ଭୁବନେଶ୍ବର: ଅହମଦାବାଦରେ ଚାଲିଥିବା ଇଣ୍ଡିଆନ୍ ମହିଳା ଲିଗ୍ (ଆଇଡବ୍ଲୁଏଲ୍) ଫୁଟ୍ବଲ୍ ପ୍ରତିଯୋଗିତାରେ ଓଡ଼ିଶା ଏଫ୍ସି ଲଗାତାର ଚତୁର୍ଥ ବିଜୟ ସହ କ୍ବାର୍ଟରଫାଇନାଲ୍ ସ୍ଥାନ ନିଶ୍ଚିତ କରିଛି। ବୁଧବାର ଏହି ଓଡ଼ିଶା ଭିତ୍ତିକ ଦଳ ନିଜର ଷଷ୍ଠ ମ୍ୟାଚ୍ରେ ସେଲ୍ଟିକ କ୍ବିଇନ୍ସ ଏଫ୍ସିକୁ ୩-୦ ଗୋଲ୍ରେ ପରାସ୍ତ କରିଥିଲା। ପୂର୍ବରୁ ଓଡ଼ିଶା ସିଆର୍ପିଏଫ୍କୁ ହରାଇବା ପରେ କିକ୍ ଷ୍ଟାର୍ଟ ଏଫ୍ସିଠୁ ପରାସ୍ତ ହୋଇଥିଲା। ଏହାପରେ ଦଳ ଅପରାଜେୟ ଧାରା ଜାରି ରଖି ଇଷ୍ଟର୍ଣ୍ଣ ସ୍ପୋର୍ଟିଂ ୟୁନିଅନ, ଚର୍ଚିଲ ବଦର୍ସ ଏଫ୍ସି ଗୋଆ ଏବଂ ଲର୍ଡ୍ସ ଏଫ୍ଏ କୋଚି-ୱାଇଏମ୍ଏଏକୁ ହରାଇଥିଲା।
ଅହମଦାବାଦର ସାହିବଗ ପୁଲିସ ଷ୍ଟାଡିୟମରେ ଖେଳାଯାଇଥିବା ବୁଧବାର ମ୍ୟାଚ୍ର ତୃତୀୟ ମିନିଟ୍ରେ ଜଗରନଟ୍ସ ଭାବେ ପରିଚିତ ଓଡ଼ିଶା ଦଳ ଅଗ୍ରଣୀ ନେଇ ବିପକ୍ଷ ଦଳକୁ ଚାପରେ ରଖିଥିଲା। ଫୌସ୍ତିନା ଏହି ଗୋଲ୍ଟି ଦେଇଥିଲେ। ଏହାପରେ ପ୍ରଥମାର୍ଦ୍ଧର ଇନ୍ଜୁରି ସମୟରେ ବନ୍ୟା କବିରାଜ (୪୫+୨ ମିନିଟ୍)ଙ୍କ ଗୋଲ୍ରେ ଓଡ଼ିଶା ସ୍ଥିତି ୨-୦ କରିଥିଲା। ଦ୍ବିତୀୟାର୍ଦ୍ଧର ଇନ୍ଜୁରି ସମୟରେ ଏସ୍ ଲିଣ୍ଡା କମ୍ (୯୦+୩ ମିନିଟ୍)ଙ୍କ ଗୋଲ୍ରେ ଓଡ଼ିଶାର ବିଜୟ ବ୍ୟବଧାନ ୩-୦ ହୋଇଥିଲା। ଅଞ୍ଜୁ ତମାଙ୍ଗ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହି ସହିତ ଗ୍ରୁପ୍-ବି’ରେ ଓଡ଼ିଶା ଏଫ୍ସି ୬ ମ୍ୟାଚ୍ରୁ ପଞ୍ଚମ ବିଜୟ ଏବଂ ୧୫ ପଏଣ୍ଟ ସହ ତାଲିକାର ଦ୍ବିତୀୟ ସ୍ଥାନକୁ ଉଠିଛି।