ଜାତୀୟ ହ୍ୟାଣ୍ତ୍‌ବଲ ପ୍ରତିଯୋଗିତା ଉଦ୍‌ଯାପିତ: ଆନ୍ଧ୍ର ମହିଳା, କେନ୍ଦୁଝର ପୁରୁଷ ବିଜେତା

ବୈରୀ: ଯାଜପୁର ଜିଲ୍ଲା ହ୍ୟାଣ୍ଡ୍‌ବଲ ସଂଘ ପକ୍ଷରୁ ଆୟୋଜିତ ଜାତୀୟ ହ୍ୟାଣ୍ଡ୍‌ବଲ୍‌ ପ୍ରତିଯୋଗିତା ଶନିବାର ଉଦଯାପିତ ହୋଇଯାଇଛି। ମହିଳା ବିଭାଗରେ ଆନ୍ଧ୍ର ପ୍ରଦେଶ ଓ ପୁରୁଷ ବିଭାଗରେ କେନ୍ଦୁଝର ଦଳ ବିଜେତା ହୋଇଛନ୍ତି। ମହିଳା ଫାଇନାଲରେ ଜଗତସିଂପୁରକୁ ୨୧-୧୨ରେ ପରାସ୍ତ କରି ଆନ୍ଧ୍ର ପ୍ରଦେଶ ବିଜେତା ହୋଇଥିଲା ବେଳେ ପୁରୁଷ ଫାଇନାଲ୍‌ରେ ଝାଡ଼ଖଣ୍ତକୁ ୧୬-୧୨ ଗୋଲ୍‌ରେ ପରାସ୍ତ କରି କେନ୍ଦୁଝର ବିଜେତା ହୋଇଛି। ମହିଳା ବିଜେତା ଆନ୍ଧ୍ରକୁ ଟ୍ରଫି ସହିତ ୧୦ ହଜାର ଟଙ୍କା ଓ ଉପବିଜେତା ଜଗତସିଂପୁର ଦଳକୁ ଟ୍ରଫି ସହ ୭ ହଜାର ଟଙ୍କା ପ୍ରଦାନ କରାଯାଇଛି। ସେହିପରି ପୁରୁଷ ବିଜେତା କେନ୍ଦୁଝରକୁ ଟ୍ରଫି ସହିତ ୧୫ ହଜାର ଟଙ୍କା ଏବଂ ଉପବିଜେତା ଝାଡ଼ଖଣ୍ଡ ଦଳକୁ ଟ୍ରଫି ସହିତ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏହି ପ୍ରତିଯୋଗିତାର ପୁରୁଷ ବିଭାଗରେ ଝାଡ଼ଖଣ୍ତ, ବିହାର, ଆନ୍ଧ୍ରପ୍ରଦେଶ, ବିଶାଖାପାଟଣା ଆରର୍ମି ଟିମ୍, ଗୋଆ, ମହାରାଷ୍ଟ୍ର, ପଣ୍ତିଚେରୀ ଆଦି ରାଜ୍ୟ ଭାଗ ନେଇଥିବା ବେ‌ଳେ ଓଡ଼ିଶାରୁ ଯାଜପୁର, ଗଞ୍ଜାମ, ପୁରୀ, କେନ୍ଦୁଝର ସମେତ ୧୨ ଟି ଦଳ ଭାଗ ନେଇଥିଲେ। ସେହିପରି ମହିଳା ବିଭାଗରେ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ତ, ବିହାର, ମହାରାଷ୍ଟ୍ର, ଓଡ଼ିଶା ପୁଲିସ୍‌, କଟକ, କେନ୍ଦୁଝର, ଜଗତସିଂହପୁର, ଗଞ୍ଜାମ ଆଦି ଦଳ ଭାଗ ନେଇଥିଲେ। ଉଦ୍‌ଯାପନୀ ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ୍ ଗ୍ୟାସ୍‌ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ବିଜୟୀ ଦଳକୁ ପୁରସ୍କୃତ କରିଥିଲେ।

ସମ୍ବନ୍ଧିତ ଖବର