ଜାତୀୟ ଦିବ୍ୟାଙ୍ଗ ଦୌଡ଼କୁଦ: ଜୟନ୍ତୀଙ୍କୁ ଯୁଗଳ ସ୍ୱର୍ଣ୍ଣ; ପଙ୍କଜଙ୍କୁ ପୁଣି ରୌପ୍ୟ

ଭୁବନେଶ୍ୱର: ହରିଆନାର ପଞ୍ଚକୁଳାଠାରେ ଚାଲିଥିବା ଅଷ୍ଟାଦଶ ଜାତୀୟ ଦିବ୍ୟାଙ୍ଗ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶାକୁ ଦ୍ୱିତୀୟ ଦିବସରେ ୩ ପଦକ ମିଳିଛି। ଏଥିରେ ୨ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ସାମିଲ ରହିଛି। ମଙ୍ଗଳବାର ଦ୍ୱିତୀୟ ଦିବସରେ ଟି-୪୭ ବର୍ଗରେ ଜୟନ୍ତୀ ବେହେରା ଉଭୟ ୧୦୦ ଓ ୨୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଜୟନ୍ତୀ ୧୨.୦୯ ସେକେଣ୍ଡ୍‌ ସମୟ ନେଇ ୧୦୦ ମିଟର ଏବଂ ୨୬.୦୫ ସେକେଣ୍ଡ୍‌ ସମୟ ନେଇ ୨୦୦ ମିଟର ଦୌଡ଼ ଶେଷ କରି ସ୍ୱର୍ଣ୍ଣିମ ସଫଳତା ସାଉଁଟିଛନ୍ତି। ଏହା ବ୍ୟତୀତ ଜୟନ୍ତୀ ମଧ୍ୟ ୪୦୦ ମିଟର ଦୌଡ଼ରେ ଫାଇନାଲ୍‌ ପ୍ରବେଶ କରି ଓଡ଼ିଶା ପାଇଁ ଆଉ ଏକ ପଦକ ଜିତିବାର ସମ୍ଭାବନା ଆଣିଛନ୍ତି। ଏଠାରେ ସୂଚନଯୋଗ୍ୟ, ଜୟନ୍ତୀ ଗତ ୨୦୧୬ ଓ ୨୦୧୭ରେ ମଧ୍ୟ ୧୦୦, ୨୦୦ ଓ ୪୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।
ଜୟନ୍ତୀଙ୍କ ୨ ସ୍ୱର୍ଣ୍ଣ ବ୍ୟତୀତ ଟି-୧୩ ବର୍ଗରେ ପଙ୍କଜ ଭୁଏ ବ୍ୟକ୍ତିଗତ ଦ୍ୱିତୀୟ ରୌପ୍ୟ ପଦକ ହାସଲ କରିଛନ୍ତି। ସୋମବାର ପ୍ରଥମ ଦିନ ୧୦୦ ମିଟରରେ ରୌପ୍ୟ ଜିତିଥିବା ପଙ୍କଜ ମଙ୍ଗଳବାର ଦ୍ୱିତୀୟ ଦିନ ବି ଏହି ସଫଳତା ଦୋହରାଇଛନ୍ତି। ପଙ୍କଜ ମଙ୍ଗଳବାର ଲମ୍ବ ଡିଆଁରେ ୬.୨୯ ମିଟର ଦୂରକୁ ଲମ୍ଫ ଦେଇ ଦ୍ୱିତୀୟ ସ୍ଥାନ ପାଇଥିଲେ। ଦୁଇ ଦିନରେ ୨ ରୌପ୍ୟ ପଦକ ଜିତିଥିବା ପଙ୍କଜ ଆସନ୍ତାକାଲି (ବୁଧବାର) ଉଚ୍ଚ ଡିଆଁରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ପଙ୍କଜ ଗତ ୨୦୧୬ ଓ ୨୦୧୭ରେ ଉଭୟ ଉଚ୍ଚ ଡିଆଁ ଓ ଲମ୍ବ ଡିଆଁରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଏହି ସଫଳତା ବଳରେ ଉଭୟ ଜୟନ୍ତୀ ଏବଂ ପଙ୍କଜ ଚଳିତ ବର୍ଷ ଅକ୍ଟୋବରରେ ଆୟୋଜିତ ଏସୀୟ ପାରା କ୍ରୀଡ଼ା ପାଇଁ ଯୋଗ୍ୟତା ହାସଲ କରିନେଇଛନ୍ତି।
ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଅନ୍ୟତମ ଦିବ୍ୟାଙ୍ଗ ଓଡ଼ିଆ ଦେବମୃତ ସାହୁ ଟି-୩୭ ବର୍ଗରେ ୧୫୦୦ ମିଟର ଦୌଡ଼ରେ ସାମିଲ ହୋଇଥିଲେ ମଧ୍ୟ ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି। ସମସ୍ତ ପ୍ରତିଯୋଗୀଙ୍କୁ ଓଡ଼ିଶା ପାରାଲିମ୍ପିକ୍‌ ସଂଘର ସଂପାଦକ ବିଷ୍ଣୁ ଚରଣ ସାହୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର