ଦୁଲୁକିଲା ଦିଲ୍ଲୀ: ଜାତୀୟ ହକି ପ୍ରାୟୋଜକ ହେବାରେ ଓଡ଼ିଶା ପ୍ରଥମ

ନୂଆଦିଲ୍ଲୀ: ଗୁରୁବାର ଜାତୀୟ ଓ ରାଜ୍ୟ ହକିରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଥିଲା। ପ୍ରଥମ ଏବଂ ଏକମାତ୍ର ରାଜ୍ୟ ଭାବେ ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ହେଲା। ଏହି ଖବର ହକି ପ୍ରେମୀଙ୍କୁ ଉଲ୍ଲସିତ ହେବାର ଖୋରାକ ଦେଲା। ନୂଆଦିଲ୍ଲୀରେ ଆଜି ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ’ଓଡ଼ିଶା’ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଜାତୀୟ ହକିକୁ ନିଜ ହାତରେ ଗଢ଼ି ତୋଳିବାର ପଣ ନେଇଥିବା ଘୋଷଣା କଲେ। ଯାହା ଓଡ଼ିଶା ନୁହେଁ ରାଜଧାନୀ ଦିଲ୍ଲୀକୁ ବି ଦୁଲୁକାଇ ଦେଇଥିଲା।

ତାରକା ଖେଳାଳିଙ୍କ ଆକର୍ଷଣ

ନୂଆଦିଲ୍ଲୀର ତାରକା ହୋଟେଲ୍‌ ଲଲିତରେ ଗୁରୁବାର ଅନୁଷ୍ଠିତ ଏହି ଉତ୍ସବ ଥିଲା ଅତି ଗାମ୍ଭୀର୍ଯ୍ୟ। ରାଜନେତା ଓ ପ୍ରଶାସକଙ୍କ ତୁଳନାରେ ଖେଳାଳିମାନେ କିନ୍ତୁ ଥିଲେ ମୁଖ୍ୟ ଆକର୍ଷଣ। ପୁରୁଷ ଦଳ ଅଧିନାୟକ ମନପ୍ରୀତ୍‌ ସିଂହ ଓ ମହିଳା ଦଳ ଅଧିନାୟିକା ରାଣୀ ରାମପାଲଙ୍କ ମଞ୍ଚ କାର୍ଯ୍ୟକ୍ରମ ପରେ ଗଣମାଧ୍ୟମ ପଡ଼ିଥିଲା ଏମାନଙ୍କ ପଛରେ। ପୁରୁଣା ଦିନର କିଛି ଅଲିମ୍ପିଆନଙ୍କ ସହିତ ପଦ୍ମଶ୍ରୀ ଦିଲ୍ଲୀପ ତିର୍କି, ଧନରାଜ ପିଲ୍ଲେ ଏବଂ ବୀରେନ୍‌ ରସକିନା କିିନ୍ତୁ ବସିଥିଲେ କ୍ୟାପ୍‌ଟେନ୍‌ କର୍ନର କାର୍ଯ୍ୟକ୍ରମରେ। ମଞ୍ଚ ବାହାରେ ହକି ଅଲିମ୍ପିଆନ ଲାଜରୁସ୍‌ ବାର୍ଲାଙ୍କ ସହିତ ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କି, ସୁଭଦ୍ରା ପ୍ରଧାନ, ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କି୍ରକେଟର୍‌ ଦେବାଶିଷ ମହାନ୍ତି, ଧାବିକା ଅଲିମ୍ପିଆନ୍‌ ଅନୁରାଧା ବିଶ୍ୱାଳ, ଦୂତୀ ଚାନ୍ଦ, ଅଲିମ୍ପିଆନ୍‌ ଭାରୋତ୍ତୋଳକ କେ ରବିକୁମାର, ଭାରତୀୟ ମହିଳା ଫୁଟ୍‌ବଲ୍‌ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ ମହିଳା କ୍ରିକେଟର୍‌ ମାଧୁରୀ ମେହଟ୍ଟା ଉପସ୍ଥିତ ଥିଲେ। ଶାସକ ଦଳର ବହୁ ସାଂସଦ, କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ, ପ୍ରଗତିବାଦୀ ସମ୍ପାଦକ ସମାହିତ ବଳ, ଭାରତୀୟ ଚେସ୍‌ ସଂଘ ସମ୍ପାଦକ ଭରତ ସିଂହ ଚୌହାନ, ଭାରତୀୟ ଦୌଡ଼କୁଦ ସଂଘ ସଭାପତି ଆଦିଲ ସୁମରିଓ୍ଵାଲ ଆଦି ପ୍ରମୁଖ ବ୍ୟକ୍ତି ମାନେ ନିମନ୍ତ୍ରିତ ହୋଇ ଏହି ଐତିହାସିକ ଘୋଷଣା ଉତ୍ସବରେ ସାମିଲ୍‌ ଥିଲେ।

