କଟକ: ଘରୋଇ ଓଡ଼ିଶା ବାଳିକା ଦଳ ଜାତୀୟ ଉପ କନିଷ୍ଠ ଫୁଟ୍‌ବଲ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛି। ୧୦ ତାରିଖରେ ହେବାକୁଥିବା ସେମି ଫାଇନାଲ୍‌ରେ ଓଡ଼ିଶାର ମୁକାବିଲା କେରଳ ସହିତ ହେବ। ଏହି ମ୍ୟାଚ ସକାଳ ୮ଟାରେ ଖେଳାଯିବ। ସେହିପରି ଦ୍ୱିତୀୟ ସେମି ଫାଇନାଲ୍‌ ହିମାଚଳ ପ୍ରଦେଶ ଓ ମଣିପୁର ମଧ୍ୟରେ ଅନୁଷ୍ଠିତ ହେବ। ରବିବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ୍‌ ମ୍ୟାଚରେ ଓଡ଼ିଶା ୯-୦ ଗୋଲରେ ଚଣ୍ଡୀଗଡ଼କୁ ହରାଇଥିଲା। ବିଜୟୀ ଦଳ ପାଇଁ ଅଧିନାୟିକା ସୁମିତ୍ରା ହେମ୍ବ୍ରମ୍‌ ୨ ମିନିଟ୍‌ରେ ପ୍ରଥମ ଗୋଲ ଦେଇଥିଲାବେଳେ ମନୀଷା ନାଏକ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ସେ ୨, ୩୫, ୫୫ ମିନିଟ୍‌ରେ ତିନି ଗୋଦେଇଥିବାବେଳେ ଜ୍ୟୋତି କୁମାରୀ ୪୨ ଓ ୫୭ ମିନିଟ୍‌ରେ ଦୁଇ ଗୋଲ, ଶୁଭସ୍ମିତା ଦାସ ୨୧ ମିନିଟ୍‌ ଓ ବର୍ଷା ମହାକୁଡ଼ ୭୧ ମିନିଟ୍‌ରେ ଗୋଲ ସ୍କୋର କରିଥିଲେ। ୬୭ ମିନିଟ୍‌ରେ ଚଣ୍ଡୀଗଡ଼ର ଆତ୍ମଘାତୀ ଗୋଲ ଜରିଆରେ ଓଡ଼ିଶାକୁ ଆଉ ଏକ ଗୋଲ ମିଳିଯାଇଥିଲା। ଏଠାରେ ଖେଳାଯାଇଥିବା ଅନ୍ୟଏକ ମ୍ୟାଚରେ ହିମାଚଳ ପ୍ରଦେଶ ୭-୦ ଗୋଲରେ ଉତ୍ତରପ୍ରଦେଶକୁ ହରାଇଛି। ମନୀଷା ୧୮, ୭୧ ମିନିଟ୍‌ ଓ ଅଞ୍ଜୁ ୬୦, ୭୪ ମନିଟ୍‌ରେ ଦୁଇଟି ଲେଖାଏଁ ଗୋଲ ଦେଇଥିଲାବେଳେ ବର୍ଷା ୫୬ ମିନିଟ୍‌ ଓ କିରଣ ୨୮ ମିନିଟ୍‌ରେ ଗୋଲ ଗୋଲ ସ୍କୋର କରିଥିଲେ।

Advertisment

ରେଭେନ୍ସା ବିଶ୍ୱବିଦ୍ୟାଳୟ ପଡ଼ିଆରେ କେରଳ ୫-୪ ଗୋଲରେ ମହାରାଷ୍ଟ୍ରକୁ ପରାସ୍ତ କରିଛି। ଏହି ରୋମାଞ୍ଚକ ମ୍ୟାଚରେ ମହାରାଷ୍ଟ୍ର ପକ୍ଷରୁ ୧୩ ତମ ମିନିଟ୍‌ରେ ମେହେକ ଲୋବୋ ଓ ୩୭ ତମ ମିନିଟ୍‌ରେ ସାଇ ସଙ୍ଖେ ପ୍ରଥମାର୍ଧରେ ଗୋଲ ଦେଇଥିଲେ। ତେବେ କେରଳର ଶ୍ରୀଲକ୍ଷ୍ମୀ ୧୮ ମିନିଟ୍‌ରେ ଗୋଟିଏ ଗୋଲ ପରିଶୋଧ କରିଥିଲେ। ଦ୍ୱିତୀୟାର୍ଧରେ କେରଳର ପି ମାଳବିକା ୫୮ ଓ ୬୯ ମିନିଟ୍‌ରେ ଦୁଇ ଗୋଲ ଦେଇ ଦଳକୁ ଅଗ୍ରଣୀ କରିଥିଲେ। ହେଲେ ୭୫ ମିନିଟ୍‌ରେ ସାଇ ସଙ୍ଖେ ଦ୍ୱିତୀୟ ଗୋଲ ଦେଇ ମ୍ୟାଚକୁ ବରାବର ସ୍ଥିତିରେ ପହଞ୍ଚାଇଥିଲେ। ନିର୍ଧାରିତ ସମୟରେ ଫଳାଫଳ ନଆସିବାରୁ ଅତିରିକ୍ତ ସମୟକୁ ମ୍ୟାଚ ଯାଇଥିଲା। ଏଥିରେ ୧୦୫ ମିନିଟ୍‌ରେ ମହାରାଷ୍ଟ୍ରର ପ୍ରିୟଙ୍କା ସୁଜେଶ ଗୋଲ ଦେଇ ବିପକ୍ଷ ଦଳକୁ ଚାପରେ ରଖିଥିଲେ ବି ୧୦୭ ଓ ୧୧୭ ମିନିଟ୍‌ରେ ମାଳବିକା ଦୁଇଟି ଗୋଲ ଦେଇ କେରଳକୁ ମ୍ୟାଚରେ ବିଜୟୀ କରାଇଥିଲେ। ଏଠାରେ ଖେଳାଯାଇଥିବା ଅନ୍ୟଏକ ମ୍ୟାଚରେ ମଣିପୁର ୫-୧ ଗୋଲରେ ଝାଡ଼ଖଣ୍ଡକୁ ହରାଇଛି। ବିଜୟୀ ଦଳ ପାଇଁ ଭୁଙ୍ଗଲାଓ୍ଵମଚିଙ୍ଗ ୧୮ ମିନିଟ୍‌, ନାଓରେମ୍‌ ଦେବୀ ୬୮ ମିନିଟ୍‌, ଲିଣ୍ଡା କମ୍‌ ୪୮, ୬୩, ୭୯ ମିନିଟ୍‌ରେ ତିନି ଗୋଲ ସ୍କୋର କରିଥିଲେ। ଅନ୍ୟପକ୍ଷରେ ସୁନୀତା ମୁଣ୍ଡା ୭୩ ମିନିଟ୍‌ରେ ଗୋଟିଏ ଗୋଲ ପରିଶୋଧ କରିବାକୁ ସକ୍ଷମ ହୋଇଥିଲେ।