ଭୁବନେଶ୍ବର: ଜାତୀୟ କନିଷ୍ଠ ବର୍ଗ ପରେ ବରିଷ୍ଠ ବର୍ଗର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତା ଗୁରୁବାର କଳିଙ୍ଗ ଷ୍ଟାଡିୟମ୍‌ରେ ଉଦ୍‌ଯାପିତ ହୋଇଯାଇଛି। ୩ ଦିନିଆ ଏହି ପ୍ରତିଯୋଗିତାରେ ଓଡ଼ିଶା ଚମତ୍କାର ପ୍ରଦର୍ଶନ କରି ୭ ପଦକ ଜିତିଛି। ରାକେଶ ପାତ୍ର ଦୁଇଟି ସ୍ବର୍ଣ୍ଣ ପଦକ ସହ ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଥିଲେ। ରାକେଶ ପ୍ରଥମ ଦିବସରେ ପୁରୁଷ ବିଭାଗରେ ଅଲ୍‌ରାଉଣ୍ଡ୍‌ ସ୍ବର୍ଣ୍ଣ ପଦକ ଜିତିଥିବା ବେ‌ଳେ ଓଡ଼ିଶା ଦଳଗତ କାଂସ୍ୟ ପଦକ ହାସଲ କରିଥିଲା। ଗୁରୁବାର ଶେଷ ଦିନରେ ରାକେଶ ବ୍ୟକ୍ତିଗତ ଭାବେ ୩ଟି ପଦକ ଜିତିଥିଲେ। ଷ୍ଟିଲ୍ ରିଙ୍ଗ୍ସରେ ୧୩.୫୩୩ ପଏଣ୍ଟ ସହ ଶୀର୍ଷରେ ରହିଥିବା ବେ‌ଳେ କେରଳର କେପି ସ୍ବସ୍ତିଶ (୧୩.୨୦୦)ଙ୍କୁ ପଛରେ ପକାଇ ଦେଇଥିଲେ। ଏହି ଇଭେଣ୍ଟରେ ଥିବା ଅନ୍ୟତମ ଉଦୀୟମାନ ଓଡ଼ିଆ ଖେଳାଳି ତପନ ମହାନ୍ତି ୧୩.୧୬୭ ପଏଣ୍ଟ ସହ ତୃତୀୟରେ ରହି କାଂସ୍ୟ ପଦକ ଜିତିଛନ୍ତି। ରାକେଶଙ୍କୁ ଦ୍ବିତୀୟ ପଦକଟି ମିଳିଛି ପାରାଲେଲ୍ ବାର୍‌ସରେ। ସର୍ଭିସେସ୍‌ର ସୈଫ ତ‌ାମ୍ବୋଲି (୧୩.୯୦୦)ଙ୍କ ପଛକୁ ରହି ରାକେଶ (୧୩.୪୩୩) ରୌପ୍ୟ ପଦକ ହାସଲ କରିଛନ୍ତି।

Advertisment

ସର୍ଭିସେସ୍‌ର ଗୌରବ କୁମାର (୧୩.୩୩୩) କାଂସ୍ୟ ପଦକ ଜିତିଥିବା ବେଳେ ତପନ ମହାନ୍ତି (୧୩.୨୩୩) ଅଳ୍ପକେ କାଂସ୍ୟ ପଦକରୁ ବଞ୍ଚିତ ହୋଇଛନ୍ତି। ରାକେଶ ଚତୁର୍ଥ ବ୍ୟକ୍ତିଗତ ପଦକ ଜିତିଥିଲେ ହରାଇଜଣ୍ଟାଲ୍ ବାର ଇଭେଣ୍ଟରୁ। ଗୁରୁବାରର ଶେଷ ଇଭେଣ୍ଟ ଭାବେ ଖେଳାଯାଇଥିବା ବେଳେ ଏହି ଇଭେଣ୍ଟରେ ରାକେଶ ୧୨.୨୩୩ ପଏଣ୍ଟ୍‌ ସହ ଆଗଆ ରହିଥିଲେ ମଧ୍ୟ ଶେଷ ଦୁଇ ପ୍ରତିଦ୍ବନ୍ଦ୍ବୀ ହରିୟାଣାର ଯୋଗେଶ୍ବର (୧୩.୦୦୦) ଓ ସର୍ଭିସେସ୍‌ର ଗୌରବ କୁମାର (୧୨.୩୦୦) ରାକେଶଙ୍କୁ ସ୍ବର୍ଣ୍ଣରୁ କାଂସ୍ୟ ପଦକ ସ୍ଥାନକୁ ଖସାଇ ଦେଇଛନ୍ତି। ଏହି ଇଭେଣ୍ଟରେ ଅନ୍ୟତମ ଓଡ଼ିଆ ତପନ ମହାନ୍ତି ପ୍ରଥମ ପ୍ରୟାସରେ ବିଫଳ ହେବା ପରେ ଦ୍ବିତୀୟରେ ୧୦.୪୬୭ ପଏଣ୍ଟ ସହ ଅଷ୍ଟମ ତଥା ଶେଷ ସ୍ଥାନରେ ରହିଥିଲେ। ଓଡ଼ିଶା ପାଇଁ ଅନ୍ୟ ଦୁଇ ପଦକ ଜିତିଛନ୍ତି ଯତୀନ କୁମାର (ରୌପ୍ୟ, ପୁରୁଷ ଫ୍ଲୋର୍ ଏକ୍ସରସାଇଜ୍, ୧୨.୫୩୩ ପଏଣ୍ଟ୍‌) ଏବଂ କରିସ୍ମା (କାଂସ୍ୟ, ମହିଳା ଅନଇଭିନ୍‌ ବାର୍‌ସ, ୧୦.୩୦୦ ପଏଣ୍ଟ୍‌)। ରାକେଶ ବ୍ୟକ୍ତିଗତ ଭାବେ ୪ ଓ ଦଳଗତ ଭାବେ ଗୋଟିଏ ପଦକ ଜିତିଛନ୍ତି। ପୂର୍ବରୁ ପ୍ରଥମ ଦୁଇ ଦିନରେ ପୁରୁଷ ଓ ମହିଳା ବର୍ଗରେ ରେଳବାଇ ବିଜେତା ହୋଇ ଦ୍ବିମୁକୁଟ ଅର୍ଜନ କରିଥିଲା। ରେଳବାଇ ଦଳର ପ୍ରଶିକ୍ଷକ ଭାବେ ପୂର୍ବତନ ଓଡ଼ିଆ ଜିମ୍ନାଷ୍ଟ ଶୁଭେନ୍ଦ୍ର ପାତ୍ର ଥିବାରୁ ଏହା ମଧ୍ୟ ରାଜ୍ୟ ପାଇଁ ଆଉ ଏକ ଖୁସି ଖବର ଆଣିଛି। ଉଦ୍‌ଯାପନୀ ଉତ୍ସବରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ସଚିବ ଆର୍‌ ଭିନୀଲ କ୍ରିଷ୍ଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଶେଷ ଦିନରେ ପୂର୍ବତଟ ରେଳବାଇ କ୍ରୀଡ଼ା ସଂଘର ସାଧାରଣ ସମ୍ପାଦକ ଅଜୟ କୁମାର ସାମଲ ମଧ୍ୟ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ପଦକ ପ୍ରଦାନ ଉତ୍ସବରେ ସାମିଲ ହୋଇଥିଲେ।