ଭୁବନେଶ୍ବର: ଓଡ଼ିଶା ଉପକନିଷ୍ଠ ହକି ଦଳ ଜାତୀୟ ପ୍ରତିଯୋଗିତାର ବିଜେତା ହୋଇଛି। ଛତିଶଗଡ଼ର ରାୟପୁରରେ ଚାଲିଥିବା ଜାତୀୟ ବାଳକ (ଉପକନିଷ୍ଠ) ହକି ପ୍ରତିଯୋଗିତାର ନବମ ସଂସ୍କରଣରେ ଦମ୍ଦାର ପ୍ରଦର୍ଶନ ସହ ଫାଇନାଲ୍ରେ ପହଞ୍ଚିଥିଲା ଓଡ଼ିଶା। ବୁଧବାର ଖେଳାଯାଇଥିବା ଫାଇନାଲ୍ରେ ଏହି ଦଳ ୩-୧ (୨-୨) ସୁଟ୍ଆଉଟ୍ ଗୋଲ୍ରେ ଉତ୍ତର ପ୍ରଦେଶକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ କରାୟତ କରିଥିଲା। ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ୍ର ପ୍ରଥମ କ୍ବାର୍ଟର୍ ଗୋଲ୍ ଶୂନ୍ୟ ଭାବେ ଶେଷ ହୋଇଥିଲା। ହେଲେ ଦ୍ବିତୀୟ କ୍ବାର୍ଟର୍ରେ ଓଡ଼ିଶାକୁ ମିଳିଥିଲା ଏକ ପେନାଲ୍ଟି କର୍ନର। ଯାହାକୁ ଅଧିନାୟକ ଲାବନ ଲୁଗୁନ (୨୪ ମିନିଟ୍) ସଫଳତାର ସହ ଗୋଲ୍ରେ ପରିଣତ କରି ଓଡ଼ିଶାକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ତୃତୀୟ କ୍ବାର୍ଟର୍ରେ ଉତ୍ତର ପ୍ରଦେଶ ଅଧିନାୟକ ସୌରଭ ଆନନ୍ଦ (୩୮ ମିନିଟ୍) ଏହି ଗୋଲ୍ଟି ଶୁଝି ସ୍ଥିତି ସମାନ କରିଦେଇଥିଲେ। ପୁଣି ଚତୁର୍ଥ କ୍ବାର୍ଟର୍ ଆରମ୍ଭରୁ ଅଙ୍କିତ ପ୍ରଜାପତି (୪୯ ମିନିଟ୍)ଙ୍କ ଗୋଲ୍ରେ ଉତ୍ତର ପ୍ରଦେଶ ୨-୧ରେ ଆଗୁଆ ହୋଇଯାଇଥିଲା। ହେଲେ ଏହାର ତିନି ମିନିଟ୍ ପରେ ପ୍ରବୀଣ ଇନ୍ଦ୍ବରଙ୍କ ଗୋଲ୍ରେ ଓଡ଼ିଶା ମ୍ୟାଚ୍ ସ୍ଥିତି ସମାନସ୍ତରକୁ ଆଣି ଦେଇଥିଲା। ନିର୍ଧାରିତ ସମୟ ଶେଷରେ ମ୍ୟାଚ୍ ୨-୨ରେ ଅମୀମାଂସିତ ରହିବାରୁ ଫଳାଫଳ ପାଇଁ ସୁଟ୍ ଆଉଟ୍ର ସହଯୋଗ ନିଆଯାଇଥିଲା। ସୁଟ୍ ଆଉଟ୍ରେ ଓଡ଼ିଶା ୩-୧ରେ ବାଜି ମାରି ବିଜେତା ହୋଇଥିଲା। ସୁଟ୍ ଆଉଟ୍ରେ ଓଡ଼ିଶା ପକ୍ଷରୁ ଲାବନ ଲୁଗୁନ, ରାଜ୍ମୋନ ତେଲି ଓ ରୋଶନ କୁଜୁର ଗୋଲ୍ କରିଥିଲା ବେଳେ ଉତ୍ତର ପ୍ରଦେଶ ପାଇଁ ଏକା ଚନ୍ଦନ ଯାଦବ ଗୋଲ୍ କରିବାକୁ ସମର୍ଥ ହୋଇଥିଲେ। ତେବେ ଅଜୟ ଯାଦବ ଓ ସୁଜିତ୍ କୁମାର ବିଫଳ ହେବାରୁ ଉତ୍ତର ପ୍ରଦେଶ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଥିଲା।
ଅନ୍ୟପକ୍ଷରେ ତୃତୀୟ ସ୍ଥାନ ଲାଗି ମୁକାବିଲାରେ ହକି ଝାଡ଼ଖଣ୍ଡ ୩-୦ ଗୋଲ୍ରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)କୁ ପରାସ୍ତ କରିଥିଲା। ଝାଡ଼ଖଣ୍ଡ ପକ୍ଷରୁ ଫ୍ଲାବ୍ୟୁସ ତିର୍କି (୯ ମିନିଟ୍), ଦୀପକ ସୋରେଙ୍ଗ (୪୮ ମିନିଟ୍) ଏବଂ ଜୋସେଫ୍ ଟପ୍ନୋ (୫୨ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇ କାଂସ୍ୟ ପଦକ ଭେଟି ଦେଇଥିଲେ।
ଜାତୀୟ ବାଳକ ହକିରେ ଓଡ଼ିଶା ବିଜେତା:ସୁଟ୍ଆଉଟ୍ରେ ଉତ୍ତର ପ୍ରଦେଶକୁ ହରାଇଲା
/sambad/media/post_attachments/wp-content/uploads/2019/05/national-boys-hockey.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)