ଭୁବନେଶ୍ବର: ଚେସ୍ ଭୀଷ୍ମ ଅରାତି ବିଜୟ ମହାନ୍ତିଙ୍କ ସ୍ମୃତିରେ ଆଇଆଇଜି ସ୍ପୋର୍ଟସ ଏବଂ ଆରତୀ ୬୪ ସ୍କୋୟାର୍ସ ଫାଉଣ୍ଡେସନ୍ ପକ୍ଷରୁ ଖୋର୍ଦ୍ଧା କେଟି ଗ୍ଲୋବାଲ୍ ସ୍କୁଲ୍ ପରିସରରେ ଚାଲିଥିବା ସର୍ବଭାରତୀୟ ଚେସ୍ ପ୍ରତିଯୋଗିତା ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି। ରାଉରକେଲା ଯୁବକ ଉତ୍କଳ ରଂଜନ ସାହୁ ବିଜେତା ହୋଇଥିବା ବେଳେ କଟକର ନିଲସୁ ପଟ୍ଟନାୟକ ପ୍ରଥମ ଉପବିଜେତା ହୋଇଛନ୍ତି। ବେଙ୍ଗଲର ଆଲେଖ୍ୟ ମୁଖୋପାଧ୍ୟାୟ ଦ୍ବିତୀୟ ଉପବିଜେତା ସମ୍ମାନ ପାଇଛନ୍ତି। ୯ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ଏହି ୩ ଜଣ ଖେଳାଳି ସମାନ ୭.୫ ପଏଣ୍ଟ ପାଇ ଯଥାକ୍ରମେ ଶୀର୍ଷ ୩ ସ୍ଥାନରେ ରହିଥିଲେ। ଅନ୍ୟତମ ବେଙ୍ଗଲ ଖେଳାଳି ସମାନ ୭.୫ ପଏଣ୍ଟ ପାଇଥିଲେ ମଧ୍ୟ ଚତୁର୍ଥରେ ରହିଥିଲେ। ମଙ୍ଗଳବାର ଶୀର୍ଷ ବୋର୍ଡରେ ଉତ୍କଳ ନିଜ ରାଜ୍ୟ ସାଥି କୌସ୍ତଭ ଦାଶଙ୍କ ସହ ପଏଣ୍ଟ ଭାଗ କରିଥିବା ବେଳେ ନିଲସୁ ଯୁବ ଖେଳାଳି ଫକୀର ମାଝୀଙ୍କୁ ମାତ ଦେଇ ପୁରା ପଏଣ୍ଟ ପାଇଥିଲେ।
କୌସ୍ତୁଭ ପଞ୍ଚମରେ ରହିଥିବା ବେଳେ ତପନ ବଡ଼ମୁଣ୍ଡି, ପ୍ରିୟାଂଶ ଦାସ, ସାଜନ କୁମାର ନାୟକ, ଆରିର୍ତ୍ୟ ପାଲ, ଉଦ୍ଦୀପନ ରୟ, କେକେ ଜଗନ୍ନାଥନ, ସଙ୍କେତ ସାଗର ଦାଶ, ରାଜେନ୍ଦ୍ର କୁମାର ସାହୁ, ମନୋଜ କୁମାର ପାଣିଗ୍ରାହୀ, ବିଶାଲ ପଟ୍ଟନାୟକ, ସାଗର ବିଶ୍ବାଳ, ଏ ଚାର୍ଭି, ସତ୍ୟମ ସର୍ବଜିତ ମିଶ୍ର, ବିକାଶ କୁମାର ଲେଙ୍କା, ଶ୍ରୀୟାଂଶ ଦାସ ଶୀର୍ଷ ୨୦ ଭିତରେ ରହି ମୁଖ୍ୟ ପୁରସ୍କାର ବର୍ଗରେ ରହିଥିଲେ। ଜୟଲକ୍ଷ୍ମୀ ସାହୁ, ବିଜୟଲକ୍ଷ୍ମୀ ବାରିକ, ସ୍ଥିତ ପ୍ରଜ୍ଞ ସାହୁ, ହିମାଂଶୁ ମଲ୍ଲିକ, ସୁଶୋଭିତ ଦାସ, ବୋରହାଁ ମୋଲ୍ଲ, ଅଦ୍ବିକ ଆଦିତ୍ୟ ସ୍ବାଇଁ, ଅଦିତି ମହାରଣା, ଜିତେଶ ସାମଲ, ଦେବପ୍ରିୟ ବିଶ୍ବାଳ, ଆଶ୍ରିୟା ସାହୁ, ଜୟଦିତ୍ୟ ପାଢ଼ୀ, ମୌକ୍ତିକ ନାୟକ, ଲଳିତ ରଂଜନ ସାହୁ, ସନ୍ଦୀପ ପ୍ରିୟଦର୍ଶନ ସାହୁ, ଅମିତ କୁମାର ଗୌଡ଼, ରୁତୁଶ୍ରୀ ଋତୁପ୍ରଭା ସାହୁ ପ୍ରମୁଖ ବିଭିନ୍ନ ରେଟିଂ ଓ ବୟସ ବର୍ଗରେ ବିଜେତା ହେବାର ଗୌରବ ଅର୍ଜନ କରିଥିଲେ। ମୋଟ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ପ୍ରତିଯୋଗିତାରେ ନିହାର ରଂଜନ ସାସମଲ ମୁଖ୍ୟ ଅର୍ବିଟର ଥିବା ବେଳେ ଆଇଏ ଜ୍ୟୋତି ଶଙ୍କର ନନ୍ଦ, ଭବେଶ ମହାନ୍ତି, ସନ୍ତୋଷ କୁମାର ମହାପାତ୍ର, ତାପସ କୁମାର ମହାନ୍ତି ଆର୍ବିଟର ଦାୟିତ୍ବ ତୁଲାଇଥିଲେ। ଜଣେ ମହିଳା ଆର୍ବିଟର ଏସଏନଏ ପିଙ୍କି ମହାପାତ୍ର ମଧ୍ୟ ସେକ୍ଟର ଆର୍ବିଟର ଥିଲେ।
ଉଦ୍ଯାପନୀ ଉତ୍ସବରେ କ୍ରୀଡ଼ା ଓ ଯୁବସେବା ବିଭାଗ ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ର, ଏଓସିଏ ସମ୍ପାଦକ ଦେବବ୍ରତ ଭଟ୍ଟ, କେଟି ଗ୍ଲୋବାଲ୍ ସ୍କୁଲ୍ ନିର୍ଦେଶକ ଅଧ୍ୟକ୍ଷ ଦୀପ୍ ଖାରେ, ଓଡ଼ିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ତଥା ଓସିଏ କନିଷ୍ଠ ଚୟନ ସମିତି ମୁଖ୍ୟ ପ୍ରଭଞ୍ଜନ ମଲ୍ଲିକ, ଆଇଆଇଜି ଟେକ୍ନୋଲୋଜିର ନିର୍ଦେଶକ ନିରଂଜନ କୁମାର ପାଢ଼ୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ।