ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ଉପକନିଷ୍ଠ ଜାତୀୟ ବାଳିକା ହକି ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଛି। ଫାଇନାଲ୍ରେ ଝାଡ଼ଖଣ୍ଡକୁ ପରାସ୍ତ କରି ହରିୟାଣା ବିଜେତା ହୋଇଥିଲା ବେଳେ ତୃତୀୟ ସ୍ଥାନ ମୁକାବିଲାରେ ଉତ୍ତର ପ୍ରଦେଶକୁ ସୁଟ୍ଆଉଟ୍ (୪-୩) କରି ଆୟୋଜକ ଓଡ଼ିଶା କାଂସ୍ୟ ପଦକ ହାସଲ କରିଛି।
ରବିବାର ସନ୍ଧ୍ୟାରେ ହରିୟାଣା ଓ ଝାଡ଼ଖଣ୍ଡ ମଧ୍ୟରେ ଖେଳାଯାଇଥିବା ଫାଇନାଲ ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ହୋଇଥିଲା। ମ୍ୟାଚ୍ର ୭ମ ମିନିଟ୍ରେ ଝାଡ଼ଖଣ୍ଡର ସଙ୍ଗୀତା କୁମାରୀ ପ୍ରଥମ ଗୋଲ୍ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ତେବେ ଦ୍ବିତୀୟ କ୍ବାର୍ଟର୍ର ୨୫ତମ ମିନିଟ୍ରେ ହରିୟାଣାର ଭବ୍ୟା ଏକ ଚମତ୍କାର ଗୋଲ୍ ଦେଇ ସ୍କୋର୍ ୧-୧ କରିଥିଲେ। ଏହାର ଦୁଇ ମିନିଟ୍ ପରେ ଝାଡ଼ଖଣ୍ଡର ଅଙ୍କିତା ମିଞ୍ଜ (୨୭) ଗୋଟିଏ ଗୋଲ ଦେଇ ଦଳକୁ ପୁଣି ୨-୧ରେ ଆଗୁଆ କରିଥିଲେ। କିନ୍ତୁ ମ୍ୟାଚ୍ର ୩୬ତମ ମିନିଟ୍ରେ ହରିୟାଣାର ମୀନାକ୍ଷୀ ଗୋଟିଏ ଗୋଲ୍ ଦେଇ ସ୍କୋର ପୁଣି ୨-୨ କରିଥିଲେ। ଏହାପରେ ଉଭୟ ଦଳ ଘନଘନ ଆକ୍ରମଣ ଜାରି ରଖିଥିବା ବେଳେ ୫୮ତମ ମିନିଟ୍ରେ ହରିୟାଣା ଏକ ପେନାଲ୍ଟି କର୍ଣ୍ଣର୍ ସୁଯୋଗ ପାଇଥିଲା। ଏହି ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା ନ କରି ଭବ୍ୟା ଗୋଲ୍ରେ ପରିଣତ କରି ସ୍କୋର୍କୁ ୩-୨କୁ ବଢ଼ାଇଥିଲେ। ଶେଷରେ ସେହି ୩-୨ ଗୋଲ୍ରେ ହିଁ ହରିୟାଣା ମ୍ୟାଚ୍ ଜିତି ବିଜେତା ସ୍ବରୂପ ସ୍ବର୍ଣ୍ଣ ପଦକ ହାସଲ କରିଥିଲା।
ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ଓଡ଼ିଶା-ଉତ୍ତରପ୍ରଦେଶ ମ୍ୟାଚ୍ ମଧ୍ୟ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମ୍ୟାଚ୍ର ଷଷ୍ଠ୍ ମିନିଟ୍ରେ ଉତ୍ତରପ୍ରଦେଶର ରଶ୍ମୀ ରାଇକୱାର ଗୋଲ୍ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ଦ୍ବିତୀୟ କ୍ବାର୍ଟର ଗୋଲ୍ ଶୂନ୍ୟ ରହିଥିଲା। ତେବେ ୪୩ତମ ମିନିଟ୍ରେ ଓଡ଼ିଶା ପାଇଥିବା ପେନାଲ୍ଟି କର୍ଣ୍ଣର ମ୍ୟାଚ୍ର ସମୀକରଣ ବଦଳାଇଦେଇଥିଲା। ଏହି ସୁଯୋଗକୁ ସୋନାଲୀ ଏକ୍କା ଗୋଲ୍ରେ ରୂପାନ୍ତର କରି ସ୍କୋର୍ ୧-୧ରେ ବରାବର କରିଥିଲେ। ଅନ୍ତିମ କ୍ବାର୍ଟର ଗୋଲ୍ ଶୂନ୍ୟ ରହିବାରୁ ମ୍ୟାଚ୍ ୧-୧ରେ ଅମୀମାଂସିତ ରହିଥିଲା। ଏହାପରେ ସୁଟ୍ଆଉଟ୍ର ସହାୟତା ନିଆଯାଇଥିଲା। ଏଥିରେ କିନ୍ତୁ ବାଜିମାରି ନେଇଥିଲା ଓଡ଼ିଶା। ସେମିଫାଇନାଲ ମ୍ୟାଚ୍ର ତ୍ରୁଟି ସୁଧାରି ଓଡ଼ିଶା ଖେଳାଳି ସୁଟ୍ଆଉଟ୍ରେ ୪-୩ରେ ଉତ୍ତରପ୍ରଦେଶକୁ ପରାସ୍ତ କରି ତୃତୀୟ ସ୍ଥାନରେ ରହିଥିଲା।