ଜାତୀୟ ବାଳିକା ହକି: ଛତିଶଗଡ଼କୁ ୯-୦ରେ ହରାଇଲା ଓଡ଼ିଶା

ଭୁବନେଶ୍ବର: ଝାଡ଼ଖଣ୍ଡର ସିମଡେଗାରେ ଚାଲିଥିବା ଜାତୀୟ ବାଳିକା ହକିର ଏକାଦଶତମ ସଂସ୍କରଣରେ ଓଡ଼ିଶା କ୍ରମାଗତ ବିଜୟ ହାସଲ କରିଛି। ଗୁରୁବାର ପ୍ରଥମ ମ୍ୟାଚ୍‌ରେ ହକି ହିମାଚଳକୁ ୧୨-୦ ଗୋଲ୍‌ରେ ପରାସ୍ତ କରିଥିବା ଓଡ଼ିଶା ଶନିବାର ଦ୍ବିତୀୟ ମ୍ୟାଚ୍‌ରେ ଛତିଶଗଡ଼କୁ ୯-୦ର ପୁଣି ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଦେଇଛି। ପୁଲ୍‌-ଜି’ର ଏହି ମ୍ୟାଚ୍‌ରେ ଦୀପି ମୋନିକା (୫୪ ଓ ୫୮ ମିନିଟ୍‌) ଦୁଇଟି ଗୋଲ୍‌ କରିଥିଲା ବେଳେ ନେହା ଲାକ୍ରା (୩ ମିନିଟ୍‌), କମଲା ସିଂହ (୫ ମିନିଟ୍‌), ସନ୍ଧ୍ୟା କୁଜୁର (୯ ମିନିଟ୍‌), ନିମାବତୀ ସିଂହ (୧୩ ମିନିଟ୍‌), ଆତେନ ଟପ୍ନୋ (୨୩ ମିନିଟ୍‌), ନିକିତା ଟପ୍ପୋ (୨୮ ମିନିଟ୍‌) ଏବଂ ନେହା ଟପ୍ପୋ (୫୭ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଯୋଡ଼ି ଓଡ଼ିଶା‌କୁ ଏକପାଖିଆ ବିଜୟ ଭେଟି ଦେଇଥିଲେ। ଓଡ଼ିଶା ଖେଳିଥିବା ଦୁଇଟି ମ୍ୟାଚ୍‌ରେ ମୋଟ ୨୧ ଗୋଲ୍‌ କରିସାରିଥିଲା ବେଳେ ବିପକ୍ଷରେ ଗୋଟିଏ ହେଲେ ଗୋଲ୍‌ ବରଣ କରିନାହିଁ। ଏହି ପୁଲ୍‌ର ଅନ୍ୟ ଏକ ମ୍ୟାଚ୍‌ରେ ମଧ୍ୟପ୍ରଦେଶ ନିକଟରୁ ହକି ହିମାଚଳ ୧-୩ ଗୋଲ୍‌ରେ ହାରି ଯାଇଛି। ହିମାଚଳର ଏହା ଲଗାତାର ଦ୍ବିତୀୟ ପରାଜୟ।

ଶନିବାର ଚତୁର୍ଥ ଦିବସର ଅନ୍ୟ ମ୍ୟାଚ୍‌ଗୁଡ଼ିକରେ ମଣିପୁର ୭-୫ରେ ଉତ୍ତରାଖଣ୍ଡ (ପୁଲ୍‌-ଡି)କୁ, ଦିଲ୍ଲୀ ୧୨-୧ରେ ଗୁଜରାଟ (ପୁଲ୍‌-ଇ)କୁ, ଚଣ୍ଡୀଗଡ଼ ୯-୧ରେ ବିହାରକୁ ଏବଂ ଗୋଆ ୪-୦ରେ ଜମ୍ମୁ ଓ କାଶ୍ମୀର (ପୁଲ୍‌-ଏଫ୍‌)କୁ ପରାସ୍ତ କରିଛି।

ସମ୍ବନ୍ଧିତ ଖବର