ଖେଳାଳି ପହଞ୍ଚିଲେ, ଆଜିଠୁ ଜାତୀୟ ହକି ଶିବିର

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଜାତୀୟ ପ୍ରଶିକ୍ଷଣ ଶିବିର ଲାଗି ରବିବାର ଖେଳାଳି ପହଞ୍ଚିଛନ୍ତି। ଆଜି ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହଙ୍କ ସହ ୨୩ ଜଣ ଖେଳାଳି ପହଞ୍ଚିଛନ୍ତି। ସୋମବାର ବଳକା ଦୁଇ ଖେଳାଳି ପହଞ୍ଚିବାର ଅଛି। ସୋମବାରଠାରୁ ଶିବିର ଆରମ୍ଭ ହେବ। ତେବେ ଆସନ୍ତାକାଲି ଅପରାହ୍ନରେ ଖେଳାଳିମାନେ କେବଳ ଶାରୀରିକ ବ୍ୟାୟାମ କରିବେ। ମଙ୍ଗଳବାର ସକାଳେ ଷ୍ଟାଡିୟମ୍‌ ଆସି ଅଭ୍ୟାସ ଆରମ୍ଭ କରିବେ। ଏହି ଶିବିର ଅକ୍ଟୋବର ୧୪ ପର୍ଯ୍ୟନ୍ତ ଚାଲିବ। ଏଥିରୁ ହିଁ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି ଲାଗି ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯିବ। ଶିବିର ଶେଷ ହେବାର ୪ ଦିନ ପରେ ଅର୍ଥାତ୍‌ ଅକ୍ଟୋବର ୧୮ରୁ ଓମାନର ମାସ୍କଟଠାରେ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବ। ଶିବିରରେ କିନ୍ତୁ ଜଣେ ହେଲେ ବି ଓଡ଼ିଆ ଖେଳାଳି ସ୍ଥାନ ପାଇ ନାହାନ୍ତି। ପ୍ରକୃତରେ ଶିବିରରେ ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ଥିଲେ। ହେଲେ ଆଘାତ ଜନିତ ସମସ୍ୟା ଯୋଗୁଁ ତାଙ୍କୁ ବିଶ୍ରାମ ଦିଆଯାଇଥିବା ଅଧିନାୟକ ପିଆର୍‌ ଶ୍ରୀଜେଶ ଭୁବନେଶ୍ୱର ପହଞ୍ଚିବା ପରେ ସୂଚନା ଦେଇଛନ୍ତି।

ଦୁର୍ବଳତା ଦୂର କରିବାକୁ ଚେଷ୍ଟା କରିବୁ: ହରେନ୍ଦ୍ର
ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି ପାଇଁ ଏହି ଶିବିର ଆୟୋଜନ କରାଯାଇଛି। ଏଥିରେ ଦଳରେ ଥିବା କେତେକ ଦୋଷ ଦୁର୍ବଳତା ଦୂର କରିବା ଉପରେ ଜୋର୍‌ ଦିଆଯିବ। ସେହିଭଳି ଖେଳାଳିମାନଙ୍କ ଫିଟନେସ୍‌ ଏବଂ ଦକ୍ଷତାକୁ ମଧ୍ୟ ଆମେ ତଉଲିବୁ। ପ୍ରଭାବଶାଳୀ ପ୍ରଦର୍ଶନ କରୁଥିବା ଖେଳାଳିମାନେ ହିଁ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି ଦଳରେ ସ୍ଥାନ ପାଇବେ। ଭୁବନେଶ୍ୱର ପହଞ୍ଚିବା ପରେ ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ ଏହା କହିଛନ୍ତି। ଅଷ୍ଟାଦଶ ଏସିଆଡରେ ହୋଇଥିବା ଭୁଲରୁ ଶିକ୍ଷା ନେଇ ଖେଳାଳିମାନେ ଏହାକୁ ଦୂର କରିବାକୁ ଚେଷ୍ଟା କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ବିଶ୍ୱକପ୍‌ ବହୁତ ବଡ଼ ପ୍ରତିଯୋଗିତା। ଏହା ପୂର୍ବରୁ ଆମେ ଦଳରେ ଥିବା ଛୋଟ ଛୋଟ ଦୁର୍ବଳତା ଦୂର କରିବୁ ବୋଲି ସେ ମତ ରଖିଥିଲେ।

ଗୋଟିଏ ଭୁଲ ପାଇଁ ଏସିଆଡ୍‌ ସ୍ୱର୍ଣ୍ଣରୁ ବଞ୍ଚିତ ହେଲୁ: ଶ୍ରୀଜେଶ
ଇଣ୍ଡୋନେସିଆରେ ଆୟୋଜିତ ଅଷ୍ଟାଦଶ ଏସିଆଡ୍‌ରେ ଆମେ ଭଲ ଖେଳିଥିଲୁ। ହେଲେ ସେମିଫାଇନାଲରେ କରିଥିବା ଗୋଟିଏ ଭୁଲ ପାଇଁ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହେଲୁ। ସେହି ପରାଜୟରୁ ଆମେ ଅନେକ କିଛି ଶିଖିଛୁ। ଏସିଆଡ୍‌ ଦଳରେ ଥିବା ଅଧିକାଂଶ ଖେଳାଳି ଭୁବନେଶ୍ୱର ଜାତୀୟ ଶିବିରରେ ଥିବାରୁ ସ୍କୋରିଂ ଓ ଗୋଲ୍‌ କନଭର୍ସନ ଉପରେ ଆମେ ଅଧିକ ଗୁରୁତ୍ୱ ଦେବୁ ବୋଲି କହିଛନ୍ତି ଅଧିନାୟକ ତଥା ଗୋଲ୍‌ ରକ୍ଷକ ପିଆର ଶ୍ରୀଜେଶ। ବିଶ୍ୱକପ୍‌ରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏସିଆଡରେ କରିଥିବା ଭୁଲକୁ ବିଶ୍ୱକପ୍‌ରେ ଦୋହରାଇବୁ ନାହିଁ ବୋଲି ଭାବୁଛି। ଶିବିରରେ ଆମେ ଏସବୁ କଥାକୁ ଧ୍ୟାନ ଦେବୁ ବୋଲି ଶ୍ରୀଜେଶ କହିଥିଲେ। ତେବେ ଏସିଆଡ୍‌ରେ ସ୍ୱର୍ଣ୍ଣ ହାତଛଡ଼ା କରି ଟୋକିଓ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରି ନ ପାରିବା ନେଇ ମନରେ ଦୁଃଖ ଥିବା ଶ୍ରୀଜେଶ ସ୍ୱୀକାର କରିଥିଲେ।

ସମ୍ବନ୍ଧିତ ଖବର