ଜାତୀୟ ବାଳିକା ଫୁଟ୍‌ବଲ୍‌, ହରିୟାଣାର ବୃହତ୍‌ ବିଜୟ

କଟକ: ଜାତୀୟ ଉପ କନିଷ୍ଠ ବାଳିକା ଫୁଟ୍‌ବଲ ପ୍ରତିଯୋଗିତାରେ ରବିବାର ହରିୟାଣା ବୃହତ୍‌ ବ୍ୟବଧାନରେ ତ୍ରିପୁରାକୁ ପରାସ୍ତ କରିଛି। ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ହରିୟାଣା ୨୨-୦ ଗୋଲ୍‌ରେ ବିଜୟୀ ହୋଇଥିଲା। ବିଜୟୀ ଦଳ ପାଇଁ ପୁଷ୍ପା ଦେବୀ ୯ (୮, ୨୦, ୨୧, ୪୪, ୫୯, ୬୦, ୬୨, ୭୩, ୭୫ ମିନିଟ୍‌), ରୀନା ୩ (୧୬, ୨୭, ୫୬ ମିନିଟ୍‌), ବର୍ଷିକା (୬୪, ୯୩ ମିନିଟ୍‌), ପ୍ରୀତି (୫୨, ୬୫ ମିନିଟ୍‌) ଓ କାଜଲ (୭୮, ୮୦ ମିନିଟ୍‌) ୨ ଲେଖାଏଁ ଗୋଲ୍‌ କରିଥିଲା ବେଳେ କଳ୍ପନା ୪୨ ମିନିଟ୍‌ ଓ ଅଙ୍କୁଶ ୮୯ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଏଠାରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ଆସାମ ୬-୦ ଗୋଲ୍‌ରେ ତେଲେଙ୍ଗାନାକୁ ହରାଇଛି। ଅଧିନାୟିକା ସୋନମ ଦତ୍ତ ୫ ଗୋଲ୍‌ (୪୫, ୫୫, ୫୯, ୭୦, ୯୪ ମିନିଟ୍‌) ଦେଇଥିଲା ବେଳେ କୁହି ରାଜକୁମାରୀ ୬୫ ମିନିଟ୍‌ରେ ଅନ୍ୟ ଏକ ଗୋଲ ଦେଇ ଦଳକୁ ଏକତରଫା ଜିତାଇଥିଲେ। ତୃତୀୟ ମ୍ୟାଚ୍‌ରେ ତାମିଲନାଡୁ ୭-୧ ଗୋଲ୍‌ରେ ମଧ୍ୟପ୍ରଦେଶକୁ ପରାସ୍ତ କରିଛି। ବିଜୟୀ ଦଳ ପାଇଁ ଆର‌୍‌ ଧର୍ଷିନୀ (୧୬, ୬୪, ୬୬, ୭୦ ମିନିଟ୍‌) ୪, ରେଶମା (୩୨ ମିନିଟ୍‌), ଜନନୀ ଡି (୩୭ ମିନିଟ୍‌), ଜେ ମଧୁମିତା (୪୧ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ତେବେ ୫୪ ତମ ମିନିଟ୍‌ରେ ମଧ୍ୟପ୍ରଦେଶର ସାହିସ୍ତା ବାନୋ ଗୋଟିଏ ଗୋଲ୍‌ ଶୁଝିବାରେ ସକ୍ଷମ ହୋଇଥିଲେ। ଡ୍ରିମ୍ସ ପଡ଼ିଆରେ ପଶ୍ଚିମବଙ୍ଗ ଓ ଛତିଶଗଡ଼ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମା˚ସିତ ରହିଥିଲା। ଛତିଶଗଡ଼ ପାଇଁ ୩ ମିନିଟ୍‌ରେ ଗୀତା କାଶ୍ୟପ ଓ ପଶ୍ଚିମବଙ୍ଗ ପାଇଁ ୭୪ ମିନିଟ୍‌ରେ ସୋନାଲି ସୋରେନ୍‌ ଗୋଲ୍‌ କରିଥିଲେ।

ସମ୍ବନ୍ଧିତ ଖବର