ଜନଜାତୀୟ ଖେଳ ମହୋ‌ତ୍ସବ ଆଜିଠୁ

ଭୁବନେଶ୍ୱର: କିଟ୍‍ ଓ କିସ୍‌ରେ ଶୁକ୍ରବାରଠୁ ପ୍ରଥମ ଜନଜାତୀୟ ଖେଳ ମହୋତ୍ସବ ଆରମ୍ଭ ହେବ। ଭାରତର ୨୬ଟି ରାଜ୍ୟରୁ ପ୍ରାୟ ୫ହଜାରରୁ ଊର୍ଦ୍ଧ୍ୱ ପ୍ରତିନିଧି ଏଥିରେ ଯୋଗଦେବେ। ଗୁରୁବାର ବିଭିନ୍ନ ପ୍ରାନ୍ତରୁ ଖେଳାଳି, ପ୍ରଶିକ୍ଷକ ଓ ଅଫିସିଆଲ୍‍ ଆସି କିଟ୍‌ରେ ପହଞ୍ଚିବାରେ ଲାଗିଛନ୍ତି। ତୀରନ୍ଦାଜି, ଦୌଡ଼କୁଦ, ଫୁଟ୍‍ବଲ୍‍, ହକି, କବାଡ଼ି, ଖୋ ଖୋ, ରଗ୍‍ବି, ସନ୍ତରଣ, ଭଲିବଲ୍‍ ଓ ଯୋଗାସନ ଆଦି ବିଭିନ୍ନ ବର୍ଗରେ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବେ।

ଜନଜାତି ଛାତ୍ରଛାତ୍ରୀ ଓ ଖେଳାଳିଙ୍କ କ୍ରୀଡ଼ା ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ପ୍ରଥମ ଥର ଲାଗି ଏଭଳି ଏକ ପଦକ୍ଷେପ ଗ୍ରହଣ କରାଯାଇଛି। କିଟ୍‍ ଓ କିସ୍‍ ଜନଜାତିଙ୍କ ଶିକ୍ଷା ଓ କ୍ରୀଡ଼ାକୁ ଯଥେଷ୍ଟ ଧ୍ୟାନ ଦେଉଥିବାରୁ କିଟ୍‌ରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି। ଜାତୀୟସ୍ତରର ଏହି ପ୍ରତିଯୋଗିତା ପାଇଁ କିଟ୍‍ ଓ କିସ୍‍କୁ ଚୟନ କରିଥିବାରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଉଭୟ ଅନୁଷ୍ଠାନ ଏଥିପାଇଁ ଗର୍ବିତ ବୋଲି କହିଛନ୍ତି। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ, ଓଡ଼ିଶା ସରକାର ଓ କିଟ୍‍ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ପ୍ରଥମ ଜନଜାତୀୟ ଖେଳ ମହୋତ୍ସବ ଆୟୋଜନ କରାଯାଉଛି ବୋଲି ଶ୍ରୀ ସାମନ୍ତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର