ରାଉରକେଲା: ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଚାଲିଥିବା ଉପକନିଷ୍ଠ ବାଳକ ଜାତୀୟ ହକି ପ୍ରତିଯୋଗିତାର ପଞ୍ଚମ ଦିନରେ ବି ଗୋଲ୍‌ ବର୍ଷା ଜାରି ରହିଛି। ପ୍ରତିଯୋଗିତାର ପଞ୍ଚମ ଦିନର ୫ଟି ମ୍ୟାଚ୍‌ ମଧ୍ୟରୁ ଏ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ୪ଟି ମ୍ୟାଚ୍ ଖେଳାଯାଇଛି। ଆଜି ସକାଳେ ପ୍ରଥମ ମ୍ୟାଚ୍‌ କେରଳ ଓ କର୍ଣ୍ଣାଟକ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ କେରଳ ୪-୩ ଗୋଲ୍‌ରେ ଜିତି ନେଇଥିଲା। ମ୍ୟାଚ୍‌ର ୨୦ ମିନିଟ୍‌ରେ ଅମନ ଅଭିଷେକ କେର୍କେଟା କର୍ଣ୍ଣାଟକ ଦଳକୁ ପ୍ରଥମ ଗୋଲ୍ ଦେବାରେ ସଫଳ ହୋଇଥିଲେ। ସେ ପୁଣି ୫୭ ମିନିଟ୍‌ରେ ଆଉ ଏକ ଗୋଲ୍‌ ଦେଇ ଦଳ ପକ୍ଷରୁ ସର୍ବାଧିକ ୨ଟି ଗୋଲ୍ ସ୍କୋର୍ କରିଥିଲେ। ଦ୍ବିତୀୟ ମ୍ୟାଚ୍ ପଶ୍ଚିମବଙ୍ଗ ଓ ହିମାଞ୍ଚଳ ପ୍ରଦେଶ ମଧ୍ୟରେ ଖେଳା ଯାଇଥିଲା।

Advertisment

ମ୍ୟାଚ୍‌ ସଂପୂର୍ଣ୍ଣ ଏକତରଫା ହୋଇଥିଲା। ପଶ୍ଚିମବଙ୍ଗ ମ୍ୟାଚ୍‌ ସାରା ଆଧିପତ୍ୟ ବିସ୍ତାର କରି ୧୨-୦ ଗୋଲ୍‌ରେ ବିଜୟୀ ହୋଇଥିଲା। ଦଳର ଶିବା ରବି ଦାସ ୨୧ ମିନିଟ୍‌ରେ ପ୍ରଥମ ଗୋଲ୍ ଦେବାରେ ସଫଳ ହୋଇଥିଲେ। ପରେ ଦଳର ଅମନ କୁମାର ଠାକୁର ୪୩, ୫୧, ୫୩, ୫୫ ମିନିଟ୍‌ରେ ସର୍ବାଧିକ ୪ଟି ଗୋଲ୍ ଦେଇଥିଲେ। ସେହିଭଳି ତୃତୀୟ ମ୍ୟାଚ୍ ଦାଦ୍ରା ନଗର ହାଭେଳି ଓ ଡାମନ୍ ଡିୟୁ ଏବଂ ତାମିଲନାଡ଼ୁ ମଧ୍ୟରେ ଖେଳା ଯାଇଥିଲା। ମ୍ୟାଚ୍‌କୁ ଦାଦ୍ରା ନଗର ହାଭେଳି ଓ ଡାମନ୍ ଡିୟୁ ୪-୦ ଗୋଲ୍‌ରେ ଜିତି ନେଇଥିଲା। ଦଳର ରବୀନ୍ଦ୍ର ପ୍ରତାପ ଯାଦବ ୧୬ ମିନିଟ୍‌ରେ ପ୍ରଥମ ଗୋଲ୍ ଦେବାରେ ସଫଳ ହୋଇଥିଲେ। ପରେ ଦଳର ଶୁଭମ୍ ରାଜଭାର୍ ୩୫, ୪୫ ମିନିଟ୍‌ରେ ସର୍ବାଧିକ ୨ଟି ଗୋଲ୍ ଦେଇଥିଲେ। ଚତୁର୍ଥ ମ୍ୟାଚ୍ ଆନ୍ଧ୍ର ପ୍ରଦେଶ ଓ ପୁଡୁଚେରୀ ମଧ୍ୟରେ ଖେଳାଯାଇଥିଲା। ସେଥିରେ ଆନ୍ଧ୍ର ପ୍ରଦେଶ ଦଳ ୪-୧ ଗୋଲ୍‌ରେ ବିଜୟ ହୋଇଥିଲା। ଦଳର ଚେପୁରାପାଲ୍ଲି ଅନିଲ କୁମାର ୨ ମିନିଟ୍‌ରେ ପ୍ରଥମ ଗୋଲ୍ ଦେଇଥିଲେ। ଆଜି ଥିବା ଶେଷ ମ୍ୟାଚ୍‌ରେ ହରିୟାଣା ଓ ଛତିଶଗଡ଼ ପରସ୍ପରକୁ ଭେଟୁଛନ୍ତି। ମଙ୍ଗଳବାର ଓଡ଼ିଶା-ଉତ୍ତରାଖଣ୍ଡ ସହ ୬ ମ୍ୟାଚ୍‌ ଖେଳାଯିବ।