ଜାତୀୟ ବାଳିକା ଫୁଟ୍‌ବଲ୍‌:ଓଡ଼ିଶା-ମଣିପୁର ଫାଇନାଲ୍‌ ଗୁରୁବାର

ଭୁବନେଶ୍ୱର/କଟକ: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ଉପ କନିଷ୍ଠ ବାଳିକା ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ଗୁରୁବାର ମଣିପୁର ସହିତ ଫାଇନାଲ୍‌ ମ୍ୟାଚ୍‌ ଖେଳିବ। ମଙ୍ଗଳବାର ଖେଳାଯାଇଥିବା ସେମିଫାଇନାଲରେ ଓଡ଼ିଶା ୬-୧ ଗୋଲ୍‌ରେ କେରଳକୁ ଏବଂ ମଣିପୁର ୩-୨ ଗୋଲ୍‌ରେ ହିମାଚଳ ପ୍ରଦେଶକୁ ହରାଇ ଟ୍ରଫି ହାସଲ ପାଇଁ ନିଜ ନିଜ ପାଦ ବଢ଼ାଇଛନ୍ତି। ଓଡ଼ିଶା ପକ୍ଷରୁ ମାଳତି ମୁଣ୍ଡା (୭, ୬୪ ମନିଟ୍‌), ମନୀଷା ନାଏକ (୩୭, ୪୪ ମିନିଟ୍‌), ଜ୍ୟୋତି କୁମାରୀ (୬୧, ୬୫ ମିନିଟ୍‌) ଗୋଲ୍‌ ଦେଇଥିଲେ। କେରଳ ପକ୍ଷରୁ ଏକମାତ୍ର ଗୋଲ୍‌ ପି ମାଳବିକା (୧୯ ମିନିଟ୍‌) ଦେଇଥିଲେ। ପ୍ରଥମାର୍ଧ ସୁଦ୍ଧା ୩-୧ରେ ଆଗୁଆ ରହିଥିବା ଓଡ଼ିଶା ଦ୍ୱିତୀୟାର୍ଧରେ ମଧ୍ୟ ଆଉ ୩ ଗୋଲ୍‌ ଦେଇଥିଲା। ଜ୍ୟୋତି ଓ ମାଳତି ୪ ମିନିଟ୍‌ ମଧ୍ୟରେ ୩ ଗୋଲ୍‌ ଦେଇ ଦ୍ୱିତୀୟାର୍ଧକୁ ଏକତରଫା କରି ଦେଇଥିଲେ। ଦ୍ୱିତୀୟ ସେମିଫାଇନାଲ୍‌ରେ ମଣିପୁର ପାଇଁ ଏସ୍‌ ଲିଣ୍ଡା କମ୍‌ (୪୧, ୭୪ ମିନିଟ୍‌), ହେମମ୍‌ ଶିଲ୍‌କୀ ଦେବୀ (୯୧ ମିନିଟ୍‌) ଏବଂ ହିମାଚଳ ପାଇଁ ଅଧିନାୟିକା ଅଞ୍ଜୁ (୬୭, ୭୫) ଗୋଲ୍‌ ଦେଇଥିଲେ। ଗୁରୁବାର ଫାଇନାଲ୍‌ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମ୍‌ରେ ଅପରାହ୍‌ଣ ୩.୩୦ ମିନିଟ୍‌ରେ ଖେଳାଯିବ।

ସମ୍ବନ୍ଧିତ ଖବର