ଜାତୀୟ ହକି ଗାଙ୍ଗପୁର ବାଳିକାଙ୍କୁ କାଂସ୍ୟ

ହିସାର: ହରିଆନାର ହିସାରରେ ଆୟୋଜିତ ଜାତୀୟ ଉପକନିଷ୍ଠ ବାଳିକା ହକି (ଏ-ଡିଭିଜନ) ପ୍ରତିଯୋଗିତା ରବିବାର ଶେଷ ହୋଇଛି। ଫାଇନାଲ୍‌ରେ ମଧ୍ୟପ୍ରଦେଶକୁ ୬-୧ ଗୋଲ୍‌ରେ ପରାସ୍ତ କରି ହରିଆନା ବିଜେତା ହୋଇଥିଲା ବେଳେ ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ) ବିପକ୍ଷରେ ୪-୨ ଗୋଲ୍‌ର ବିଜୟ ସହ ହକି ଗାଙ୍ଗପୁର ଓଡ଼ିଶା ଦଳ କାଂସ୍ୟ ପଦକ ଉପରେ କବ୍‌ଜା କରିନେଇଛି। ଶନିବାର ସେମିଫାଇନାଲ୍‌ରେ ହରିଆନାଠୁ ହାରିଯାଇଥିବା ଗାଙ୍ଗ୍‌ପୁର ଦଳ କାଂସ୍ୟ ମୁକାବିଲାରେ ଆଧିପତ୍ୟ ବିସ୍ତାର କରିଥିଲା। ସାଇ ପକ୍ଷରୁ ସୁସ୍ମିତା ପାନ୍ନା (୧୪ ମିନିଟ୍‌) ମ୍ୟାଚ୍‌ର ପ୍ରଥମ ଗୋଲ୍‌ କରିଥିଲା ବେଳେ ଜ୍ୟୋତି ଛତ୍ରୀ ୨୦ ମିନିଟ୍‌ରେ ଗୋଲ୍‌ କରି ଗାଙ୍ଗ୍‌ପୁର ସ୍ଥିତି ସମାନ କରିଦେଇଥିଲେ। ଏହାପରେ ଦୀପାଳି ୨୫ ମିନିଟ୍‌ରେ ଗୋଟିଏ ଗୋଲ୍‌ କରି ପୁଣି ଥରେ ସାଇକୁ ଅଗ୍ରଣୀ ଦେଇଥିଲେ। ହେଲେ ସେହିଠାରେ ହିଁ ସାଇର ଗୋଲ୍‌ ଅଭିଯାନ ଅଟକି ଯାଇଥିଲା। ଅନ୍ୟପଟେ ଅତେନ୍‌ ଟପ୍ନୋଙ୍କ ୩୦ ମିନିଟ୍‌ ଗୋଲ୍‌ ବଳରେ ଗାଙ୍ଗ୍‌ପୁର ପୁନର୍ବାର ସମାନ ସ୍ଥିତି ପାଇଯିବା ପରେ ସୁନିତା ଖାଖା (୫୧ ମିନିଟ୍‌) ଗୋଟିଏ ଓ ଅତେନ୍‌ ଟପ୍ନୋ (୫୪ ମିନିଟ୍‌) ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍‌ କରି ଗାଙ୍ଗ୍‌ପୁର ଦଳକୁ ବିଜୟ ଭେଟି ଦେଇଥିଲେ। ପ୍ରତିଯୋଗିତାରେ ତୃତୀୟ ସ୍ଥାନରେ ଅଭିଯାନ ଶେଷ କରି କାଂସ୍ୟ ପଦକ ଜିତିଥିବା ଗାଙ୍ଗ୍‌ପୁର ବାଳିକା ଦଳର ମନୀଷା ଓରାମ୍‌ ପ୍ରତିଯୋଗିତାର ଶ୍ରେଷ୍ଠ ଫରଓ୍ଵାର୍ଡ ସ୍ୱରୂପ ୫୧୦୦ ଟଙ୍କାର ପୁରସ୍କାର ରାଶି ଗ୍ରହଣ କରିଥିଲେ। କାଂସ୍ୟ ସଫଳତା ପାଇଁ ଗାଙ୍ଗ୍‌ପୁର ଓଡ଼ିଶା ଦଳର ମହାସଚିବ ଦେବାଶିଷ ଗୌଡ଼ ଖେଳାଳି ଓ ପ୍ରଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ବାଳକଙ୍କ ବୃହତ୍‌ ବିଜୟ ମହାରାଷ୍ଟ୍ରକୁ ୧୮-୧ ଗୋଲ୍‌ରେ ହରାଇଲେ
