ଓଡ଼ିଶା ପୁରୁଷ, ତାମିଲନାଡ଼ୁ ମହିଳା ବିଜେତା

ଜାତୀୟ ଫୁଟ୍‌ବଲ ଟେନିସ୍‌

ଢେଙ୍କାନାଳ: ଢେଙ୍କାନାଳ ମୁଖ୍ୟ ଷ୍ଟାଡ଼ିୟମ୍‌ରେ ଚାଲିଥିବା ତିନି ଦିନିଆ ଅଷ୍ଟମ ଜାତୀୟ ଫୁଟ୍‌ବଲ ଟେନିସ୍‌ ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଛି। ପୁରୁଷ ବିଭାଗରେ ଓଡ଼ିଶା ଏବଂ ମହିଳା ବିଭାଗରେ ତାମିଲନାଡ଼ୁ ଦଳ ବିଜେତା ହୋଇଛି। ଓଡ଼ିଶା ପୁରୁଷ ଦଳ ଏକକ ଓ ଟ୍ରିପଲରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଯୁଗଳରେ ଉପବିଜେତା ହୋଇଥିଲା। ମହିଳା ଏକକରେ ତାମିଲ୍‌ନାଡ଼ୁ ପ୍ରଥମ ହୋଇଥିବା ବେଳେ ଯୁଗଳ ଓ ଟ୍ରିପଲରେ ଉପବିଜେତା ହୋଇଥିଲା। ମହିଳା ଏକକରେ ବିହାର ଓ ଓଡ଼ିଶା ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ମହିଳା ଯୁଗଳରେ ତାମିଲନାଡ଼ୁ ଓ ବିହାର ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ହୋଇଥିଲା। ମହିଳା ଟ୍ରିପଲରେ ବିହାର ବିଜେତା ହୋଇଥିଲା ବେଳେ ତାମିଲନାଡୁ ଓ ଓଡ଼ିଶା ଦ୍ୱିତୀୟ ଓ ତୃତୀୟ, ପୁରୁଷ ଏକକରେ ଓଡ଼ିଶା ବିଜେତା ହୋଇଥିଲା ବେଳେ ଦିଲ୍ଲୀ, ମହାରାଷ୍ଟ୍ର ଦ୍ୱିତୀୟ ଓ ତୃତୀୟ, ପୁରୁଷ ଯୁଗଳରେ ମହାରାଷ୍ଟ୍ର ବିଜେତା, ଓଡ଼ିଶା ଓ ଦିଲ୍ଲୀ ଦ୍ୱିତୀୟ ଓ ତୃତୀୟ, ପୁରୁଷ ଟ୍ରିପଲରେ ଓଡ଼ିଶା ବିଜେତା ହୋଇଥିଲା ବେଳେ ଦିଲ୍ଲୀ ଓ ମହାରାଷ୍ଟ୍ର ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଉଦ୍‌ଯାପନୀ ସଭାରେ ଢେଙ୍କାନାଳ ଜିଲ୍ଲାପାଳ ଭୂପେନ୍ଦ୍ର ସିଂ ପୁନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଉପଜିଲ୍ଲାପାଳ ଶିଳ୍ପା ଶର୍ମା, ଏସ୍‌ପି ବସନ୍ତ କୁମାର ପାଣିଗ୍ରାହୀ, ନଗରପାଳ ସୁଧାଂଶୁ କୁମାର ଦଳେଇ, ବ୍ରହ୍ମକୁମାରୀ ଉଷା ଭଉଣୀ, ଜିଲ୍ଲା ଫୁଟ୍‌ବଲ ଟେନିସ ସଂଘ ସଭାପତି ରାଜକିଶୋର ବେହେରା, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଧରଣୀଧର ନାଥ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଉଭୟ ବିଭାଗର ବିଜେତା ଦଳକୁ ମୁଖ୍ୟ ଅତିଥି ବାଜିରାଉତ ଟ୍ରଫି, ସ୍ୱର୍ଣ୍ଣ ପଦକ ଓ ୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ। ଉପବିଜେତା ଦିଲ୍ଲୀ ପୁରୁଷ ଓ ବିହାର ମହିଳା ଦଳକୁ ଟ୍ରଫି ସହ ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ଖେଳାଳି ଭାବେ ପୁରୁଷ ବିଭାଗରେ ଓଡ଼ିଶାର ରାଜେଶ ବେହେରା ଓ ମହିଳା ବିଭାଗରେ ତାମିଲନାଡ଼ୁର ସଙ୍ଗୀତା ପ୍ରିୟା ପୁରସ୍କୃତ ହୋଇଥିଲେ। ଏହି ଅବସରରେ ହକି ପ୍ରଶିକ୍ଷକ ଗିରିଧାରୀ ସାମଲ, ଓଡ଼ିଶା ପୁଲିସ କମାଣ୍ଡାଣ୍ଟ୍‌ ଶିବନାଥ ସିଂହ, ବିଚିତ୍ରାନନ୍ଦ ଜେନା, ନୀଳମାଧବ ନନ୍ଦ, ଫୁଟ୍‌ବଲ୍‌ ଟେନିସ୍‌ ସଂଘର ସର୍ବଭାରତୀୟ ସଂପାଦକ ସହଦେବ ରାଉତଙ୍କୁ ସମ୍ବର୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର