ଗାଙ୍ଗପୁର ବାଳକରେ ଜିତିଲା, ବାଳିକାରେ ହାରିଲା

ଜାତୀୟ ହକି

ସେଫାଇ/ହିସାର: ଜାତୀୟ କନିଷ୍ଠ ହକି ପ୍ରତିଯୋଗିତାରେ ଶନିବାର ହକି ଗାଙ୍ଗପୁର ଓଡ଼ିଶା ମିଶ୍ର ଫଳ ପାଇଛି। ଉତ୍ତର ପ୍ରଦେଶର ସେଫାଇରେ ଚାଲିଥିବା ଜାତୀୟ ବାଳକ ହକି (ଏ-ଡିଭିଜନ)ରେ ଏହି ଦଳ ବିଜୟୀ ହୋଇଥିଲା ବେଳେ ହରିଆଣାର ହିସାରଠାରେ ଆୟୋଜିତ ଜାତୀୟ ବାଳିକା (ଏ-ଡିଭିଜନ)ରେ ପରାଜିତ ହୋଇଛି। ବାଳକରେ ହକି ଗାଙ୍ଗପୁର ଆଜି ଦିଲ୍ଲୀ ହକିକୁ ୫-୧ ଗୋଲ୍‌ରେ ହରାଇ ଦେଇଥିଲା। ପୁଲ୍‌ ଏରେ ସ୍ଥାନ ପାଇଥିବା ଗାଙ୍ଗପୁର ଦଳର ଏହି ସଫଳତାରେ ଅଧିନାୟକ ସୁଦୀପ ଚିରମାକୋ ପ୍ରମୁଖ ଭୂମିକା ତୁଲାଇଥିଲେ। ସେ ଏକାକି ଦୁଇଟି ଗୋଲ୍‌ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁମିତ କିଣ୍ଡୋ, ଦୀପକ ଏକ୍କା ଓ ଅମନଦୀପ ଲାକ୍ରା ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଦିଲ୍ଲୀ ପକ୍ଷରୁ ପ୍ରଶାନ୍ତ ଏକମାତ୍ର ଗୋଲ୍‌ ଦେଇଥିଲେ। ସେହିଭଳି ସାଇ, ହକି ହରିଆଣା, ହକି ଝାଡ଼ଖଣ୍ଡ, ହକି ପଂଜାବ, ଓ ମଣିପୁର ହକି ଦଳ ମଧ୍ୟ ନିଜ ନିଜ ମ୍ୟାଚ୍‌ ଜିତି ନେଇଥିଲେ। ବାଳିକାରେ ଗାଙ୍ଗୁପୁର ଦଳ ହକି ହରିଆଣାଠାରୁ ୧-୪ ଗୋଲ୍‌ରେ ହାରି ସେମିଫାଇନାଲରୁ ବିଦାୟ ନେଇଥିଲା। ଗାଙ୍ଗପୁର ଦଳ ଏହି ମ୍ୟାଚ୍‌ରେ ପ୍ରଥମେ ଗୋଲ୍‌ ଦେଇଥିଲା। ହେଲେ ହକି ହରିଆଣା ପରେ ଦମଦାର ପ୍ରତ୍ୟାବର୍ତନ ସହ ଚାରିଟି ଗୋଲ୍‌ ଦେଇ ଫାଇନାଲରେ ପ୍ରବେଶ କରିଥିଲା। ଗାଙ୍ଗପୁର ପକ୍ଷରୁ ଏକମାତ୍ର ଗୋଲ୍‌ ମନୀଷା ଓରାମ ଦେଇଥିଲେ।

ସମ୍ବନ୍ଧିତ ଖବର