ଜାତୀୟ ବାଳିକା ହକି: ଅପରାଜିତ ଓଡ଼ିଶା କ୍ବାର୍ଟରରେ

ଭୁବନେଶ୍ବର: ଝାଡ଼ଖଣ୍ଡର ସିମଡେଗାରେ ଚାଲିଥିବା ଜାତୀୟ ବାଳିକା ହକିର ଏକାଦଶତମ ସଂସ୍କରଣରେ ଓଡ଼ିଶା ଅପରାଜିତ ରହି କ୍ବାର୍ଟର ଫାଇନାଲ୍‌ରେ ସ୍ଥାନ ପକ୍କା କରିଛି। ପ୍ରଥମ ଦୁଇ ମ୍ୟାଚ୍‌ରେ ହକି ହିମାଚଳକୁ ୧୨-୦ ଏବଂ ଛତିଶଗଡ଼କୁ ୯-୦ର ହରାଇଥିବା ଓଡ଼ିଶା ସୋମବାର ନିଜ ଗ୍ରୁପ୍‌ର ଶେଷ ମ୍ୟାଚ୍‌ରେ ହକି ମଧ୍ୟପ୍ରଦେଶକୁ ୯-୦ ବ୍ୟବଧାନରେ ପରାସ୍ତ କରିଦେଇଛି। ଗ୍ରୁପ୍‌-ଜି’ର ଏହି ମ୍ୟାଚ୍‌ରେ କମଳା ସିଂହ (୨ ମିନିଟ୍‌)ଙ୍କ ଗୋଲ୍‌ରେ ଓଡ଼ିଶା ଅଭିଯାନ ଆରମ୍ଭ କରିଥିଲା। ଏହା ପରେ ନେହା ଲାକ୍ରା (୮, ୫୮ ମିନିଟ୍‌) ଓ ଜ୍ୟୋତି (୪୯, ୫୫) ଦୁଇଟି ଲେଖାଏଁ ଏବଂ ଦିପୀ ମୋନିକା ଟୋପ୍ପୋ (୨୨ ମିନିଟ୍‌), ମମତା କିଣ୍ଡୋ (୨୭ ମିନିଟ୍‌), ସନ୍ଧ୍ୟା କୁଜୁର (୪୩ ମିନିଟ୍‌) ଓ ଆଟେନ ଟପ୍ନୋ (୫୯ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦଳକୁ ଏହି ବିଜୟ ଦେଇଥିଲେ। ଗ୍ରୁପ୍‌-ଜି’ ବିଜେତା ଓଡ଼ିଶା ମଙ୍ଗଳବାର କ୍ବାର୍ଟର ଫାଇନାଲ୍‌ରେ ହକି ହରିୟାଣାକୁ ଭେଟିବ। ଅନ୍ୟ କ୍ବାର୍ଟର ଫାଇନାଲ୍‌ରେ ଆୟୋଜକ ଝାଡ଼ଖଣ୍ଡ-ପଞ୍ଜାବ, ଅନ୍ଧ୍ରପ୍ରଦେଶ-ଚଣ୍ଡିଗଡ଼ ଓ ଉତ୍ତର ପ୍ରଦେଶ-ମହାରାଷ୍ଟ୍ର ମୁହାଁମୁହିଁ ହେବେ।

ଗ୍ରୁପ୍‌-ଜିର ଅନ୍ୟ ଏକ ମ୍ୟାଚ୍‌ରେ ଛତିଶଗଡ଼ ୬-୩ରେ ହିମାଚଳକୁ ପରାସ୍ତ କରିଥିଲେ ମଧ୍ୟ କ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିବାରେ ବିଫଳ ହୋଇଥିଲା। ସେହିପରି ବିହାର ୩-୧ରେ ଗୋଆକୁ ହରାଇଥିଲେ କ୍ବାର୍ଟର ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିନଥିଲା। ତେବେ ଚଣ୍ଡିଗଡ଼ ୨୦-୦ରେ ଜମ୍ମୁ କାଶ୍ମୀରକୁ ଏବଂ ଉତ୍ତର ପ୍ରଦେଶ ୧୨-୦ରେ ଉତ୍ତରାଖଣ୍ଡକୁ ପରାସ୍ତ କରି କ୍ବାର୍ଟର ଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଥିଲେ।

ସମ୍ବନ୍ଧିତ ଖବର