ଭୁବନେଶ୍ବର: ଓଡ଼ିଶା ଧାବକ ଅନିମେଷ କୁଜୁର ପୁରୁଷ ୨୦୦ ମିଟରରେ ଜାତୀୟ ରେକର୍ଡ ଅଧିକାରୀ ହୋଇଛନ୍ତି। କେରଳର କୋଚିଠାରେ ଆୟୋଜିତ ୨୮ତମ ଜାତୀୟ ଫେଡେରେସନ ଦୌଡ଼କୁଦ ପ୍ରତିଯୋଗିତାରେ ପୂର୍ବରୁ ୧୦୦ ମିଟର ଦୌଡ଼ରେ ରୌପ୍ୟ ଜିତିଥିବା ଅନିମେଷ ଗୁରୁବ‌ାର ୨୦୦ ମିଟର ଫାଇନାଲ୍‌ ରେସ୍‌କୁ ୨୦.୪୦ ସେକେଣ୍ଡରେ ଶେଷ କରି ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏଥିସହ ସେ ଅମ୍ଳାନ ବଡ଼ଗୋହାଇଁ (୨୦.୫୨ ସେକେଣ୍ଡ)ଙ୍କ ନାମରେ ଥିବା ଜାତୀୟ ରେକର୍ଡ ଭାଙ୍ଗିବା ସହ ଏସୀୟ ଚାମ୍ପିଅନ୍‌ସିପ୍‌ ଯୋଗ୍ୟତା ମାନଦଣ୍ଡ (୨୦.୫୩ ସେକେଣ୍ଡ) ମଧ୍ୟ ପୂରଣ କରିଛନ୍ତି। ତାଙ୍କ ପଛକୁ ରିଲାଏନ୍ସ ଫାଉଣ୍ଡେସନ୍‌ର ଅମ୍ଳାନ (୨୦.୮୦) ଏବଂ ତାମିଲନାଡ଼ୁର ରଗୁଲ କୁମାର (୨୦.୮୫ ସେକେଣ୍ଡ) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପାଇଥିଲେ।

Advertisment

ଏହି ଇଭେଣ୍ଟ୍‌ରେ ଭାଗ ନେଇଥିବା ଅନ୍ୟ ଜଣେ ଓଡ଼ିଶା ଖେଳାଳି ଦଣ୍ଡପତି ଏମ୍‌ ଜୟରାମ ଅଯୋଗ୍ୟ ହୋଇ ଯୋଗ୍ୟତା ପର୍ଯ୍ୟାୟରୁ ବିଦାୟ ନେଇଥିଲେ। ଅନିମେଷଙ୍କ ସ୍ବର୍ଣ୍ଣ ସହ ଗୁରୁବାର ଶେଷ ଦିନରେ ଓଡ଼ିଶା ପାଇଁ ଦ୍ବିତୀୟ ପଦକ ଜିତିଛନ୍ତି ଯଶବୀର ନାୟକ (କାଂସ୍ୟ)। ପୁରୁଷ ଡେକାଥଲନ୍‌ରେ ଯଶବୀର ୩୫୨୫ ପଏଣ୍ଟ୍‌ ସହ ତୃତୀୟ ସ୍ଥାନରେ ରହିଥିଲେ। ଅନ୍ୟ ଜଣେ ଓଡ଼ିଆ ଅବ୍ୟକ୍ତ ମିର୍ଦ୍ଧା (୨୮୯୫) ଦଶମ ସ୍ଥାନରେ ଅଭିଯାନ ଶେଷ କରିଥିଲେ। 

ମହିଳା ୨୦୦ ମିଟର ଫାଇନାଲ୍‌ରେ ପହଞ୍ଚିଥିବା ‌ଓଡ଼ିଶା ଭେଟେରାନ୍‌ ଧାବିକା ଶ୍ରାବଣୀ ନନ୍ଦ (୨୪.୭୪ ସେକେଣ୍ଡ) ପଞ୍ଚମ ସ୍ଥାନରେ ରହିଥିଲେ। ମହିଳା ୮୦୦ ମିଟର ଦୌଡ଼ରେ ଲକ୍ଷ୍ମୀପ୍ରିୟା କିଷାନ (୨:୧୧.୯୧) ପଞ୍ଚମ ସ୍ଥାନରେ ରହି ଯୋଗ୍ୟତା ରାଉଣ୍ଡରୁ ବିଦା ହୋଇଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶା ଗୋଟିଏ ସ୍ବର୍ଣ୍ଣ, ୩ ରୌପ୍ୟ ଓ ଗୋଟିଏ କାଂସ୍ୟ ସମେତ ‌ମୋଟ ୫ ପଦକ ସହ ଅଭିଯାନ ଶେଷ କରିଛି। ପୂର୍ବରୁ ଅନିମେଷ (୧୦୦ ମିଟର ଦୌଡ଼), ପ୍ରଜ୍ଞା ପ୍ରଶାନ୍ତି ସାହୁ (୧୦୦ ମିଟର ବାଧାଦୌଡ଼) ଓ ‌ସ୍ବାଧୀନ କୁମାର ମାଝୀ (ଉଚ୍ଚ ଡିଆଁ) ରୌପ୍ୟ ଜିତିଥିଲେ।