ଉତ୍ତର ପ୍ରଦେଶର ସେଫାଇରେ ଚାଲିଥିବା ଜାତୀୟ ଉପକନିଷ୍ଠ ବାଳକ ହକି (ଏ-ଡିଭିଜନ) ପ୍ରତିଯୋଗିତାର ପୁଲ୍‌-ଏରେ ହକି ଗାଙ୍ଗପୁର ଓଡ଼ିଶା ଦଳ ରବିବାର ଗୋଲ୍‌ ବର୍ଷା କରି ୧୮-୧ରେ ମହାରାଷ୍ଟ୍ରକୁ ପରାସ୍ତ କରିଦେଇଛି। ସୁଦୀପ ଚିର୍‌ମାକୋ (୩, ୧୩, ୧୭, ୧୮ ଓ ୩୩ ମିନିଟ୍‌) ସର୍ବାଧିକ ୫ ଗୋଲ୍‌ କରିଥିଲା ବେଳେ ଅମନଦୀପ୍‌ ଲାକ୍ରା (୬, ୧୫, ୪୦ ମିନିଟ୍‌), ପ୍ରଶାନ୍ତ ଲାକ୍ରା (୯, ୪୯, ୫୧ ମିନିଟ୍‌) ଓ ଦୀପକ୍‌ ଏକ୍କା (୧୨, ୨୫ ଓ ୫୭ ମିନିଟ୍‌) ତିନିଟି ଲେଖାଏଁ ଗୋଲ୍‌ କରି ମହାରାଷ୍ଟ୍ର ଶିବିରରେ ନିରାଶା ଭରି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରଞ୍ଜିତ୍‌ ଲାକ୍ରା (୨୯ ଓ ୫୫ ମିନିଟ୍‌) ଦୁଇଟି ଏବଂ ସୁମିତ କିଣ୍ଡୋ (୨୧ ମିନିଟ୍‌), ଅମିତ କିଣ୍ଡୋ (୪ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଯୋଡ଼ିଥିଲେ। ମହାରାଷ୍ଟ୍ର ଏକମାତ୍ର ଗୋଲ୍‌ଟି ୪୭ ମିନିଟ୍‌ରେ ଶୁଝି ଦେଇଥିଲା। ତେବେ ପୁଲ୍‌-ଡିରେ ସାମିଲ ଥିବା ହକି ଓଡ଼ିଶା ଦଳ ରବିବାର ଏକ ମ୍ୟାଚ୍‌ରେ ଉତ୍ତର ପ୍ରଦେଶ ନିକଟରୁ ୨-୩ ଗୋଲ୍‌ରେ ହାରିଯାଇଛି। ମାତିୟାସ୍‌ ଡାଙ୍ଗ୍‌ (୧୯ ମିନିଟ) ଓ ସୁବାସ ବାର୍ଲା (୨୫ ମିନିଟ୍‌) ଓଡ଼ିଶା ପକ୍ଷରୁ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲା ବେଳେ ଉତ୍ତର ପ୍ରଦେଶ ପକ୍ଷରୁ ସୁରଜ ସିଂହ (୧୬ ଓ ୨୯ ମିନିଟ୍‌) ଦୁଇଟି ଏବଂ ଅଜୟ ଯାଦବ (୭୦ ମିନିଟ୍‌) ଗୋଟିଏ ଗୋଲ୍‌ କରିଥିଲେ।

ସମ୍ବନ୍ଧିତ ଖବର