ଜାତୀୟ ଫାଇଭ୍‌ ଏ ସାଇଡ୍‌ ହକି :ଓଡ଼ିଶା ମହିଳା ଓ ପୁରୁଷଙ୍କ ବିଜୟ ଅଭିଯାନ

ପଞ୍ଜାବକୁ ୬-୩ରେ ମହିଳା, ମହାରାଷ୍ଟ୍ରକୁ ୫-୩ରେ ପୁରୁଷ ହରାଇଲେ
ବେଙ୍ଗାଲୁରୁ: ତୃତୀୟ ଜାତୀୟ ଫାଇଭ୍‌ ଏ ସାଇଡ୍‌ ବରିଷ୍ଠ ହକି ପ୍ରତିଯୋଗିତାରେ ଓଡ଼ିଶା ମହିଳା ଓ ପୁରୁଷ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଓଡ଼ିଶା ମହିଳା ମଙ୍ଗଳବାର ପ୍ରଥମ ଦିବସରେ ୬-୩ ଗୋଲ୍‌ରେ ପଞ୍ଜାବକୁ ପରାସ୍ତ କରିଦେଇଛି। ନରିନ୍ଦର କୌର ମ୍ୟାଚ୍‌ର ପ୍ରଥମ ମିନିଟ୍‌ରେ ହିଁ ଗୋଲ୍‌ କରି ପଞ୍ଜାବ ଦଳକୁ ଆଗୁଆ କରିଥିଲେ। ହେଲେ ପରବର୍ତୀ ୩ ମିନିଟ୍‌ ମଧ୍ୟରେ ତିନିଟି ଗୋଲ୍‌ ଲଦି ନେଇ ଓଡ଼ିଶା ମ୍ୟାଚ୍‌କୁ ଜୋର୍‌ଦାର ପ୍ରତ୍ୟାବର୍ତନ ସହ ୩-୧ର ଅଗ୍ରଣୀ ପାଇଯାଇଥିଲା। ଏଲିମା ମିଞ୍ଜ୍‌ ଦ୍ୱିତୀୟ ଓ ଚତୁର୍ଥ ମିନିଟ୍‌ରେ ଦୁଇଟି ଗୋଲ୍‌ କରିଥିଲା ବେଳେ ମାରିଆନା କୁଜୁର ତୃତୀୟ ମିନିଟ୍‌ରେ ଗୋଟିଏ ଗୋଲ୍‌ ଦେଇ ପଞ୍ଜାବ ଉପରେ ଚାପ ପ୍ରୟୋଗ କରିଥିଲେ। ଏହାପରେ ସପ୍ତମ ଓ ନବମ ମିନିଟ୍‌ରେ ନରିନ୍ଦର କୌର ଆଉ ଦୁଇଟି ଗୋଲ୍‌ କରି ସ୍ଥିତି ୩-୩ କରି ଦେଇଥିଲେ। ହେଲେ ଅଜ୍‌ମିନା କୁଜୁର (ନବମ ମିନିଟ୍‌), ମାରିଆନା କୁଜୁର (୧୧ ମିନିଟ୍‌) ଏବଂ ରଶ୍ମିତା ମିଞ୍ଜ୍‌ (୧୩ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଯୋଡ଼ିବାକୁ ଓଡ଼ିଶା ଶେଷରେ ୬-୧ରେ ମ୍ୟାଚ୍‌ ଜିତି ନେଇଥିଲା। ଓଡ଼ିଶା ପୁରୁଷ ମଧ୍ୟ ମହାରାଷ୍ଟ୍ରକୁ ହରାଇବାରେ ବିଶେଷ ଅସୁବିଧାର ସମ୍ମୁଖୀନ ହୋଇ ନଥିଲେ। ୫-୩ର ସହଜ ବିଜୟ ହାସଲ କରି ପଏଣ୍ଟ ଖାତା ଖୋଲିଥିଲେ। ଓଡ଼ିଶା ପକ୍ଷରୁ ଆଶିଷ ଟପ୍ପୋ (୫, ୧୦ ମିନିଟ୍‌) ଦୁଇଟି ଗୋଲ୍‌ ଦେଇଥିଲା ବେଳେ ନିତିନ ମୁକେଶ ଟଗା (୯), ଟିକେଇ କୁଜୁର (୧୪), ନୀଲମ ସଞ୍ଜୀବ ଖେସ୍‌ (୧୯) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ମହାରାଷ୍ଟ୍ର ପକ୍ଷରୁ ଟାଇରନ୍‌ ପେରେରା (୬,୧୮) ଦୁଇଟି ଏବଂ ରହିମ ନିୟାଜ (୧୫) ଗୋଟିଏ ଗୋଲ୍‌ ଦେବାକୁ ସକ୍ଷମ ହୋଇଥିଲେ।

ସମ୍ବନ୍ଧିତ ଖବର