ଭୁବନେଶ୍ୱର: ବେଙ୍ଗାଲୁରୁର ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ)ରେ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ଜାତୀୟ ହକି ଶିବିର। ସଫଳ ନ୍ୟୁଜିଲାଣ୍ଡ୍ ଗସ୍ତ ପରେ ଭାରତୀୟ ଦଳ ଏବେ ଏହି ଶିବିରରେ ଯୋଗଦେବ। ଜାପାନ, ଆୟୋଜକ ନ୍ୟୁଜିଲାଣ୍ଡ୍ ଏବଂ ବିଶ୍ୱ ମାନ୍ୟତାର ତୃତୀୟ ବେଲ୍ଜିୟମ୍ ବିପକ୍ଷରେ ବିଜୟ ଖେଳାଳିମାନଙ୍କ ଆତ୍ମବିଶ୍ୱାସ ବଢ଼ାଇ ଦେଇଛି। ଚଳିତ ବର୍ଷ ମଧ୍ୟ ଭାରତୀୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆଗକୁ ୨୭ତମ ସୁଲ୍ତାନ ଆଜ୍ଲାନ୍ ସାହା କପ୍ (ମାର୍ଚ ୩ରୁ ୧୦), ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା (ଏପ୍ରିଲ ୪ରୁ) ଏବଂ ଅଗଷ୍ଟରୁ ଏସୀୟ କ୍ରୀଡ଼ା ଭାରତୀୟ ଦଳ ପାଇଁ ଅପେକ୍ଷା କରିଛି। ଏସିଆର ଶ୍ରେଷ୍ଠ ଦଳ ମାନ୍ୟତା ସାଙ୍ଗକୁ ସ୍ୱର୍ଣ୍ଣ ପଦକ ବଜାୟ ରଖିବା ଭାରତ ପାଇଁ ଅହ୍ଵାନ ପାଲଟିବ। ପୁଣି ଚଳିତ ବର୍ଷ ନେଦରଲାଣ୍ଡ୍ର ବ୍ରେଡାରେ ଚାମ୍ପିଅନ୍ସ ଟ୍ରଫି ଏବଂ ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ବିଶ୍ୱକପ୍ (ନଭେମ୍ବରରେ) ମଧ୍ୟ ଭାରତୀୟ ଦଳ ପାଇଁ ଅପେକ୍ଷା କରିଛି। ସୁଲ୍ତାନ ଆଜ୍ଲାନ ସାହା କପ୍ରେ ଭାରତ ବିଶ୍ୱ ମାନ୍ୟତାର ଶୀର୍ଷ ଅଷ୍ଟ୍ରେଲିଆ, ଦ୍ୱିତୀୟ ଆର୍ଜେଣ୍ଟିନା ବ୍ୟତୀତ ଇଂଲଣ୍ଡ ସହ ଖେଳିବ। ଏଥିପାଇଁ ଆମକୁ ପୂରାମାତ୍ରାରେ ପ୍ରସ୍ତୁତି କରିବାକୁ ପଡ଼ିବ ବୋଲି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଜୋଏର୍ଡ ମାରିନ୍ କହିଛନ୍ତି। ଏହି ସବୁ ବୃହତ୍ ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ଶୁକ୍ରବାର ଜାତୀୟ ଶିବିର ପାଇଁ ୩୩ ଜଣିଆ ଖେଳାଳି ତାଲିକା ଘୋଷଣା କରିଛି। ଏଥିରେ ଓଡ଼ିଶାରୁ ୪ ଜଣଙ୍କୁ ସ୍ଥାନ ମିଳିଛି। ସେମାନେ ହେଲେ ଅମିତ୍ ରୋହିଦାସ, ଦୀପ୍ସାନ ତିର୍କି, ବୀରେନ୍ଦ୍ର ଲାକ୍ରା ଏବଂ ନୀଲମ୍ ସଞ୍ଜୀବ୍ ଖେସ୍। ୧୧ ତାରିଖ ଦିନ ଖେଳାଳିମାନେ ମୁଖ୍ୟ ପ୍ରଶିକ୍ଷକଙ୍କ ନିକଟରେ ସେମାନଙ୍କ ଉପସ୍ଥିତି ଜାହିର କରିବେ।
ଓଡ଼ିଶାରୁ ଅମିତ୍, ଦୀପ୍ସାନ୍, ବୀରେନ୍ଦ୍ର ଓ ନୀଲମ୍
ଜାତୀୟ ଶିବିର ପାଇଁ ୩୩ ଜଣିଆ ହକି ଦଳ
/sambad/media/post_attachments/wp-content/uploads/2018/01/hockey-essay.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)