ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ଜାତୀୟ ବାଳକ ହକି ପ୍ରତିଯୋଗିତାର ୪ଟି ଯାକ କ୍ବାର୍ଟରଫାଇନାଲ ଗୁରୁବାର ଖେଳାଯିବ। ଏହାର ସୂଚୀ ବୁଧବାର ଚୂଡ଼ାନ୍ତ ହୋଇଛି। ପୁଲ୍ ସି’ ପଏଣ୍ଟ୍ ଟେବଲ୍ ଟପ୍ପର ଓଡ଼ିଶା ସମେତ ପୁଲ୍ ଡି’ର ସର୍ବାଧିକ ପଏଣ୍ଟ୍ ହାସଲକାରୀ ହରିୟାଣା, ପୁଲ୍ ଇ’ର ପଞ୍ଜାବ, ପୁଲ୍ ଜି’ର ମଧ୍ୟପ୍ରଦେଶ ଓ ପୁଲ୍ ଏଚ୍’ର ଚଣ୍ଡିଗଡ଼ ପ୍ରମୁଖ ଦଳ ପୂର୍ବରୁ କ୍ବାର୍ଟର ଫାଇନାଲ ସ୍ଥାନ ସୁରକ୍ଷିତ କରି ନେଇଥିଲେ। ବୁଧବାର ନିଜ ନିଜ ଶେଷ ଲିଗ୍ ମ୍ୟାଚ୍କୁ ଜିତି ପୁଲ୍ ଏ’ରୁ ଉତ୍ତରପ୍ରଦେଶ, ପୁଲ୍ ବି’ରୁ ଝାଡ଼ଖଣ୍ଡ, ପୁଲ୍ ଡି’ରୁ ହରିୟାଣା ଏବଂ ପୁଲ୍ ଏଫ୍’ରୁ ଦାଦ୍ରା ନଗର ହାବେଳି ଓ ଡାମନ ଡିୟୁ କ୍ବାର୍ଟରଫାଇନାଲ ସ୍ଥାନ ନିଶ୍ଚିତ କରିଥିଲେ। ବୁଧବାର ଲିଗ୍ ପର୍ଯ୍ୟାୟର ଶେଷ ୫ଟି ମ୍ୟାଚ୍ ଖେଳାଯାଇଥିଲା।
ଉତ୍ତରପ୍ରଦେଶ ଓ କର୍ଣ୍ଣାଟକ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ ସଂପୂର୍ଣ୍ଣ ଏକତରଫା ହୋଇଥିଲା। ଏଥିରେ ଉତ୍ତରପ୍ରଦେଶ ୫-୦ ଗୋଲ୍ରେ ବିଜୟୀ ହୋଇଛି। ସେହିଭଳି ଦ୍ବିତୀୟ ମ୍ୟାଚ୍ରେ ଝାଡ଼ଖଣ୍ଡ ୬-୧ ଗୋଲ୍ରେ ପଶ୍ଚିମବଙ୍ଗକୁ ପରାସ୍ତ କରିଥିବାବେଳେ ହରିୟାଣା ୨୨-୦ ଗୋଲ୍ରେ ଗୋଆକୁ, ତାମିଲନାଡ଼ୁ ୭-୦ ଗୋଲ୍ରେ ପୁଡ଼ୁଚେରୀକୁ ପରାସ୍ତ କରିଛି। ଶେଷ ଲିଗ୍ ମ୍ୟାଚ୍ରେ ଦାଦ୍ରା ନଗର ହାବେଳି ଓ ଡାମନ ଡିୟୁ ୧୦-୨ ଗୋଲ୍ରେ ଆନ୍ଧ୍ରପ୍ରଦେଶକୁ ହରାଇଥିଲା।