ଓଡ଼ିଶାକୁ ପ୍ରଶଂସାରେ ପୋତିଲେ

ଭାରତୀୟ ହକିକୁ ସମର୍ଥନର ଲମ୍ବା ହାତ ବଢ଼ାଇଥିବା ଓଡ଼ିଶା ସରକାରଙ୍କୁ ପ୍ରଶଂସାରେ ପୋତିଥିଲେ ସମସ୍ତେ। ଭାରତୀୟ ମହିଳା ଦଳର ଅଧିନାୟିକା ରାଣୀ ରାମପଲ୍‌ କହିଥିଲେ ଏଭଳି ଏକ ନୂଆ ଯାତ୍ରାର ଆରମ୍ଭ ହେବା ଆମକୁ ଖୁସୀ ଦେଇଛି। ଏହା ଦ୍ୱାରା ସମସ୍ତେ ନିଶ୍ଚିତ ଉତ୍ସାହିତ ହେବେ। ଘରୋଇ ପ୍ରଶଂସକଙ୍କ ସମର୍ଥନ ଅଲଗା ଶକ୍ତି ଯୋଗାଏ। ସେହିଭଳି ପୁରୁଷ ଦଳର ଅଧିନାୟକ ମନପ୍ରୀତ୍‌ ସିଂହ କହିଥିଲେ, ଓଡ଼ିଶାରେ ଖେଳୁଥିବାବେଳେ ପ୍ରଶଂସକଙ୍କ ଉପସ୍ଥିତି ସବୁଠାରୁ ଉତ୍ସାହଜନକ ରହିଥାଏ। ବହୁତ ମଜା ଆସିଥାଏ। ଓଡ଼ିଶା ପ୍ରଶଂସକଙ୍କ ଭଳି ସମର୍ଥନ ଭାରତରେ କୌଣସିଠି ମିଳି ନ ଥାଏ । କିମ୍ବଦନ୍ତୀ ତାରକା ଧନରାଜ ପିଲ୍ଲେ କହିଥିଲେ ଭୁବନେଶ୍ୱର ପ୍ରଶଂସକଙ୍କୁ ଦେଖି ମୋତେ ସବୁଦିନ ସେଠାରେ ଖେଳିବାକୁ ଇଚ୍ଛା ହୁଏ। ସେମାନେ କେବଳ ନିଜ ଦଳକୁ ନୁହେଁ ହକିକୁ ଭଲ ପାଆନ୍ତି। ଓଡ଼ିଶାବାସୀ ହକିର ଅସଲ ପ୍ରଶଂସକ ବୋଲି ଦର୍ଶାଇଥିଲେ ଧନରାଜ। ଆମେ ନବୀନଙ୍କ ଭଳି ମୁଖ୍ୟମନ୍ତ୍ରୀ ଆବଶ୍ୟକ କରୁଛୁ ବୋଲି ଧନରାଜ ମୁକ୍ତକଣ୍ଠରେ ପ୍ରକାଶ କରିଥିଲେ। ଭାରତୀୟ ଦଳର ଅନ୍ୟତମ ପୂର୍ବତନ ଅଧିନାୟକ ବୀରେନ୍‌ ରସକିନା କହିଥିଲେ ଭୁବନେଶ୍ୱରରେ ଭାରତୀୟ ଦଳ ବିଶ୍ୱକପ୍‌ ଜିତି ପାରିବ। ୧୯୭୫ ମସିହା ପରେ ଭାରତ ବିଶ୍ୱକପ୍‌ରେ ପଦକ ଜିିତିନଥିବାରୁ ଭୁବନେଶ୍ୱରରେ ଏହା ସମ୍ଭବ ବୋଲି ଆଶା କରିବି। ଓଡ଼ିଶାରୁ ଦିଲୀପ ତିର୍କିଙ୍କ ବାଦ୍‌ ଲାଜରୁସ୍‌ ବାର୍ଲା ଏବଂ ପ୍ରବୋଧ ତିର୍କିଙ୍କ ସହିତ ତାଙ୍କ ଖେଳ ଜୀବନ କଥା ମନେ ପକାଇଥିଲେ ବୀରେନ୍‌।

