି ୩ ପଏଣ୍ଟ୍ ହାତେଇ ନେଇଛି। ଭୀମ ଏକ୍କା ମ୍ୟାଚ୍ର ଏକମାତ୍ର ଗୋଲ୍ଟି ୧୪ ମିନିଟ୍ରେ କରିଥିଲେ। ଆଉ ୩ ମ୍ୟାଚ୍ରୁ ଦୁଇ ବିଜୟ ଓ ଗୋଟିଏ ଅମୀମାଂସିତ ସହ ୭ ପଏଣ୍ଟ୍ ପାଇ ଓଡ଼ିଶା ମଧ୍ୟ ପଏଣ୍ଟ ତାଲିକାର ଶୀର୍ଷରେ ଅପରିବର୍ତିତ ରହିଛି। ଓଡ଼ିଶା ପୁଲ୍ର ଶେଷ ମ୍ୟାଚ୍ରେ ଆସନ୍ତା ୨୩ ତାରିଖ ଦିନ ବିହାରକୁ ଭେଟିବ। ବିହାର ୨ ମ୍ୟାଚ୍ରୁ ଗୋଟିଏ ଲେଖାଏଁ ବିଜୟ ଓ ଅମୀମାଂସିତ ବଳରେ ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଓଡ଼ିଶାଠୁ ପରାଜୟ ସତ୍ତ୍ବେ ସାଇ ଦ୍ବିତୀୟ ସ୍ଥାନରେ ରହିଛି। ଗୁରୁବାର ପୁଲ୍-ଡି’ର ଅନ୍ୟ ଏକ ମ୍ୟାଚ୍ରେ ପଞ୍ଜାବ ଓ ସିନ୍ଦ୍ ବ୍ୟାଙ୍କ୍କୁ ୪-୨ ଗୋଲ୍ରେ ପରାସ୍ତ କରି ଏସ୍ପିଏସ୍ବି (ଷ୍ଟିଲ୍ ପ୍ଲାଣ୍ଟ୍ ସ୍ପୋର୍ଟସ୍ ବୋର୍ଡ) ପ୍ରଥମ ବିଜୟ ପାଇଛି। ଏହି ଦଳ ତୃତୀୟ ସ୍ଥାନରେ ରହିଛି। ଗୁରୁବାର ଅନ୍ୟ ମ୍ୟାଚ୍ରେ ହିମାଚଳ ୪-୩ରେ ଏସ୍ଏସ୍ସିବିକୁ, ଝାଡ଼ଖଣ୍ଡ ୪-୦ରେ ମୁମ୍ବାଇକୁ, ମହାରାଷ୍ଟ୍ର ୪-୨ରେ କର୍ଣ୍ଣାଟକକୁ ପରାସ୍ତ କରିଥିଲା।