ମୁଖ୍ୟମନ୍ତ୍ରୀ ମୋ କଳ୍ପନା ବାହାରେ କାମ କରୁଛନ୍ତି: ଦିଲୀପ ତିର୍କି

ଭାରତୀୟ ହକି ପାଇଁ ଆଜି ନିଶ୍ଚିତ ଏହା ଏକ ଐତିହାସିକ ଦିନ। ଭରତୀୟ ପୁରୁଷ ଓ ମହିଳା ଦଳକୁ ପ୍ରାୟୋଜିତ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହୋଇଛି। ପୂର୍ବରୁ ଆମେ ଏକମାତ୍ର ରାଜ୍ୟ ଭାବେ ହକି ଇଣ୍ଡିଆ ଲିଗ୍‌ରେ କଳିଙ୍ଗ ଲାନ୍‌ସର୍ସକୁ ନେଇ ବିଜେତା ହୋଇଥିଲୁ। ଏବେ ଭାରତୀୟ ହକିକୁ ଏକ ରାଜ୍ୟ ସରକାର ପ୍ରାୟୋଜିତ କରିବା ଭଳି ଖୁସୀ ଓ ଗୌରବର କଥା କିଛି ନାହିଁ। ମୋ ଅନୁଭବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳ୍ପନା ବାହାରେ କାମ କରୁଛନ୍ତି। ଖେଳ ପାଇଁ କିଛି କହିବା ପୂର୍ବରୁ ସେ ସେ ଅଜାଚିତ ସମର୍ଥନ ଦେଉଛନ୍ତି। ପ୍ରଥମ ରାଜ୍ୟ ଭାବେ ମଧ୍ୟ ଜନଜାତି କ୍ରୀଡ଼ା ଆୟୋଜନ କରି ନୂଆ ଧାରା ଆରମ୍ଭ କରିଛନ୍ତ। ଏହା ଦ୍ୱାରା ଖେଳ ଜରିଆରେ ଆଗକୁ ବଢ଼ିବାକୁ ଆଦିବାସୀ ସମ୍ପ୍ରଦାୟକୁ ସୁଯୋଗ ମିଳୁଛି। ଅଧିକରୁ ଅଧିକ ଯୁବ ଖେଳାଳି କିଭଳି ଆସିବେ ଏବଂ ଖେଳରେ ଥିବା ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗର ଫାଇଦା ନେବେ ଆମର ଲକ୍ଷ୍ୟ ରହିଛି ବୋଲି ରାଜ୍ୟସଭା ସାଂସଦ ଦିଲୀପ କହିଥିଲେ।

ସୋନା ଲାଇଭ୍‌ରୁ ଆରମ୍ଭ

 

ଜଣାଶୁଣା କ୍ରୀଡ଼ା ଉପସ୍ଥାପକ ଗୌରବ କପୁରଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଚାଲିଥିଲା। କିନ୍ତୁ ଖ୍ୟାତନାମା ଓଡ଼ିଆ ବଲିଉଡ୍‌ ଗାୟିକା ସୋନା ମହାପାତ୍ରଙ୍କ ‘ଆହେ ନୀଳ ଶୈଳ…’ ଗାୟନରୁ ହିଁ ଉତ୍ସବର ଶୁଭାରମ୍ଭ ହୋଇଥିଲା। ଚର୍ଚିତ ରଙ୍ଗବତି ରଙ୍ଗବତି ଗୀତରେ ତାଙ୍କ ମତୁଆଲା ଓ ମନୋରମ କାର୍ଯ୍ୟକ୍ରମ ଶେଷ ହୋଇଥିଲା। ଏହା ପରେ ଓଡ଼ିଶା ତଥା ସୁନ୍ଦରଗଡ଼ ହକି ଉପରେ ଆଧାରିତ ଏକ ସ୍ୱତନ୍ତ୍ର ଭିଡିଓ ପ୍ରଦର୍ଶିତ ହୋଇଥିଲା।

ସମ୍ବନ୍ଧିତ ଖବର